ଭୁବନେଶ୍ବର: ଉତ୍କଳ ଗୌରବ ମଧୁସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର (Museum & Interpretation Centre ) ଲୋକାର୍ପିତ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଠାରେ 'ଉତ୍କଳ ଗୌରବ ମଧୁସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର' ଲୋକାର୍ପିତ କରିଛନ୍ତି ।
ଲୋକାର୍ପିତ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମଧୁ ବାବୁ ଥିଲେ ଓଡିଆ ସ୍ବାଭିମାନର ପ୍ରତୀକ । ତାଙ୍କ ଜୀବନୀ ହେଉଛି ଓଡିଆ ସ୍ବାଭିମାନର ଗୌରବମୟ ଗାଥା । ଭିଡିଓ କନ୍ଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଉତ୍କଳ ଗୌରବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେ ପୁଣି କହିଛନ୍ତି, ସତ୍ୟଭାମାପୁର ସବୁ ଓଡିଆଙ୍କ ପାଇଁ ଏକ ତୀର୍ଥ କ୍ଷେତ୍ର । ଏହି ସଂଗ୍ରହାଳୟ ସମସ୍ତଙ୍କୁ ବିଶେଷ କରି ଯୁବପିଢିଙ୍କୁ ଓଡିଆ ସ୍ବାଭିମାନର ସୁରକ୍ଷା ପାଇଁ ପ୍ରେରଣା ଯୋଗାଇବ । ସତ୍ୟଭାମାପୁରକୁ ଏକ ଆଦର୍ଶ ଗ୍ରାମ ରୂପେ ବିକାଶ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଗ୍ରାମକୁ ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନସ୍ଥଳ ଭାବରେ ପରିଣତ କରିବା ପାଇଁ ସରକାରଙ୍କ ପଦକ୍ଷେପ ଜାରି ରହିବ । ମଧୁବାବୁଙ୍କ ଆଦର୍ଶରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ କରିବା ପାଇଁ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମଧୁବାବୁଙ୍କ ଜାତି ପ୍ରୀତି ଓ ତ୍ୟାଗର ତୁଳନା ନାହିଁ । ଓଡିଆ ଜାତି ପାଇଁ ମଧୁବାବୁ ତାଙ୍କର ସବୁ କିଛି ତ୍ୟାଗ କରିଯାଇଛନ୍ତି । ତାଙ୍କ ପାଇଁ ଓଡିଆ ସ୍ବାଭିମାନ ଥିଲା ସବୁଠୁ ଉପରେ । ତା ସହ ସେ କେବେବି ସାଲିସ କରିନାହାନ୍ତି । ଏ ଜାତି ପାଇଁ ତାଙ୍କର ଅବଦାନ ତାଙ୍କୁ ଓଡିଆଙ୍କ ହୃଦୟରେ ଯୁଗ ଯୁଗ ପାଇଁ ଅମର କରି ରଖିବ । ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଭାଷାକୁ ଭିତ୍ତିକରି ରାଜ୍ୟ ଗଠନ ପାଇଁ ମଧୁ ବାବୁଙ୍କ ଉଦ୍ୟମ, ତାଙ୍କର ଦୂର ଦୃଷ୍ଟିର ପରିଚୟ ଦିଏ । ସ୍ବାଧୀନତା ପରେ ଭାଷା ସୂତ୍ରରେ ହିଁ ଭାରତର ଅନେକ ରାଜ୍ୟ ଗଠିତ ହୋଇଛି । କିନ୍ତୁ ସେତେବେଳେ ଓଡିଶା ଥିଲା ଭାଷା ଭିତିରେ ଭାରତର ପ୍ରଥମ ରାଜ୍ୟ ।