ଭୁବନେଶ୍ବର: ନୂଆବର୍ଷରେ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କଲେ ବର୍ଷଟି ଭଲରେ ଯାଏ । ଏଥିଲାଗି ଓଡ଼ିଆ ଘରେ ସମସ୍ତେ ନୂଆବର୍ଷରେ ପୁରୀ ଆସିଥାନ୍ତି । ତେବେ ମୁଖ୍ୟମନ୍ତ୍ରୀ ନବୀନ ମଧ୍ୟ ନୂଆବର୍ଷରେ ଜଗନ୍ନାଥଙ୍କ ନିକଟରେ କରିଛନ୍ତି ଗୁହାରି । ପ୍ରତିବର୍ଷ ଆରମ୍ଭରେ ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ଦର୍ଶନ କରନ୍ତି । ଜଗାର ଆଶିଷ ଭିକ୍ଷା କରନ୍ତି । ରାଜ୍ୟବାସୀଙ୍କ ଲାଗି ପ୍ରାର୍ଥନା ମଧ୍ୟ କରନ୍ତି । ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟାନ୍ୟ ସମସ୍ୟା ଦୂରୀଭୂତ ଲାଗି ଜଗନ୍ନାଥଙ୍କ ନିକଟରେ କରିଥାନ୍ତି ପ୍ରାର୍ଥନା । ଏବର୍ଷ ମଧ୍ୟ ସେ ଜଗାକୁ ଗୁହାରି କରିଛନ୍ତି ।
ନବୀନ ଯେବେଠୁ ରାଜ୍ୟର ଶାସନ ଡୋରୀ ଧରିଛନ୍ତି ସେବେଠାରୁ ବର୍ଷ ଆରମ୍ଭରୁ ତାଙ୍କର ଜଗା ଦର୍ଶନ ପ୍ରକ୍ରିୟା ଜାରି ରହିଛି । ସତେ ଯେମିତି ନବୀନଙ୍କ ଲାଗି ଏହା ପରମ୍ପରାରେ ପରିଣତ ହୋଇଯାଇଛି । କିନ୍ତୁ କୋଭିଡ଼ ମହାମାରୀର ପାଦ୍ରୁଭାବରେ ପୁରୀ ଯାଇ ଜଗା ଦର୍ଶନ କରିବା ନବୀନଙ୍କ ଲାଗି ସମସ୍ୟା ହୋଇ ଛିଡା ହୋଇଛି । ଏଥିଲାଗି ନିଜ ଘରେ ସେ ଜଗା ଦର୍ଶନ କରିଛନ୍ତି । ସକାଳୁ ଉଠି ମୁଖ୍ୟମନ୍ତ୍ରୀ ଘରେ ଲାଗିଥିବା ଜଗନ୍ନାଥ ଫଟୋ ଚିତ୍ରରେ ମୁଣ୍ଡିଆ ମାରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଭାବର ଠାକୁର କାଳିଆକୁ ଘରର ସମ୍ମୁଖ ଦ୍ଵାରରେ ସ୍ଥାନିତ କରି ପ୍ରତ୍ୟେକ ଦିନ ଆଶୀର୍ବାଦ ଲୋଡ଼ନ୍ତି ନବୀନ ।
ନବୀନ ନିବାସ କାର୍ଯ୍ୟାଳୟରୁ ଜାରି କରାଯାଇଥିବା ଏହି ଭିଡିଓରୁ ଜାଗା ପ୍ରୀତି ଛଡା ନବୀନଙ୍କୁ ନେଇ ଆଉ ୨ଟି ବାର୍ତ୍ତା ସାମ୍ନାକୁ ଆସୁଛି । ଗୋଟିଏ ହେଉଛି ସରଳ ଜୀବନ ଯାପନ ଓ ଅନ୍ୟଟି ତାଙ୍କ ସ୍ବାସ୍ଥ୍ୟକୁ ନେଇ ସୃଷ୍ଟି ହେଉଥିବା ସନ୍ଦେହ । ନବୀନ ସବୁବେଳେ ଦଳୀୟ ନେତା ଓ କର୍ମୀଙ୍କୁ ସନ୍ଦେଶ ଦେଇଛନ୍ତି ଯେ, ସରଳ ଓ ନିରାମୟ ଜୀବନ ଯାପନ କରନ୍ତୁ । ଲୋକଙ୍କ ଲାଗି କାର୍ଯ୍ୟ କରନ୍ତୁ । ଏହି ଭିଡି଼ଓରେ ନବୀନ ପରିଧାନ କରିଥିବା ପୋଷାକ ଏହି ବାର୍ତ୍ତା ବହନ କରୁଛି । ନବୀନ ଯାହା କୁହନ୍ତି, ତାହା ମଧ୍ୟ କରନ୍ତି ତାହାର ପ୍ରମାଣ ଖୋଦ ନବୀନ ଦେଇଛନ୍ତି ।