ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତା। ପାର୍ବଣ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ । ଏହାସହ ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ଗତ ସାତ ମାସ ହେଲା ଓଡିଶା କୋରୋନା ସହ ଲଢେଇ କରିବା ସହ କୋରୋନା ବିରୋଧରେ ଲଢେଇ ଜାରି ରଖିଛି । ସେହିପରି ରାଜ୍ୟରେ କୋଭିଡ ସଂକ୍ରମଣ ଓ ମୃତ୍ୟୁ ହାର କମିଛି କହିଲେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ‘ମୁଁ ଜାଣେ ଏଥିପାଇଁ ଆପଣମାନଙ୍କୁ ଅନେକ କଷ୍ଟ, ଅନେକ ତ୍ୟାଗ ସ୍ବୀକାର କରିବାକୁ ପଡିଛି । ବିଶେଷକରି ଆମର ପିଲାମାନେ ଓ ବୟସ୍କ ଲୋକମାନଙ୍କୁ ଘରେ ରହିବାକୁ ପଡୁଛି । ପିଲାମାନେ ସ୍କୁଲ ସାଙ୍ଗସାଥି ଓ ଖେଳିବାର ମଜା ନେଇ ପାରୁନାହାଁନ୍ତି। ବୟସ୍କ ଲୋକ ଏବଂ ପିଲାମାନେ ଘରେ ରହିବା ଦ୍ବାରା ଆମେ କୋରୋନା ବିରୋଧରେ ଲଢେଇକୁ ଭଲ ଭାବରେ ଲଢି ପାରିବା । ହେଲେ ଏଠାରେ ଆପଣମାନଙ୍କ ତ୍ୟାଗ ବୃଥା ଯାଇ ନାହିଁ । ଓଡିଶା ଗତ 7 ମାସରେ କୋରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି । ଏଥିରେ ରାଜ୍ୟର ସବୁ ନାଗରିକଙ୍କ ସହଯୋଗ ରହିଛି । ଆପଣମାନେ ମୋର ଅନୁରୋଧ ରକ୍ଷା କରି ମାସ୍କ ପିନ୍ଧୁଛନ୍ତି । ହାତ ଧୋଉଛନ୍ତି ଏବଂ ସାମାଜିତ ଦୂରତା ବଜାୟ ରଖିଛନ୍ତି । ଆବଶ୍ୟ କିଛି ଲୋକ ଟିକେ ଅମାନିଆ ହେଉଛନ୍ତି ସେମାନେ ପରିସ୍ଥିତିକୁ ଠିକ୍ ଭାବରେ ବୁଝିବା ଦରକାର ।’
ନବୀନ ନିଜ ବାର୍ତ୍ତାରେ ପୁଣି କହିଛନ୍ତି, ‘ଗତ ଦୁଇ ସପ୍ତାହ ହେଲା ରାଜ୍ୟରେ କୋରୋନା ପଜିଟିଭ ମାମଲା କମିବା ଆରମ୍ଭ ହୋଇଛି । ସେପ୍ଟେମ୍ବର 26 ତାରିଖରେ ରାଜ୍ୟରେ ପଜିଟିଭ ସଂଖ୍ୟା ଚାରି ହଜାରରୁ ଅଧିକ ଥିବାବେଳେ ଆଜି ସଂକ୍ରମଣ ଦୁଇ ହଜାର ତଳକୁ ଖସି ଆସିଛି । ପଜିଟିଭ ହାର ମଧ୍ୟ କମିଛି ଏବଂ ଆଗକୁ ଆହୁରି କମିବ । ଆପଣ ଗଞ୍ଜାମ ଓ ଗଜପତି କଥା ଦେଖନ୍ତୁ । ଦୁଇ ମାସ ତଳେ ଗଞ୍ଜାମ ହଟସ୍ପଟ ଥିଲା । ପ୍ରତିଦିନ ଶହ ଶହ ପଜିଟିଭ କେସ ବାହାରୁଥିଲା । ଲୋକଙ୍କ ସହଯୋଗ, ସାମ୍ପ୍ରଦାୟିକ ଅଂଶଗ୍ରହଣ ଏବଂ କୋଭିଡ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି । ଗଞ୍ଜାମ ଓ ଗଜପତିରେ ସଂକ୍ରମଣ ବହୁତ କମିଯାଇଛି ଏବଂ ସେମାନେ ଏବେ ଅନ୍ୟ ଜିଲ୍ଲା ପାଇଁ ପ୍ରେରଣା । କିନ୍ତୁ ଏଥିରେ ଆତ୍ମସନ୍ତୋଷ କରିବାର କିଛି ନାହିଁ । କୋରୋନା ବିଷୟରେ ଅଧିକ ତଥ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଭଲ ଭାବେ ଆସିପାରିନାହିଁ । ତେଣୁ ଆମକୁ ଔଷଧ ଏବଂ ଟୀକା ବାହାରିବା ପର୍ଯ୍ୟନ୍ତ ସାବଧାନ ରହିବାକୁ ହେବ ।