ଭୁବନେଶ୍ବର:ବେଙ୍ଗାଲୁରୁରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ବେଙ୍ଗାଲୁରୁରେ ନିବେଶକାରୀଙ୍କ ସହ ଆଲୋଚନା କରିବେ ନବୀନ । ଓଡିଶାରେ ପୁଞ୍ଜିନିବେଶ ପାଇଁ ଥିବା ଅନୁକୂଳ ବାତାବରଣ ବାବଦରେ ସେ ଅବଗତ କରାଇବେ । ନଭେମ୍ବର ୩୦ରୁ ହେବାକୁ ଥିବା ମେକ ଇନ ଓଡି଼ଶା ୨୦୨୨ ସମ୍ମିଳନୀରେ ସାମିଲ ହେବାକୁ ପୁଞ୍ଜିନିବେଶକାରୀଙ୍କୁ ଆହ୍ବାନ ଦେବେ ।
ଦୁଇ ଦିନିଆ ବେଙ୍ଗାଲୁରୁ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen's Bengaluru visit) । ଆସନ୍ତାକାଲି ବେଙ୍ଗାଲୁରୁର ହୋଟେଲ ତାଜ ୱେଷ୍ଟ ଏଣ୍ଡରେ ରାଜ୍ୟ ସରକାରଙ୍କ ପକ୍ଷରୁ ହେବାକୁ ଥିବା ନିବେଶକ ସମ୍ମିଳନୀରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ । ବିଶେଷ କରି ଆଇଟି ଶିଳ୍ପ, ଅଟୋମୋବାଇଲ, ଇ-ଭେଇକିଲ, ଟେକ୍ସଟାଇଲ, ଫୁଡ଼ ପ୍ରୋସେସିଂ କ୍ଷେତ୍ରରେ ରାଜ୍ୟରେ ଯେପରି ଅଧିକ ପୁଞ୍ଜିନିବେଶ ହୋଇପାରିବ, ସେ ନେଇ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ସହିତ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।
ଏହା ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ ନିବେଶ ନେଇ ମଧ୍ୟ ଶିଳ୍ପପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ଶିଳ୍ପପତିମାନଙ୍କ ସହ ୱାନ-ଟୁ-ୱାନ ଆଲୋଚନା କରିବେ । ଶିଳ୍ପ ବିକାଶ ନେଇ ରାଜ୍ୟ ସରକାର କରିଥିବା ବ୍ୟବସ୍ଥା ବାବଦରେ ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ଅବଗତ କରାଇବେ । ସନ୍ଧ୍ୟାରେ ନିବେଶକ ସମ୍ମିଳନୀରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ । ଆଇଟି (Information Technology) କ୍ଷେତ୍ରରେ ଓଡ଼ିଶାରେ କିପରି ଅଧିକରୁ ଅଧିକ ପୁଞ୍ଜିନିବେଶ ହୋଇପାରିବ ସେ ନେଇ ବେଙ୍ଗାଲୁରୁରୁ ସମ୍ମିଳନୀରୁ ସରକାର ଆଶା ରଖିଛନ୍ତି ।