ଭୁବନେଶ୍ବର:ଦୁଇ ଓଡିଆ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ନିବାସରେ ଅନ୍ତର୍ଜାତୀୟ ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଓ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀୟଙ୍କାଙ୍କୁ ୨ ଲକ୍ଷ ଓ ଜୟନ୍ତୀଙ୍କୁ ୧୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଦୁଇ ବାଳିକା କ୍ରୀଡାବିତ୍ଙ୍କୁ ସେମାନଙ୍କର ସଫଳତା ପାଇଁ ଉଚ୍ଚପ୍ରଶଂସା କରିଛନ୍ତି । ସେମାନେ ରାଜ୍ୟ ପାଇଁ ଗୌରବ ଆଣିବା ସହ, ଅନ୍ୟ ଖେଳାଳିଙ୍କ ପାଇଁ ପ୍ରେରଣା ହୋଇଥିବା କହିଛନ୍ତି । ଏଥିସହ ଆଗାମୀ ଦିନରେ ଆହୁରି ଅଧିକ ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଶ୍ରୀୟଙ୍କା ନିକଟରେ କାଇରୋରେ ଅନୁଷ୍ଠିତ ISSF ବିଶ୍ବକପ୍ ସୁଟିଂ ପ୍ରତିଯୋଗୀତାରେ ୫୦ ମିଟର ରାଇଫଲ ୩ ପୋଜିସନ୍ରେ ବ୍ରୋଞ୍ଜ୍ ମେଡାଲ ପାଇଛନ୍ତି । ସେ ମଧ୍ୟ ବର୍ତ୍ତମାନ ଜାତୀୟ ସୁଟିଙ୍ଗ ଚାମ୍ପିୟନ ଭାବେ ସୁନାମ ଅର୍ଜନ କରିଛନ୍ତି । ସେହିପରି ଜୟନ୍ତୀ ବେହେରା ଦୁବାଇରେ ଅନୁଷ୍ଠିତ ବିଶ୍ବ ପାରା ଆଥଲେଟିକ୍ସ ପ୍ରତିଯୋଗୀତାରେ ୩ଟି ମେଡାଲ ହାସଲ କରିଛନ୍ତି । ୪୦୦ ଓ ୧୦୦ ମିଟର ପ୍ରତିଯୋଗୀତାରେ ସେ ବ୍ରୋଞ୍ଜ୍ ପଦକ ପାଇଥିବା ବେଳେ ୨୦୦ ମିଟର ପ୍ରତିଯୋଗୀତାରେ ରୌପ୍ୟ ପଦକ ପାଇଛନ୍ତି ।