ଓଡିଶା

odisha

By

Published : Dec 15, 2020, 9:02 PM IST

ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜୀବିକା ଯୋଜନାର ସମୀକ୍ଷା, ମଜୁରୀ ଦେବାରେ ବିଳମ୍ବ କଲେ କଠୋର କାର୍ଯ୍ୟାନୁଷ୍ଠାନ

ଗରିବ ଲୋକଙ୍କ ପାଇଁ ରୋଜଗାର ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକତା । ଏ ନେଇ MGNREGA ଏବଂ ସହରାଞ୍ଚଳ ରୋଜଗାର ଯୋଜନା ଆଦିର କାର୍ଯ୍ୟକାରୀତା ସଂପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ..

ବିଭିନ୍ନ ଜୀବିକା ଯୋଜନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ , ମଜୁରୀ ଦେବାରେ ବିଳମ୍ବ କଲେ କଠୋର କାର୍ଯ୍ୟାନୁଷ୍ଠାନ
ବିଭିନ୍ନ ଜୀବିକା ଯୋଜନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ , ମଜୁରୀ ଦେବାରେ ବିଳମ୍ବ କଲେ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସବୁ ଜିଲ୍ଲାରେ ଜାରି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା ଏବଂ ସହରାଞ୍ଚଳ ରୋଜଗାର ଯୋଜନା ଆଦିର କାର୍ଯ୍ୟକାରୀତା ସଂପର୍କରେ ସମୀକ୍ଷା କରିଛନ୍ତି । ଏଥିରେ ଗରିବ ଲୋକଙ୍କ ପାଇଁ ରୋଜଗାର ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକତା ବୋଲି ଆହ୍ବାନ ଦେଇଛନ୍ତି ସିଏମ ।

ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜୀବିକା ଯୋଜନାର ସମୀକ୍ଷା, ମଜୁରୀ ଦେବାରେ ବିଳମ୍ବ କଲେ କଠୋର କାର୍ଯ୍ୟାନୁଷ୍ଠାନ

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ ମହାମାରୀ ଗତ ମାର୍ଚ୍ଚରୁ ଆମ ସମସ୍ତଙ୍କ ପାଇଁ ଏକ ଅଭୁତପୂର୍ବ ଆହ୍ବାନ ସୃଷ୍ଟି କରିଛି । ବିଶ୍ବର ଆର୍ଥିକ ଅଭିବୃଦ୍ଧି ନିମ୍ନଗାମୀ ହୋଇଛି ଏବଂ ଏହାଦ୍ବାରା ଗରିବ ଲୋକମାନେ ହିଁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଗରିବ ଲୋକଙ୍କ ପାଇଁ ଏହି ଦୁଃସମୟରେ ରୋଜଗାର ସୁନିଶ୍ଚିତ କରିବା ସରକାରଙ୍କର ପ୍ରାଥମିକତା । ରୋଜଗାର ଅଭାବରୁ ଯେପରି ଗୋଟିଏ ବି ପରିବାର କଷ୍ଟ ନ ପାଏ, ସେଥିପ୍ରତି ଧ୍ୟାନ ଦେବା ପାଇଁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି । MGNREGA ସହିତ ରାଜ୍ୟ ସରକାରଙ୍କର ନିଜସ୍ବ ଯୋଜନା ସହରାଞ୍ଚଳ ରୋଜଗାର ଯୋଜନା ଜରିଆରେ ଗରିବ ଲୋକଙ୍କୁ ବ୍ୟାପକ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏହି ଦୁଇ କାର୍ଯ୍ୟକ୍ରମ ଜରିଆରେ ଚଳିତ ଆର୍ଥକ ବର୍ଷ ଶେଷ ସୁଦ୍ଧା ୨୦ କୋଟି ମାନବ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଦୁଇ ଯୋଜନା ଜରିଆରେ ଜୀବିକା ଅର୍ଜନ କରୁଥିବା ଗରିବ ଲୋକଙ୍କ ମଜୁରୀ ପାଇବାରେ ବିଳମ୍ବ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି । ସେହିଭଳି ହିତାକାରୀମାନେ ଯେଭଳି ଠିକ୍‌ ସମୟରେ ସେମାନଙ୍କ ମଜୁରୀ ପାଇପାରିବେ, ତା ଉପରେ ଗୁରୁତ୍ବ ଦେବା ସହିତ ମୋ ସରକାର ପ୍ଲାଟଫର୍ମ ଜରିଆରେ ହିତାଧିକାରୀଙ୍କୁ ନିୟମିତ ଫୋନ୍‌ କରି ମଜୁରୀ ବିଷୟ ତଦାରଖ କରିବା ପାଇଁ ଜିଲ୍ଲାପାଳ ଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କେତେକ ଜିଲ୍ଲାରେ ହିତାଧିକାରୀଙ୍କୁ ଠିକ୍‌ ସମୟରେ ମଜୁରୀ ଲୋକଙ୍କୁ ମିଳୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି ।

2021 ଜାନୁଆରୀ ପହିଲାରୁ ପ୍ରତି ଜିଲ୍ଲାରେ ଏହି ରୋଜଗାର ଯୋଜନା ସଂପର୍କରେ ଫିଡବ୍ୟାକ ପାଇଁ ସ୍ବତନ୍ତ୍ର ଭାବରେ ମୋ ସରକାର ସେଲ୍ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । MGNREGA ଲକ୍ଷ୍ୟ ପୂରଣ ଦିଗରେ ଯାଜପୁର, କୋରାପୁଟ ସୋନପୁର ଜିଲ୍ଲା ବହୁତ ଭଲ କାମ କରିଥିବାରୁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଯେଉଁ ଜିଲ୍ଲା ଗୁଡିକରେ ଲୋକମାନେ ଅନ୍ୟ ରାଜ୍ୟକୁ କାମ ପାଇଁ ଯାଉଛନ୍ତି, ସେହିସବୁ ଜିଲ୍ଲା ଉପରେ ସ୍ବତନ୍ତ୍ର ଫୋକ୍‌ସ ଦିଆଯିବ । ଏହିସବୁ ଜିଲ୍ଲାରେ ପରିବାର ପିଛା ଅଧିକ ୧୦୦ ଦିନ ଓ ଅତିରିକ୍ତ ମଜୁରୀ ଦିଆଯିବା ସଂପର୍କରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ସେହିପରି ଆଗାମୀ ମାର୍ଚ୍ଚ ପୂର୍ବରୁ ୧୦୦୦ ମିଶନ ଶକ୍ତି ଗୃହ ଏବଂ ଜାନୁଆରୀ ଶେଷ ସୁଦ୍ଧା ଗୋଟିଏ ଲେଖାଏ ପରିଚୟ ଗୃହର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଜିଲ୍ଲାରେ ଅଧିକ ମା’ ମାନଙ୍କୁ ଓ ମିଶନ ଶକ୍ତି ଗୋଷ୍ଠୀ ମାନଙ୍କୁ ରୋଜଗାର ଯୋଜନା ତଦାରଖରେ ନିୟୋଜିତ କରାଯିବ, ସେହି ଜିଲ୍ଲା ମାନଙ୍କୁ ଉତ୍ସାହିତ କରାଯିବ । ସେହିପରି ସହରାଞ୍ଚଳ ରୋଜଗାର ଯୋଜନାରେ ଗରିବ ଲୋକମାନଙ୍କୁ ଗୋଷ୍ଠୀସଂଘ ଓ ମିଶନ ଶକ୍ତି ଜରିଆରେ କାମ ଦିଆଯାଉଛି ।

ଏହି ଦିଗରେ ଢେଙ୍କାନାଳ, ଜଗତସିଂହପୁର ଓ ମୟୁରଭଞ୍ଜ ଜିଲ୍ଲା ଭଲ କାମ କରିଥିବାରୁ ମୁଖ୍ୟମନ୍ତ୍ରୀ ସେହିସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଯୋଜନାରେ ଦିଆଯାଇଥିବା ଅର୍ଥକୁ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ ଭାବେ ବିନିଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି କି, ରାଜ୍ୟରେ ୨୦ କୋଟି ମାନବ ଦିବସ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପ୍ରଶାସନ ଗୁରୁତ୍ବ ଦେଇ କାର୍ଯ୍ୟ କରୁଛି । ଗ୍ରାମାଞ୍ଚଳରେ ୫୦ ଲକ୍ଷ ନାମମାତ୍ର ଚାଷୀ ଓ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ଅଧିକ ଜୀବିକା ସୃଷ୍ଟି କରିବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ମହାତ୍ମାଗାନ୍ଧୀ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ସଂପର୍କରେ ଉପସ୍ଥାପନା ରଖି ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂହ କହିଛନ୍ତି କି, ଏହି କାର୍ଯ୍ୟକ୍ରମରେ ଗତବର୍ଷ ମାତ୍ର ୨.୯୬ ଲକ୍ଷ ଜବ୍‌ କାର୍ଡ ଦିଆଯାଇଥିବା ବେଳେ ଚଳିତ ବର୍ଷ ୭.୨୬ ଲକ୍ଷ ଜବ୍‌ କାର୍ଡ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୧୪.୫୦ କୋଟି ମାନବ ଦିବସ ସୃଷ୍ଟି କରାଯାଇସାରିଛି ।

୩୧ ଲକ୍ଷ ପରିବାର ଓ ୫୧ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯାଇଛି । ଚଳିତ ବର୍ଷ ଦୈନିକ ହାରାହାରି ୧୦.୨୩ ଲକ୍ଷ ଲୋକଙ୍କୁ ଶ୍ରମଭିତ୍ତିକ ରୋଜଗାର ଯୋଗାଇ ଦିଆଯାଉଛି ବୋଲି ସେ ସୂଚନା ଦେଇଛନ୍ତି । ସେହିପରି ସହରାଞ୍ଚଳ ରୋଜଗାର ଯୋଜନା ସଂପର୍କରେ ସୂଚନା ଦେଇ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ୍‌ କହିଛନ୍ତି ଯେ ୧୧୪ଟି ପୌରାଞ୍ଚଳରେ ୮୦୦୦ଟି ପ୍ରକଳ୍ପ ହାତକୁ ନିଆଯାଇଛି । ସେଥିମଧ୍ୟରୁ ୫୦୦୦ଟି ପ୍ରକଳ୍ପ ଶେଷ ହୋଇଛି ଏବଂ ବାକି ସମସ୍ତ ପ୍ରକଳ୍ପ ବିଭିନ୍ନ ସ୍ତରରେ ରହିଛି । ବର୍ତ୍ତମାନ ସୁଦ୍ଧା ୧୧.୬ ଲକ୍ଷ ମାନବ ଦିବସ ସୃଷ୍ଟି ହୋଇଛି ବୋଲି ସେ କହିଥିଲେ । ଏହିସହିତ ମହାନଗର ନିଗମ ଗୁଡିକରେ ୩.୩ ଲକ୍ଷ ମାନବ ଦିବସ ସୃଷ୍ଟି କରାଯାଇ ପାରିଛି ବୋଲି ସେ ସୂଚନା ଦେଇଛନ୍ତି । ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କହିଲେ ଯେ ମିଶନ ଶକ୍ତିର ମା’ ମାନଙ୍କୁ ତଦାରଖ କାର୍ଯ୍ୟରେ ସକ୍ରିୟ ଭାବରେ ନିୟୋଜିତ କରାଯିବା ସହିତ ସେମାନଙ୍କ ତଦାରଖ ପ୍ରାପ୍ୟ ଅବିଳମ୍ବେ ଦେବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ

ABOUT THE AUTHOR

...view details