ଓଡିଶା

odisha

ETV Bharat / city

‘ଯିଏ ବନ୍ଧା ହେବା କଥା, ସେ ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚରେ ବସୁଛି’ - ମମିତା ମେହେର ହତ୍ୟାକାଣ୍ଡ

ମମିତାଙ୍କୁ ନ୍ୟାୟ ପ୍ରସଙ୍ଗରେ ଆସନ୍ତାକାଲି ଭୁବନେଶ୍ବରରେ ବୁଦ୍ଧିଜୀବି ସମ୍ମିଳନୀ କରିବ ବିଜେପି । ଅଭିଯୁକ୍ତ ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ବୋଲି କହିଲେ ବିଜେପି ନେତା ଗୋଲକ । ଅଧିକ ପଢନ୍ତୁ...

‘ଯିଏ ବନ୍ଧା ହେବା କଥା, ସେ ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚରେ ବସୁଛି’
‘ଯିଏ ବନ୍ଧା ହେବା କଥା, ସେ ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚରେ ବସୁଛି’

By

Published : Nov 10, 2021, 10:58 PM IST

ଭୁବନେଶ୍ବର:ରାଜ୍ୟରେ ମହିଳା ହିଂସା , ନିର୍ଯାତନା , ଦୁଷ୍କର୍ମ, ହତ୍ୟା ଭଳି ବୀଭତ୍ସ ଘଟଣାମାନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବାବେଳେ ଦଣ୍ଡବିଧାନ ହାର ଅତ୍ୟନ୍ତ ନଗଣ୍ୟ ବୋଲି NCRB ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ହୋଇଛି । ମହିଳା ନିର୍ଯାତନାରେ ଓଡିଶା ରାଜ୍ୟ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରିବା ପଛରେ ସମସ୍ତ ଶ୍ରେୟ ଶାସକ ବିଜେଡିର ବୋଲି ଅଭିଯୋଗ କରିଛି ବିଜେପି । ଶାସକ ବିଜେଡିର ମନ୍ତ୍ରୀ , ବିଧାୟକ ଓ ନେତାମାନେ ପ୍ରତ୍ୟକ୍ଷ ଭାବେ ଏହି ସବୁ ଘଟଣାରେ ସମ୍ପୃକ୍ତ ରହୁଥିବାବେଳେ ଅନ୍ୟ ପଟେ ମୁଖ୍ୟମନ୍ତ୍ରୀ ଯେକୌଣସି ସ୍ତରକୁ ଓହ୍ଲାଇ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି କହି ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ମମିତା ହତ୍ୟାକାଣ୍ଡ ଘଟିବାର ମାସେ ଭିତରେ ସମସ୍ତ ତଥ୍ୟ ପ୍ରମାଣ ନଷ୍ଟ କରିବାର ସୁଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ମଞ୍ଚରେ ବସିବା ରାଜ୍ୟବାସୀଙ୍କୁ ବିସ୍ମିତ କରିଛି । ଶାସକ ଦଳ ତରଫରୁ ବିଭ୍ରାନ୍ତିକର ବୟାନବାଜି କରି ଜନତାଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଗୋଲକ ।


ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଥିବାବେଳେ ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ରାଜ୍ୟ ବିଜେପି ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହେବ । ‘ ମମିତାଙ୍କୁ ନ୍ୟାୟ ' ପ୍ରସଙ୍ଗ ଅଲୋଚନାଚକ୍ରରେ ରାଜ୍ୟ ସଭାପତି ସମୀର ମହାନ୍ତି , ପୂର୍ବତନ ପୋଲିସ ମହାନିର୍ଦେଶକ ତଥା ବରିଷ୍ଠ ନେତା ପ୍ରକାଶ ମିଶ୍ର, ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ସାମିଲ ହେବା ନେଇ ସୂଚନା ରହିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details