ଓଡିଶା

odisha

ETV Bharat / city

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା, ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଦେଲେ ନିର୍ଦ୍ଦେଶ - ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା

ରାଜ୍ୟରେ କୋଭିଡ ତଥା ନୂଆ ଭାରିଆଣ୍ଟ ଓମିକ୍ରନ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା: ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଦେଲେ ନିର୍ଦ୍ଦେଶ
ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା: ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଦେଲେ ନିର୍ଦ୍ଦେଶ

By

Published : Dec 28, 2021, 6:56 AM IST

ଭୁବନେଶ୍ବର: ରାଜ୍ୟରେ କୋଭିଡ଼ ସ୍ଥିତିର ସମୀକ୍ଷା(CM Naveen Patnaik Reviews Covid-19 Situation) କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର ସନ୍ଧ୍ୟାରେ କୋଭିଡ ତଥା ନୂଆ ଭାରିଆଣ୍ଟ ଓମିକ୍ରନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ନୂଆ ଭାରିଆଣ୍ଟର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରସ୍ତୁତି ବାବାଦରେ ସେ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାରା ପୃଥିବୀରେ ଓମିକ୍ରନ ପ୍ରଭାବ ବିସ୍ତାର କରୁଛି । ଓଡିଶାରେ ମଧ୍ୟ ୮ଟି କେସ୍‌ ଦେଖାଦେଇଛି । ଆଗାମୀ ସପ୍ତାହଗୁଡିକରେ ଏହାର ପ୍ରଭାବ ଆହୁରି ବଢିପାରେ । ତେଣୁ ଆମକୁ ଅଧିକ ସତର୍କ ରହିବାକୁ ପଡିବ । ଏହା ସହିତ ଆଗୁଆ ପଦକ୍ଷେପ ନେଇ ଏହାକୁ ରୋକିବା ପାଇଁ କାର୍ଯ୍ୟକ୍ରମ କରିବାକୁ ହେବ ।

ନୂଆ ଭାରିଆଣ୍ଟ ଖୁବ୍ ଜୋରରେ ବ୍ୟାପୁଥିବା ଜଣାଯାଇଛି । ତେଣୁ ଆଉ ଗୋଟିଏ ନୂଆ ଲହରୀ ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଜନସାଧାରଣଙ୍କୁ ନିବେଦନ କରିବା ସହ ସତର୍କ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ସମସ୍ତ କୋଭିଡ ନିୟମର ଅନୁପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏଥିପାଇଁ ସରକାରୀ କର୍ତ୍ତୃପକ୍ଷଙ୍କ ସହିତ ସହଯୋଗ କରିବା ପାଇଁ ମଧ୍ୟ ସେ ନିବେଦନ କରିଛନ୍ତି ।


ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ:

• ଟୀକାକରଣକୁ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା ସ୍ବତନ୍ତ୍ର ଅଭିଯାନ କରାଯାଉ ।

• ଦ୍ବିତୀୟ ଲହରୀ ସମୟରେ କୋଭିଡ ଚିକିତ୍ସା ପାଇଁ ଯେଉଁସବୁ ବ୍ୟବସ୍ଥା ଓ ସୁବିଧା କରାଯାଇଥିଲା, ସେ ସବୁକୁ ପୁନଃ କାର୍ଯ୍ୟକ୍ଷମ କରି ପ୍ରସ୍ତୁତ ରଖାଯାଉ । ଏହାଦ୍ବାରା ହସ୍ପିଟାଲଗୁଡିକରେ ରୋଗୀଙ୍କୁ ତୁରନ୍ତ ଚିକିତ୍ସା ମିଳିପାରିବ ।

• ପିଲାମାନଙ୍କ ମଧ୍ୟରେ ଅଧିକ ମେଡିକାଲ ଚିକିତ୍ସା ଆବଶ୍ୟକ ହେଉଥିବା ଜଣାଯାଉଛି । ତେଣୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସାରା ରାଜ୍ୟରେ ଶିଶୁ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉ ।

• ପୋଲିସ ବିଭାଗ କୋଭିଡ ନିୟମଗୁଡିକର ଦୃଢ ଅନୁପାଳନ ସୁନିଶ୍ଚିତ କରୁ । ଏ କ୍ଷେତ୍ରରେ କୌଣସି ଆତ୍ମସନ୍ତୋଷ ରହିବା ଉଚିତ୍ ନୁହେଁ । ପ୍ରଥମ ଓ ଦ୍ବିତୀୟ ଲହରୀରେ ଯେଉଁଭଳି ଭଲ କାମ ହୋଇଥିଲା, ସେହିପରି ଭାବରେ ଏଥର ମଧ୍ୟ ଦୃଢ ପଦକ୍ଷେପ ନିଆଯାଉ ।

• ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏକ ନୂଆ ସଚେତନତା ଅଭିଯାନ କରାଯାଇ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ ଅବଲମ୍ବନ କରିବା ଓ ହାତ ଧୋଇବା ଆଦି ସଂପର୍କରେ ସଚେତନ କରାଯାଉ ।

• ଜିଲ୍ଲାପାଳମାନେ ଲୋକଙ୍କୁ ସଚେତନ କରିବା ପାଇଁ ସମାଜର ସବୁ ବର୍ଗର ଲୋକ ବିଶେଷକରି ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତି ଗୋଷ୍ଠୀ ଓ ଅନ୍ୟମାନଙ୍କୁ ସାମିଲ କରି କାର୍ଯ୍ୟକ୍ରମ ଗ୍ରହଣ କରନ୍ତୁ ।

• ହସ୍ପିଟାଲଗୁଡିକରେ ଅକ୍ସିଜେନ ବ୍ୟବସ୍ଥା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉ ।


ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହିତ ନିୟମିତ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ସମସ୍ତ କୋଭିଡ ହସ୍ପିଟାଲଗୁଡିକୁ ପ୍ରସ୍ତୁତ କରି ରଖାଯାଇଛି । ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍‌.କେ ଶର୍ମା ରାଜ୍ୟରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଏକ ଉପସ୍ଥାପନା ରଖିଛନ୍ତି । ସେ କହିଛନ୍ତି ଯେ, ଓମିକ୍ରନର ପ୍ରସାରକୁ ରୋକିବା ପାଇଁ ଅଧିକ ସତର୍କତାମୂଳକ ପଦକ୍ଷେପ ସହିତ ନିୟମର ଦୃଢ ଅନୁପାଳନ ଓ ଟେଷ୍ଟିଂ ଉପରେ ଗୁରୁତ୍ବ ଦିଆଯାଉଛି । ଆସନ୍ତା ତିନି ସପ୍ତାହ ମଧ୍ୟରେ ପ୍ରଥମ ଓ ଦ୍ବିତୀୟ ଡୋଜ ନେଇ ନଥିବା ସମସ୍ତ ବ୍ୟକ୍ତିଙ୍କୁ ଟୀକା ଦିଆଯିବ। ଅକ୍ସିଜେନ ପାଇଁ ୮୨ଟି PSA Plant ଓ ୧୫ଟି LMO Plant କରାଯିବ । ସବୁ ଚିକିତ୍ସାଳୟରେ ଆବଶ୍ୟକ ଅକ୍ସିଜେନ୍‌ର ବ୍ୟବସ୍ଥା ରହିଛି । ସେହିପରି କୋଭିଡ ହସ୍ପିଟାଲଗୁଡିକରେ ୬୬୮୪ଟି ବେଡ୍ ରହିଛି । ପିଲାଙ୍କ ପାଇଁ ୧,୧୯୪ଟି ବେଡ୍‌ ପ୍ରସ୍ତୁତ ହୋଇ ରହିଛି ।

ପୋଲିସ ମହାନିର୍ଦ୍ଦେଶକ ଅଭୟ କୋଭିଡ ପ୍ରୋଟୋକଲ୍‌ ଅନୁପାଳନ ପାଇଁ ପୋଲିସର ପଦକ୍ଷେପ ସଂପର୍କରେ ଆଲୋକପାତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସମେତ ବୈଠକରେ ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ଉଚ୍ଚପଦାଧିକାରୀ, ଜିଲ୍ଲାପାଳ ଓ ଏସପିମାନେ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details