ଭୁବନେଶ୍ବର: ରାଜ୍ୟର ବୁଣାକାରମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ୩୦୦୦ ବୁଣାକାର ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ୟାକେଜ ଅଧିନରେ ପ୍ରାଥମିକତା ଭିତ୍ତିରେ House-cum-Work shed ଯୋଗାଇ ଦିଆଯିବ ।
ପ୍ୟାକେଜରେ concrete ହୋଇନଥିବା ୧୫,୦୦୦ ଲୁମ ପିଟକୁ ପର୍ଯ୍ୟାୟକମେ ଆଗାମୀ ତିନି ବର୍ଷରେ କଂକ୍ରିଟ କରାଯିବ । ପ୍ରତି ଲୁମ ପିଟ କଂକ୍ରିଟ ପାଇଁ ୭୦୦୦ ଟଙ୍କା ଲେଖାଏ ଖର୍ଚ୍ଚ କରାଯିବ । ରାଜ୍ୟର ୩୧,୩୪୨ଟି ଲୁମ ପିଟ ମଧ୍ୟରୁ ଏପର୍ଯ୍ୟନ୍ତ ୧୫,୦୭୧ଟି ଲୁମ ପିଟକୁ କଂକ୍ରିଟ କରାଯାଇଛି ।
ପ୍ୟାକେଜରେ ବୁଣାକାରମାନେ ଯେପରି ସୁବିଧାରେ ଋଣ ପାଇ ପାରିବେ ତା' ଉପରେ ଗୁରୁତ୍ବ ଦିଆଯାଇଛି । ବୁଣାକାର ମାନଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୁଣାକାର ମାନଙ୍କର ଉତ୍ପାଦନ ସାମଗ୍ରୀ ରଖିବା ନିମନ୍ତେ ବିଭିନ୍ନ ଗୋଷ୍ଠୀ ଭିତ୍ତିଭୂମି ଯଥା – CFC, ଗୋଦାମ ଓ ବିକ୍ରୟ କେନ୍ଦ୍ର ଆଦି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଜରିଆରେ କରାଯିବ ।
ରାଜ୍ୟରେ 11695ଟି House-cum-Work shed ବୁଣାକାର ପରିବାରକୁ ଯୋଗାଇ ଦିଆଯାଇଛି । ଲୁଗାବୁଣା ଏବଂ କୁଟୀର ଶିଳ୍ପ ଉତ୍ପାଦନ ପ୍ରକ୍ରିୟାରେ ପରିବାରର ସଦସ୍ୟମାନେ ମଧ୍ୟ ସହଯୋଗ କରିଥାନ୍ତି । ସେହିପରି ଡିଜାଇନ ପ୍ରସ୍ତୁତି ମଧ୍ୟ ଏକ ଜଟିଳ ପ୍ରକ୍ରିୟା । ତେଣୁ ବୁଣାକାର ମାନଙ୍କ ଆଖି ଉପରେ ଯେପରି ବିଶେଷ ଚାପ ନ ପଡିବ । ସେମାନେ ଦୀର୍ଘ ସମୟ କାମ କରିପାରିବେ । ସେଥିପାଇଁ ସେମାନଙ୍କୁ ଏହି ଯୋଜନାରେ ବିଜୁଳି ଆଲୁଅ ଓ ବିଜୁଳି ପଙ୍ଖା ଯୋଗାଇ ଦିଆଯିବ । ସେହିପରି ସମସ୍ତ ଯୋଗ୍ୟ ବୁଣାକାର ପରିବାରକୁ ଅଗ୍ରାଧିକାର ଭିତ୍ତିରେ ବାସଗୃହ ଯୋଗାଇ ଦେବା ପାଇଁ ନିଷ୍ପତ୍ତି କରାଯାଇଛି । ପଞ୍ଚାୟତ ରାଜ ବିଭାଗର ଗାଇଡ଼ ଲାଇନ ଅନୁସାରେ ଏଥିପାଇଁ ହିତାଧିକାରୀ ଚୟନ କରାଯିବ ।
ରାଜ୍ୟରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ସର୍ବାଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ । ବର୍ତ୍ତମାନ ରାଜ୍ୟର ଲକ୍ଷାଧିକ ଲୋକ ହସ୍ତତନ୍ତ ଉପରେ ନିର୍ଭର କରନ୍ତି । ବୁଣାକାର ମାନେ ସେମାନଙ୍କ ଦକ୍ଷତା ଦ୍ବାରା ଓଡିଶାର ମହାନ ସାଂସ୍କୃତିକ ପରମ୍ପରାକୁ ହସ୍ତତନ୍ତ ଜରିଆରେ ସାରା ବିଶ୍ବରେ ଉପସ୍ଥାପନ କରିଆସୁଛନ୍ତି । ଓଡିଶାର ତିଆରି ହସ୍ତତନ୍ତର ମଧ୍ୟ ବିଶେଷ ଚାହିଦା ରହିଛି । କିନ୍ତୁ ମହାମାରୀ ପ୍ରଭାବରେ ଗତ ଦୁଇବର୍ଷରେ ହସ୍ତତନ୍ତ ବ୍ୟବସାୟ ଗଭୀର ଭାବରେ ପ୍ରଭାବିତ ହୋଇଛି । ହଜାର ହଜାର ବୁଣାକାର ମାନଙ୍କ ରୋଜଗାରରେ ମଧ୍ୟ ହ୍ରାସ ଘଟିଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ