ଭୁବନେଶ୍ବର: ଓଡିଶା କଫିର ପ୍ରଚାର ପ୍ରସାର କଲେ ମୁଖ୍ୟମନ୍ତ୍ରୀ। ଆନ୍ତର୍ଜାତୀୟ କଫି ଦିବସ ଅବସରରେ ନବୀନ ପଟ୍ଟନାୟକ କୋରାପୁଟରେ ଏକ କଫି କାଫେ ସହିତ ଏକ ଉତ୍ସର୍ଗୀକୃତ ଇ-କମର୍ସ ପ୍ଲାଟଫର୍ମ ଉଦଘାଟନ କରିଛନ୍ତି। ଅକ୍ଟୋବର ୧ ତାରିଖ ଅନ୍ତର୍ଜାତୀୟ କଫି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ କଫି କ୍ୟାଫେର ଉଦଘାଟନ କରିବା ସହ Koraputcoffee.org ନାମକ ଏକ ଇ-କମର୍ସ ପ୍ଲାଟଫର୍ମର ଶୁଭାରମ୍ଭ କରି କୋରାପୁଟ କଫିର ଉତ୍କୃଷ୍ଟତାକୁ ସମଗ୍ର ବିଶ୍ବରେ ପରିଚିତ କରିବାର ବ୍ୟବସ୍ଥା କରିଛନ୍ତି।
ଏହିଭଳି ଅନେକ କଫି କ୍ୟାଫେ ଭାରତର ଅନ୍ୟ ସ୍ଥାନରେ ମଧ୍ୟ କରି କୋରାପୁଟ କଫିକୁ ଏକ ବ୍ରାଣ୍ଡରେ ରୂପାନ୍ତରିତ କରିବାର ଯୋଜନା ରହିଛି ଯାହା କଫି ଚାଷୀ ମାନଙ୍କ ଜୀବନର ମାନରେ ଅନେକ ଉନ୍ନତି ଆଣିପାରିବ।
କୋରାପୁଟ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ହେଉଥିବା କଫି ଚାଷ ପଛୁଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିପାରିଛି। ସମୁଦ୍ର ପତ୍ତନ ଠାରୁ ୩୦୦୦ ଫୁଟ ଉପରେ ଅବସ୍ଥିତ କୋରାପୁଟ ଜିଲ୍ଲାର ଶୀତଳ ଜଳବାୟୁ ସାଙ୍ଗକୁ ପର୍ଯ୍ୟାପ୍ତ ବୃଷ୍ଟିପାତ କଫି ଚାଷ ପାଇଁ ଅନୁକୁଳ ଅଟେ। ଏହି ଦେଶର କଫି ଶତପ୍ରତିଶତ ଆରବିକା କଫି ଅଟେ ଯାହା ନିକଟ ଭବିଷ୍ୟତରେ ବଜାରରେ ଉପଲବ୍ଧ ଥିବା ସ୍ବତନ୍ତ୍ର କଫି ସହ ପ୍ରତିଦ୍ବନ୍ଦିତା କରିବ। ଏହି ଅବସରରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି " ମାତ୍ର ଦୁଇ ବର୍ଷ ଭିତରେ କୋରାପୁଟ କଫି ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ଆଦିବାସୀ ଜୀବିକାର ଉନ୍ନତ ନିର୍ବାହନ ନିମନ୍ତେ ମୋ ସରକାର ଅନେକ ପଦକ୍ଷେପମାନ ଗ୍ରହଣ କରିଛନ୍ତି। କୋରାପୁଟ କଫିକୁ ସୁଦୂର ପ୍ରସାରି କରିବା ପାଇଁ ଓଡିଶା ଆଦିବାସୀ ବିକାଶ ସମବାୟ ସମିତି ପକ୍ଷରୁ ବିଭିନ୍ନ ପରିକଳ୍ପନା ସହିତ କୋରାପୁଟ କଫି ବିକାଶ ଟ୍ରଷ୍ଟ ନୂଆ ଓ ପୁରୁଣା ମିଶାଇ ୩୦୦ ହେକ୍ଟର ପରିମିତ ଜାଗାରେ କଫି ଚାଷକୁ ତ୍ବରାନ୍ବିତ କରିଛି।
ଆନ୍ତର୍ଜାତୀୟ କଫି ଦିବସରେ ଏକ କ୍ୟାଫେ ସହ ଦେଶ ବିଦେଶର ଲୋକଙ୍କୁ କୋରାପୁଟ କଫିର ବିଶେଷତ୍ବ ବିଷୟରେ ଅଧିକ ସୂଚନା ପ୍ରଦାନ ନିମନ୍ତେ Koraputcoffee.org ନାମକ ଏକ ଇ-କମର୍ସ ପୋର୍ଟାଲ ଉଦଘାଟନ କରି ମୁଁ ଅତ୍ୟନ୍ତ ଖୁସି ଏହା କୋରାପୁଟ କଫିକୁ ଏକ ବିଶେଷ ବ୍ରାଣ୍ଡ ଭାବେ ଗଢି ତୋଳିବ ବୋଲି ମୋର ଦୃଢ଼ ବିଶ୍ୱାସ"। ଏହି ଅବସରରେ ଆଦିବାସୀ ବିକାଶ ସମବାୟ ସମିତି ଲିଃ (TDCCOL)ର କାର୍ଯ୍ୟନିର୍ବାହୀ ଅଧିକାରୀ ମାନସୀ ନିମ୍ଭଲ (ଭା.ପ୍ର.ସେ) ୨୦୧୯ରୁ ଆରମ୍ଭ ହେଇଥିବା ଏହି ଯୋଜନା ସହ ଜଡିତ ଥିବାରୁ ଅତ୍ୟନ୍ତ ଖୁସି ପ୍ରକଟ କରିଥିଲେ। ଟାଇଗର ବ୍ରାଇଟ ନାମକ ନୂତନ ଉତ୍ପାଦର ବହୁଳ କ୍ରୟ ପାଇଁ ବହୁରାଷ୍ଟ୍ରୀୟ କମ୍ପାନୀ ମାନେ ଆଗ୍ରହ ପ୍ରକାଶ କରୁଛନ୍ତି ଏହା ଆଦିବାସୀ କୃଷକଙ୍କୁ ପ୍ରତିଯୋଗୀତାମୂଳକ ରାଶି ପ୍ରଦାନ ଦିଗରେ ସହାୟକ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।