ଭୁବନେଶ୍ବର: ସୁରଟରୁ ବସ୍ରେ ପ୍ରବାସୀ ଓଡିଆମାନେ ଆସୁଥିବାବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ବସ୍ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳୁଛି । ତେଣୁ ଏହା ଉପରେ ବିଚାର କରି ସୁରଟରୁ କେବଳ ଟ୍ରେନ ଯୋଗେ ହିଁ ପ୍ରବାସୀ ଓଡିଆମାନେ ଓଡିଶା ଆସିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କୋରୋନା ସ୍ଥିତି ନେଇ ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ବସ୍ରେ ନୁହେଁ, ସୁରଟରୁ ଟ୍ରେନରେ ଆସିବେ ପ୍ରବାସୀ ଓଡିଆ - review meeting on corona
14:56 May 05
ବିଭିନ୍ନ କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଆଜି ବସିଥିବା ଏହି ସମୀକ୍ଷା ବୈଠକରେ ମୁଖ୍ୟତଃ ବାହାର ରାଜ୍ୟରୁ ଆସୁଥିବା ଶ୍ରମିକ ମାନଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା, ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର, ପରୀକ୍ଷଣ, କୋଭିଡ୍ ଚିକିତ୍ସା ପାଇଁ ଆବଶ୍ୟକୀୟ ଉପକରଣ ସଂଗ୍ରହ, ଫସଲ ପରିସ୍ଥିତି, ଶ୍ରମଭିତ୍ତିକ କାର୍ଯ୍ୟ, ଆଇନ ଶୃଙ୍ଖଳା ଏବଂ ଶିଳ୍ପ କ୍ଷେତ୍ରର ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ତେବେ ସମୀକ୍ଷା କରିସାରିବା ପରେ ମୁଖ୍ୟମନ୍ତ୍ରୀ କିଛି ନିର୍ଦ୍ଦେଶ ଦେଇଛନ୍ତି ।
- ରାଜ୍ୟରେ ଦୈନିକ ପରୀକ୍ଷଣ 15 ହଜାରକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯିବ ।
- ସୁରଟରୁ ଓଡିଶାକୁ ଦୀର୍ଘ ପଥ ବସ୍ରେ ଫେରିବା ସମୟରେ ଖାଇବା ପିଇବାରେ ଅସୁବିଧା, ଅଂଶୁଘାତ, ଦୁର୍ଘଟଣା ଭଳି ସମସ୍ୟା ଦେଖାଯିବା ସହିତ ମହିଳା ଓ ଶିଶୁମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସୁରଟରୁ କେବଳ ଟ୍ରେନ ଯୋଗେ ଫେରିବା ପାଇଁ ସରକାର ଅନୁମତି ଦେବେ ।
- ଗ୍ରୀନ ଜୋନରେ କୃଷି କାର୍ଯ୍ୟ, ଶିଳ୍ପ, ଜୀବନଜୀବିକା ଓ ପରିବହନ ସ୍ବାଭାବିକ କରାଯିବ ।
- ଶିଳ୍ପ ସଂସ୍ଥା ଗୁଡିକର ସମସ୍ୟାର ସମାଧାନ ପାଇଁ ଏକ ଆଦର୍ଶ ନୀତି ପ୍ରଣୟନ କରାଯିବ ।
- ଚାଷୀ ଓ ଏସଏଚଜି ମାନଙ୍କ ଋଣ ସହାୟତା ବୃଦ୍ଧି କରାଯିବ ।
- ମିଶନ ଶକ୍ତିର ମା ମାନେ ଏହି କଠିନ ପରିସ୍ଥିତିରେ ଏକ କୋଟିରୁ ଅଧିକ ମିଲ ଯୋଗାଇ ସାରିଲେଣି । ତେଣୁ ସେମାନଙ୍କୁ ପ୍ରତି ମିଲ୍ ପିଛା 2 ଟଙ୍କା ଲେଖାଁଏ ପ୍ରୋତ୍ସାହନ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଯୋଗାଇ ଦିଆଯିବ ।
- ଗଞ୍ଜାମ, କେନ୍ଦ୍ରାପଡା, ଭଦ୍ରକ, ବଲାଙ୍ଗୀର, ଯାଜପୁର ଓ ବାଲେଶ୍ବର ପରି ଜିଲ୍ଲା ଯେଉଁଠାରେ କି ଅଧିକ ଲୋକ ବାହାର ରାଜ୍ୟରେ କାମ କରୁଛନ୍ତି, ତା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ।
- ଆଗାମୀ ଖରିଫ ଋତୁ ପାଇଁ ବିହନ ଏବଂ ଅନ୍ୟାନ୍ୟ କୃଷି ଉପକରଣ ଯେପରି ସୁବିଧାରେ ଚାଷୀମାନେ ପାଇପାରିବେ, ସେ ଦିଗରେ ପଦକ୍ଷେପ ନିଆଯିବ ।
ବୈଠକରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ମୁଖ୍ୟ ଶାସନ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ