ଭୁବନେଶ୍ବର: ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଯୋଗେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ପୌର ପରିଷଦ ଅଞ୍ଚଳ ପାଇଁ ୧୪ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପରେ 28କୋଟି ଟଙ୍କାରୁ ଊର୍ଦ୍ଧ୍ବ ବ୍ୟୟ ବରାଦ ରହିଛି । ଆଧୁନିକ ସହର ମାନଙ୍କରେ ମିଳୁଥିବା ବିଭିନ୍ନ ସୁବିଧା ହିଞ୍ଜିଳିବାସୀ ପାଇବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁର ନୂଆ ବସ ଟର୍ମିନାଲ, ବରିଷ୍ଠ ନାଗରିକଙ୍କ ପାଇଁ ଚିତ୍ତବିନୋଦନ କେନ୍ଦ୍ର, ପୌର ପରିଷଦ ଅତିଥି ଭବନ, ୧୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୀତଳ ଭଣ୍ଡାର, ଆର୍.ଏମ.ସି ମାର୍କେଟ କମ୍ପ୍ଲେକ୍ସ, ୧୩ କୋଟି ବ୍ୟୟରେ ନିର୍ମିତ ଉପଖଣ୍ଡ ଚିକିତ୍ସାଳୟର ନୂତନ କୋଠାକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । କୋଭିଡ ମହାମାରୀ ଯୋଗୁଁ ମୁଖ୍ୟମନ୍ତ୍ରୀ ବହୁତ ଦିନ ହେଲା ହିଞ୍ଜିଳି ଯାଇପାରି ନାହାଁନ୍ତି । ଏବେ ପରିସ୍ଥିତିରେ ଉନ୍ନତି ଆସିଥିବାରୁ ସେ ଖୁବଶୀଘ୍ର ହିଞ୍ଜିଳି ଗସ୍ତ କରି ଜନସାଧାରଣଙ୍କୁ ଭେଟିବେ ବୋଲି କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପିଲାମାନେ ହେଉଛନ୍ତି ଏ ଜାତିର, ଏ ଦେଶର ଭବିଷ୍ୟତ । ଶିକ୍ଷା ହେଉଛି ପରିବର୍ତ୍ତନର ଚାବିକାଠି । ଶିକ୍ଷା ହେଉଛି ପ୍ରକୃତ ସଶକ୍ତିକରଣ । ଏଣୁ ହିଞ୍ଜିଳିରେ ଶିକ୍ଷାର ବିକାଶ ଉପରେ ସେ ଗୁରୁତ୍ବ ଦେଇଆସିଛନ୍ତି ବୋଲି ପ୍ରକାଶ କରି ହିଞ୍ଜିଳିକୁ ଶିକ୍ଷା କ୍ଷେତ୍ରରେ ଏକ ଆଗୁଆ ଅଞ୍ଚଳ ଭାବେ ବିକଶିତ କରିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି । ଏହାସହିତ କୋଭିଡ ମହାମାରୀ ଯୁଦ୍ଧ ପାଇଁ ଜିଲ୍ଲାବାସୀଙ୍କୁ ପ୍ରଶଂସା କରିବା ସହିତ ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତିର କର୍ମଚାରୀ ଓ କୋଭିଡ ଯୋଦ୍ଧାଙ୍କୁ ପ୍ରଶଂସା କରିଛନ୍ତି ।