ଓଡିଶା

odisha

ETV Bharat / city

ଖୋଲିଲା ସ୍କୁଲ, ପିଲାଙ୍କ ଖୁସିରେ ମୁଁ ବି ବହୁତ ଖୁସି: ମୁଖ୍ୟମନ୍ତ୍ରୀ

ପ୍ରାୟ ଦୁଇ ବର୍ଷ ପରେ ଆଜି(ସୋମବାର) ରାଜ୍ୟରେ ସ୍କୁଲ ଖୋଲିଛି। ଅଷ୍ଟମ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ୧୪ ତାରିଖରେ ଖୋଲିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଲାମାନଙ୍କୁ ଏକ ବାର୍ତ୍ତା ଦେଇଛନ୍ତି । ଅଧିକ ପଢନ୍ତୁ

ସମସ୍ତେ ମିଶି ପାଠପଢାର କ୍ଷତିକୁ ଭରଣା କରିବା, ପିଲାଙ୍କର କିଛି ଅସୁବିଧା ହେବ ନାହିଁ: ମୁଖ୍ୟମନ୍ତ୍ରୀ
ସମସ୍ତେ ମିଶି ପାଠପଢାର କ୍ଷତିକୁ ଭରଣା କରିବା, ପିଲାଙ୍କର କିଛି ଅସୁବିଧା ହେବ ନାହିଁ: ମୁଖ୍ୟମନ୍ତ୍ରୀ

By

Published : Feb 7, 2022, 8:34 PM IST

Updated : Feb 7, 2022, 9:04 PM IST

ଭୁବନେଶ୍ବର :ପ୍ରାୟ ଦୁଇ ବର୍ଷ ପରେ ଆଜି(ସୋମବାର) ରାଜ୍ୟରେ ସ୍କୁଲ ଖୋଲିଛି। ଅଷ୍ଟମ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ୧୪ ତାରିଖରେ ଖୋଲିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଲାମାନଙ୍କୁ ଏକ ବାର୍ତ୍ତା ଦେଇଛନ୍ତି ।

ଖୋଲିଲା ସ୍କୁଲ, ପିଲାଙ୍କ ଖୁସିରେ ମୁଁ ବି ବହୁତ ଖୁସି: ମୁଖ୍ୟମନ୍ତ୍ରୀ

ସେ କହିଛନ୍ତି ଯେ, ସ୍କୁଲ ଖୋଲିବା ଖୁସିରେ ପିଲାମାନେ ଖୁସି, ପିଲାମାନଙ୍କ ଖୁସିରେ ସେ ନିଜେ ବି ବହୁତ ଖୁସି । ଆଜି ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ଦିନ। ପ୍ରାୟ ଦୁଇ ବର୍ଷ ପରେ ଆଜି ସ୍କୁଲ ଘଣ୍ଟା ବାଜିଲା ।

ପିଲାମାନେ ଆଜି ସ୍କୁଲ ଗଲେ । ମହାପ୍ରଭୁଙ୍କ ଆଶୀର୍ବାଦ, ଆପଣମାନଙ୍କ ସହଯୋଗ ଓ କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଯୋଗୁ ଏହା ସମ୍ଭବ ହୋଇପାରିଛି । ଗତ ଦୁଇ ବର୍ଷ ହେଲା କୋରୋନା ଯୋଗୁଁ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା ।

ସ୍କୁଲ ଖୋଲିବା ହେଉଛି ସ୍ବାଭାବିକ ଅବସ୍ଥା ଫେରିବାର ଶୁଭ ସୂଚନା ବୋଲି ସେ କହିଛନ୍ତ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପିଲାମାନେ ଦୁଇ ବର୍ଷ ହେଲା ତୁମେମାନେ ଘର ଭିତରେ ରହିଥିଲ। ସାଙ୍ଗସାଥି ଖେଳକୁଦ ସବୁ ବନ୍ଦ ଥିଲା ।

ମୁଁ ଜାଣେ ଆଜି ସ୍କୁଲ ଖୋଲିବା ନିଷ୍ପତ୍ତି ତୁମ ମାନଙ୍କୁ ବହୁତ ଖୁସି ଦେଇଛି । ତୁମ ମାନଙ୍କ ଖୁସିରେ ମୁଁ ବି ବହୁତ ଖୁସି । ପାଠପଢା ସହିତ ସାଙ୍ଗସାଥି, ନାଚଗୀତ, ଖେଳକୁଦ, ଖୁସି ମଜା ସବୁ କିଛି ଆଗଭଳି ଚାଲିବ ।

ଆମେ ପୁଣି ଆଗକୁ ବଢିବା ବୋଲି ସେ ପିଲାମାନଙ୍କୁ ଭରସା ଦେଇଛନ୍ତି। ସମସ୍ତଙ୍କ ସହଯୋଗରେ ଆମେ କୋରୋନାର ମୁକାବିଲା କରିପାରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରତି ଶହେ ବର୍ଷରେ ଥରେ ଏହିଭଳି ମହାମାରୀ ଆସେ ।

ଏଥିରେ ଆମର ଯୁବପିଢି ସବୁଠାରୁ ଅଧିକ ପ୍ରଭାବିତ ହୋଇଥାନ୍ତି । ପିଲାମାନଙ୍କୁ ଭୟ ନ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆମେ ସମସ୍ତେ ତୁମ ସାଥିରେ ଅଛୁ । କିନ୍ତୁ ତୁମକୁ ସତର୍କ ରହିବାକୁ ହେବ । ତୁମ ମାନଙ୍କୁ ମୋର ଅନୁରୋଧ, ତୁମେମାନେ କୋଭିଡ ଗାଇଡଲାଇନ ଠିକ୍‌ ଭାବରେ ପାଳନ କରିବ ।

ସ୍କୁଲ ସମୟରେ ଓ ବାହାରେ ମାସ୍କ ଠିକ୍‌ ଭାବରେ ପିନ୍ଧିବ । ବାରମ୍ବାର ସାବୁନରେ ହାତ ଧୋଇବ। କୋଭିଡ ନିୟମ ପାଳନରେ କେବେ ବି ହେଳା କରିବ ନାହିଁ। ପାଠପଢାରେ ଯାହା କିଛି କ୍ଷତି ହୋଇଛି ତାକୁ ପୂରଣ କରିବା ପାଇଁ ଆମେ ଦିନରାତି ପରିଶ୍ରମ କରିବା । ପିଲାମାନଙ୍କର କିଛି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି । ଏହି ଅବସରରେ ଶିକ୍ଷକ ମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ଆମ ସଂସ୍କୃତିରେ ଗୁରୁଙ୍କୁ ଆମେ ଭଗବାନ ଭାବରେ ସମ୍ମାନ କରୁ।

ଗୁରୁଙ୍କ ଆଶୀର୍ବାଦ, ମାର୍ଗଦର୍ଶନ ହିଁ ଜୀବନରେ ସଫଳତା ଆଣିଥାଏ। ଆପଣମାନେ ଜାଣନ୍ତି କୋଭିଡ ଯୋଗୁଁ ସବୁଠାରୁ ଅଧିକ କ୍ଷତି ହୋଇଛି ପିଲାମାନଙ୍କର ଓ ସେମାନଙ୍କ ପାଠପଢାର। ତେଣୁ ଆମେ ସମସ୍ତେ ମିଶି ସେ କ୍ଷତି ଭରଣା କରିବା ।

ମୋର ପୁରା ଭରସା, ଆପଣମାନଙ୍କ ଉପରେ ରହିଛି । କୋଭିଡ ଯୋଗୁଁ ପାଠପଢାରେ ଯେଉଁ କ୍ଷତି ହୋଇଛି, ତାକୁ ଆପଣମାନେ ହିଁ ପୂରଣ କରିପାରିବେ । ଆପଣମାନେ ସବୁବେଳେ କୋଭିଡ ନିୟମ ପାଳନ ପାଇଁ ମଧ୍ୟ ବିଶେଷ ଦୃଷ୍ଟି ଦିଅନ୍ତୁ ।’

ଏହାବି ପଢନ୍ତୁ :PM Modi on president address: କୋରୋନା ପ୍ରଥମ ଲହରରେ ପ୍ରବାସୀ ଶ୍ରମିକଙ୍କ ସଙ୍କଟ ବଢାଇଥିଲା କଂଗ୍ରେସ

ଶିକ୍ଷକ ମାନଙ୍କ ଦାୟିତ୍ବରେ ଏବେ ପିଲାମାନେ ରହିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପିଲାଙ୍କ ବିନା ସ୍କୁଲ ପ୍ରାଣହୀନ । ପିଲାଙ୍କ ବିନା ସ୍କୁଲର ଅର୍ଥ କିଛି ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବହୁ ଦିନ ପରେ ସ୍କୁଲ ଆଜି ପୁଣି ଚଳଚଞ୍ଚଳ ହୋଇଛି ।

ପିଲାଙ୍କ କୋଳାହଳରେ ସ୍କୁଲ ଆଜି ନୂଆ ଜୀବନ ପାଇଛି । ସ୍କୁଲ ପରିଚାଳନା ବୋର୍ଡକୁ ପିଲାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ପିତାମାତା ଓ ଅଭିଭାବକମାନେ ପିଲାଙ୍କୁ ସ୍କୁଲ ଛାଡନ୍ତୁ ଏବଂ ଭଲ ଭାବରେ ମାସ୍କ ପିନ୍ଧାଇ ଛାଡନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

କୋଭିଡ ଗାଇଡଲାଇନ ଠିକ୍‌ ଭାବରେ ପାଳନ କରିବା ପାଇଁ ପିଲାମାନଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ଅଭିଭାବକ ମାନଙ୍କୁ ଅନୁରୋଧ କରିଛନ୍ତି । ପିଲାଙ୍କ ଖୁସିରେ ପରିବାରର ଖୁସି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାନବ ଜାତି ଅନେକ ଆହ୍ବାନର ସମ୍ମୁଖୀନ ହୋଇଛି।

କିନ୍ତୁ ସବୁବେଳେ ସଫଳତାର ସହିତ ମୁକାବିଲା କରି ଆଗକୁ ବଢିଛି ବୋଲି ପ୍ରକାଶ କରି ସେ ପିଲାମାନଙ୍କର ମନୋବଳ ବୃଦ୍ଧି କରିଛନ୍ତି। ତୁମମାନଙ୍କ ପିଢି ମାନବ ଇତିହାସର ସବୁଠାରୁ କଠିନ ପରିସ୍ଥିତିକୁ ସାମ୍‌ନା କରିଛି । ଏବଂ ଭବିଷ୍ୟତ ଆହ୍ବାନର ମୁକାବିଲା ପାଇଁ ଏ ଅଭିଜ୍ଞତା ତୁମକୁ ସାହସ ଓ ଶକ୍ତି ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ପିଲାମାନଙ୍କ ଉପରେ ଦୃଢ ଆସ୍ଥା ପ୍ରକାଶ କରି କହିଛନ୍ତି ଯେ ‘ମୋର ପୁରା ବିଶ୍ବାସ, ତୁମେମାନେ, ତୁମମାନଙ୍କ ସଫଳତା ଦ୍ବାରା, ମାନବ ସମାଜକୁ ଆହୁରି ଉଜ୍ଜଳ ଭବିଷ୍ୟତ ଆଡକୁ ଆଗେଇ ନେବ।’

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Feb 7, 2022, 9:04 PM IST

ABOUT THE AUTHOR

...view details