ଭବାନୀପାଟଣା/ଭୁବନେଶ୍ବର:ଥୁଆମୂଳ ରାମପୁର ମା' ମାଣିକେଶ୍ବରୀ ପୀଠ ବିକାଶ କାର୍ଯ୍ୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । କଳାହାଣ୍ଡି ବିକାଶର ନୂଆ ପରିଚୟ ନେଇ ଆଗକୁ ବଢ଼ୁଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ମା' ମାଣିକେଶ୍ବରୀ ପୀଠ ବିକାଶ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି । ମାଣିକେଶ୍ବରୀ ବିକାଶ କାର୍ଯ୍ୟରେ ମୋଟ ଦୁଇ କୋଟି ଟଙ୍କା ଖର୍ଚ୍ଚ ହେବ ।
କଳାହାଣ୍ଡିର ବିକାଶ ପାଇଁ ଜିଲ୍ଲାରେ ୮୭ଟି ଭେଣ୍ଡିଂ ଜୋନ୍ ନିର୍ମାଣ କରାଯିବ । ଏଥିପାଇଁ ଖର୍ଚ୍ଚ ହେବ ୬୦ କୋଟି ଟଙ୍କା । ପଥପାର୍ଶ୍ବ ବିକ୍ରେତା ମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "କୋଭିଡ ପ୍ରତ୍ୟେକଙ୍କ ଜୀବନଜୀବିକା ଉପରେ ପ୍ରଭାବ ପକାଇଛି । ଆପଣମାନଙ୍କ କଷ୍ଟ ମୁଁ ଅନୁଭବ କରୁଛି। ମୁଁ କହିବାକୁ ଚାହେଁ ଯେ ସରକାର ସବୁବେଳେ ଆପଣମାନଙ୍କ ସାଥିରେ ଅଛନ୍ତି ।"