ସାମ୍ବାଦିକଙ୍କୁ ସମ୍ମୁଖ କୋଭିଡ ଯୋଦ୍ଧା ମାନ୍ୟତା
ସାମ୍ବାଦିକ କୋଭିଡ ଯୋଦ୍ଧା: ଘୋଷଣା କଲେ ନବୀନ, ଉପକୃତ ହେବେ 6944 କାର୍ଯ୍ୟରତ ସାମ୍ବାଦିକ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
12:36 May 02
ସାମ୍ବାଦିକଙ୍କୁ ସମ୍ମୁଖ କୋଭିଡ ଯୋଦ୍ଧା ମାନ୍ୟତା
12:04 May 02
ସାମ୍ବାଦିକ କୋଭିଡ ଯୋଦ୍ଧା: ଘୋଷଣା କଲେ ନବୀନ, ଉପକୃତ ହେବେ 6944 କାର୍ଯ୍ୟରତ ସାମ୍ବାଦିକ
ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ଲାଗି ଖୁସିର ଖବର । ସାମ୍ବାଦିକଙ୍କୁ ସମ୍ମୁଖ କୋଭିଡ ଯୋଦ୍ଧା ଭାବେ ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ରାଜ୍ୟରେ 6,944 କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ ।
ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଫ୍ରଣ୍ଟଲାଇନ କୋଭିଡ ୱାରିୟର୍ସ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆସିଥିବା ଏକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ସମୟରେ କାର୍ଯ୍ୟରତ ସାମ୍ବାଦିକମାନେ ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଛନ୍ତି । ଏହି ବିପଦ ସମୟରେ ନିଜ ଜୀବନକୁ ବାଜି ଲଗାଇ କୋଭିଡ ସମ୍ପର୍କିତ ଖବର ଲୋକଙ୍କୁ ଅବଗତ କରାଉଛନ୍ତି । ଏହି କୋଭିଡ ଯୁଦ୍ଧରେ ସାମ୍ବାଦିକ ମାନେ ବଡ଼ ଯୋଦ୍ଧା ହୋଇ ସରକାରଙ୍କୁ ସହଯୋଗ କରି ଆସୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ନିଷ୍ପତ୍ତିରେ ରାଜ୍ୟର 6,944 କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ ।
ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନା ଅଧୀନରେ ରାଜ୍ୟର ପ୍ରାୟ 6,944 କାର୍ଯ୍ୟରତ ସାମ୍ବାଦିକ ସାମିଲ ହୋଇଛନ୍ତି । ସେମାନେ ପ୍ରତ୍ୟେକ 2 ଲକ୍ଷ ଟଙ୍କା ସ୍ବାସ୍ଥ୍ୟ ବୀମା କଭର ପାଇଛନ୍ତି । ଏହା ବ୍ୟତୀତ କାର୍ଯ୍ୟରତ ସାମ୍ବାଦିକଙ୍କର କୋଭିଡରେ ଆକ୍ରାନ୍ତ ହୋଇ ମୃତ୍ୟୁ ହେଲେ ତାଙ୍କ ପରିବାର ଲୋକଙ୍କୁ 15 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଉଛି ।
କୋରୋନାର ପ୍ରକୋପ ଧୀରେ ଧୀରେ ପ୍ରଖର ହେବାରେ ଲାଗିଛି । କୋଭିଡରେ ସଂକ୍ରମିତ ହୋଇ ରାଜ୍ୟର ପ୍ରାୟ 20 ଜଣ କାର୍ଯ୍ୟରତ ସାମ୍ବାଦିକଙ୍କର ଦେହାନ୍ତ ହୋଇସାରିଛି । ଗତ ଶୁକ୍ରବାର ଦିନ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟର ଦେହାନ୍ତ ହୋଇଥିଲା । ଗତକାଲି ମଧ୍ୟ ବରିଷ୍ଠ ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କର ଅକାଳରେ ବିୟୋଗ ହୋଇଛି । ଏ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ