ଓଡିଶା

odisha

By

Published : Apr 20, 2021, 6:08 PM IST

Updated : Apr 20, 2021, 8:56 PM IST

ETV Bharat / city

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା, ପ୍ରବାସୀଙ୍କୁ ନେଇ ଆଲର୍ଟ ରହିବାକୁ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୋଭିଡ ସ୍ଥିତି ନେଇ ସମୀକ୍ଷା ବୈଠକ କରିଛନ୍ତି । ପ୍ରବାସୀ ଫେରୁଥିବାରୁ ଆଲର୍ଟ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକ
ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକ

ଭୁବନେଶ୍ବର: ଶେଷ ହୋଇଛି ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକ । ବୈଠକରେ ରାଜ୍ୟର କୋଭିଡ ପରିସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅକ୍ସିଜେନ ସହିତ ଶଯ୍ୟାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଯଦିଓ ରାଜ୍ୟରେ ଶଯ୍ୟା ଏବଂ ଅକ୍ସିଜେନର କୌଣସି ଅସୁବିଧା ନାହିଁ ତଥାପି ଆଗୁଆ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

କୋଭିଡ ସଂକ୍ରମଣର ଦ୍ୱିତୀୟ ଲହର ଅନେକ ରାଜ୍ୟକୁ ଗୁରୁତର ଭାବରେ ପ୍ରଭାବିତ କରିଛି । କୋଭିଡ ପଜିଟିଭ ରୋଗୀଙ୍କ ଦୃତ ବୃଦ୍ଧି ଯୋଗୁଁ କେତେକ ସହରରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଗୁରୁତର ହୋଇପଡିଛି । ଗତ କିଛି ଦିନ ହେବ ଓଡିଶାରେ ମଧ୍ୟ ମାମଲା ବୃଦ୍ଧି ପାଇବାରେ ଲାଗିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସତର୍କତା ଓ ଆଗୁଆ ପଦକ୍ଷେପ ଯୋଗୁଁ ରାଜ୍ୟରେ କୋଭିଡ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖାଯାଇଛି ।ତଥାପି, ଖରାପ ପରିସ୍ଥିତି ପାଇଁ ଆମକୁ ଆଗୁଆ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରତ୍ୟେକ ରୋଗୀଙ୍କୁ ସମ୍ମାନର ସହିତ ଚିକିତ୍ସା ସହ ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ପ୍ରୟାସ କରିବା ଆବଶ୍ୟକତା ରହିଛି ।

ଏନେଇ ପ୍ରଶାସନକୁ କିଛି ପରାମର୍ଶ ଦେଇଛନ୍ତି ନବୀନ

1- ରାଜ୍ୟରେ କୋଭିଡ ହସ୍ପିଟାଲ ଏବଂ କୋଭିଡ କେୟାର ସେଣ୍ଟରରେ ଶଯ୍ୟା ସଂଖ୍ୟାରେ ବୃଦ୍ଧି । ଅକ୍ସିଜେନ ସପୋର୍ଟ ସିଷ୍ଟମ ପ୍ରସ୍ତୁତ ରଖିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯୁଦ୍ଧକାଳୀନ ଭିତ୍ତିରେ ଏନେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ରହିଛି ।

2- ଅକ୍ସିଜେନ ଯୋଗାଣ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ନବୀନ ପରାମର୍ଶ ଦେଇଛନ୍ତି । ଡାକ୍ତରଖାନା ସ୍ତରରେ ଥିବା ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାକୁ ପ୍ରାଥମିକତା ଦେବା ଲାଗି କୁହାଯାଇଛି ।

3- କଟକଣା ଯୋଗୁଁ ଅନେକ ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ଔଷଧ ଅଭାବର ସମ୍ମୁଖୀନ ହେଉଛନ୍ତି । ଆମର ପର୍ଯ୍ୟାପ୍ତ ଔଷଧ ଷ୍ଟକ୍ ଅଛି । ଆସନ୍ତା ଦିନରେ ଏହାର ଅଭାବ ହୋଇପାରେ । ତେଣୁ ଅଗାମୀ ଦିନର ଅଧିକ ଚାହିଦାକୁ ମୁକାବିଲା କରିବା ପାଇଁ ଅଧିକ ଷ୍ଟକ୍ ରଖିବାକୁ ପଡିବ ।

4 - ସଚେତନତା ଅଭିଯାନକୁ ବ୍ୟାପକ କରିବାକୁ ପଡିବ । ଦ୍ୱିତୀୟ ଲହର ବିପଜ୍ଜନକ । ଏନେଇ ରାଜ୍ୟବାସୀଙ୍କୁ ଅଧିକ ସଚେତନ କରିବାର ଆବଶ୍ୟକତା ରହିଛି । କୋଭିଡ ପ୍ରୋଟୋକଲଗୁଡିକ ପାଳନ କରିବାର ଆବଶ୍ୟକତା ଉପରେ ଲୋକଙ୍କୁ ସଚେତନ କରିବାକୁ ପଡିବ । ମିଶନ୍ ଶକ୍ତି ଗୋଷ୍ଠୀ, PRI ସଦସ୍ୟମାନେ ଏହି ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

5 - କୋଭିଡ କଟକଣାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅମାନିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

6- କୋରନା ପ୍ରଭାବିତ ରାଜ୍ୟରୁ ଫେରୁଥିବା ପ୍ରବାସୀମାନଙ୍କ ପ୍ରତ୍ୟାବର୍ତ୍ତନ ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଅନୁସରଣ କରାଯାଇଥିବା ପ୍ରୋଟୋକଲଗୁଡିକ ଉପରେ ଜୋର ଦେବା ସହ ଅନ୍ୟ ରାଜ୍ୟରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କ ଟ୍ରାକିଂ ଓ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବରିଷ୍ଠ ଅଧିକାରୀ ଯେଉଁମାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି ଏହାର ତଦାରଖ କରିବାକୁ ନିର୍ଦ୍ଦେଶ ରହିଛି ।

ପ୍ରଶାସନକୁ ସହଯୋଗ ଲାଗି ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆମେ ଘୋର ବିପଦର ସମ୍ମୁଖୀନ ହେଉଛେ । ଯଦି ଲୋକମାନେ ସହଯୋଗ ନ କରନ୍ତି, ନିଜ ଦାୟିତ୍ୱ ନ ତୁଲାନ୍ତି, ତେବେ ପରିସ୍ଥିତିର ମୁକାବିଲା କରିବା ଅତ୍ୟନ୍ତ କଷ୍ଟକର ହେବ ବୋଲି ମୁଖ୍ୟମନ୍ତ୍ରୀ ଚେତାଇ ଦେଇଛନ୍ତି ।

ରାଜ୍ୟ ଏବଂ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ “ଲକଡାଉନ୍” ବିନା କୋଭିଡ୍ ସ୍ଥିତିକୁ ପରିଚାଳନା କରିବା ଉଚିତ୍ । ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ନିୟମ ପାଳନ କଲେ ଆମକୁ କୋରନା ମୁକାବିଲା କରିବା ସହଜ ହେବ ।

ଆଜି ଅପରାହ୍ନରେ କୋଭିଡ ସ୍ଥିତିର ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫରେନ୍ସିଂରେ ବସିଥିବା ବୈଠକରେ ମୁଖ୍ୟ ଶାସନ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରସମେତ ସମସ୍ତ ଜିଲ୍ଲାପାଳ ବୈଠକରେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ୍ ବୈଠକ ସଞ୍ଚାଳନ କରିଥିଲେ ।

ଭୁବନେଶ୍ବରରୁ ଭବନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 20, 2021, 8:56 PM IST

ABOUT THE AUTHOR

...view details