ଭୁବନେଶ୍ବର: ଶ୍ରୀମନ୍ଦିରର ସୁରକ୍ଷା ଓ ଶ୍ରୀକ୍ଷେତ୍ର ଐତିହ୍ୟ ଜୋନ୍ର ବିକାଶ ପାଇଁ ସ୍ବେଚ୍ଛାକୃତ ଭାବେ ଜାଗା ଦେଇଥିବା 11ଟି ପରିବାରର ସଦସ୍ୟ ସମ୍ବର୍ଦ୍ଧିତ । ଆଜି (ବୁଧବାର) ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହ ଉପହାର ଆକାରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରୂପା ତାରକସୀର ପ୍ରତିମୂର୍ତ୍ତି ପ୍ରଦାନ କରିଛନ୍ତି ।
ଏହି ଅବସରରେ ସେମାନଙ୍କ ତ୍ୟାଗ ଓ ଅବଦାନର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି,‘ମୁଁ ବହୁତ ଖୁସି ଯେ ଆପଣମାନେ ମୋର ଅନୁରୋଧ ରକ୍ଷା କରିଛନ୍ତି। ଶ୍ରୀମନ୍ଦିରର ସୁରକ୍ଷା ପାଇଁ ନିଜ ଜାଗା ଦେଇଛନ୍ତି । ଆପଣମାନଙ୍କର ଅବଦାନ ପାଇଁ ଓଡିଶାବାସୀ ଆପଣମାନଙ୍କ ନିକଟରେ ଋଣୀ ।’
ଏଥି ସହିତ ଶ୍ରୀମନ୍ଦିରର ସୁରକ୍ଷା ଓ ଶ୍ରୀକ୍ଷେତ୍ରର ବିକାଶ ପାଇଁ ଏମାନଙ୍କର ତ୍ୟାଗକୁ ଆମର ଭବିଷ୍ୟତ ପୀଢି ସବୁଦିନ ପାଇଁ ମନେ ରଖିବ ବୋଲି ମଧ୍ୟ ସେ ଦର୍ଶାଇଛନ୍ତି । ଏହାସହ ଶ୍ରୀମନ୍ଦିର ଓଡିଆ ଜାତିର ଅମୂଲ୍ୟ ସମ୍ପତ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡିଆ ଜାତିର ବଡ ପରିଚୟ । ମହାପ୍ରଭୁଙ୍କ ପାଇଁ ଓ ତାଙ୍କ ମନ୍ଦିରର ସୁରକ୍ଷା ପାଇଁ ଆମେ କିଛି କରିପାରିଲେ ଆମ ଜୀବନ ଧନ୍ୟ ହେବ । ଯେଉଁମାନେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଜମି ଦେଉଛନ୍ତି ସେମାନଙ୍କ ପାଇଁ ରାଜ୍ୟ ସରକାର ବହୁତ ଭଲ ପ୍ୟାକେଜ କରିଛନ୍ତି । ଖୁସିର କଥା, 11 ଜଣ ବନ୍ଧୁ ଆଜି ଏହି ପ୍ୟାକେଜର ସୁଯୋଗ ନେଇଛନ୍ତି। ଅନ୍ୟମାନେ ମଧ୍ୟ ଏହାକୁ ମହାପ୍ରଭୁଙ୍କ ସେବା ଭାବି ଏହାର ସୁଯୋଗ ନିଅନ୍ତୁ ଓ ଶ୍ରୀମନ୍ଦିର ସୁରକ୍ଷା ପରି ମହାନ କାର୍ଯ୍ୟରେ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।