ଭୁବନେଶ୍ବର: ରାଜ୍ୟ ପରିବହନ ବିଭାଗ ସହଯୋଗରେ SIAM ଦ୍ଵାରା ଆୟୋଜିତ SAFE ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଡକ ସୁରକ୍ଷା, ପରିବେଶ ସମ୍ବନ୍ଧୀୟ ସମସ୍ୟା ଏବଂ ସମାଧାନ ବାଣ୍ଟିବା ପାଇଁ ଏହି ସମ୍ମିଳନୀ ଏକ ଉତ୍ତମ ଉତ୍ସବ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ସଡ଼କ ସୁରକ୍ଷା ସରକାରଙ୍କ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।
ସଡ଼କ ସୁରକ୍ଷା ସରକାରଙ୍କ ପ୍ରାଥମିକତା: ମୁଖ୍ୟମନ୍ତ୍ରୀ ରାଜ୍ୟ ପରିବହନ ବିଭାଗ ସହଯୋଗରେ ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ଉତ୍ପାଦକ (Society of Indian Automobile Manufacturers) ଦ୍ଵାରା SAFE ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ସଡକ ନିରାପଦା ବଢାଇବା ପାଇଁ ଆମେ ୪ଟି ରଣନୀତି ଆପଣେଇଛୁ । ତାହା ହେଉଛି କାର୍ଯ୍ୟକାରୀତା, ସଡକ ଇଞ୍ଜିନିୟରିଂ, ଶିକ୍ଷାରେ ଉନ୍ନତି ଏବଂ ଜରୁରୀକାଳୀନ ବ୍ୟବସ୍ଥା । ସଡକ ସୁରକ୍ଷା ପଦକ୍ଷେପଗୁଡ଼ିକରେ ରାଜ୍ୟର କାର୍ଯ୍ୟଦକ୍ଷତାକୁ ଦର୍ଶାଏ । ସଡକ ସୁରକ୍ଷା ଉପରେ ସୁପ୍ରିମକୋର୍ଟ କମିଟି ଦ୍ବାରା କରାଯାଇଥିବା ଅଡିଟ୍ ସମୟରେ ଓଡିଶା ୬୬ ପ୍ରତିଶତ ସ୍କୋର କରିଛି । ସଡକ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଉଚ୍ଚ ପ୍ରଦର୍ଶନକାରୀ ଶ୍ରେଣୀଭୁକ୍ତ ହୋଇଛି । ସୁପ୍ରିମକୋର୍ଟ କମିଟି ଆମର କିଛି ପଦକ୍ଷେପକୁ ସର୍ବୋତ୍ତମ ଅଭ୍ୟାସ ଭାବରେ ମୂଲ୍ୟାଙ୍କନ କରିଛନ୍ତି ଏବଂ ପଡୋଶୀ ରାଜ୍ୟମାନଙ୍କୁ ସୁପାରିଶ କରିବାକୁ ପରାମର୍ଶ ଦେଇଛନ୍ତି ।"
ସଡ଼କ ଦୁର୍ଘଟଣା ଆମ ସମସ୍ତଙ୍କ ପାଇଁ ଚିନ୍ତାର କାରଣ । ଆମ ରାଜ୍ୟ ସମେତ ସାରା ଦେଶରେ ସଡ଼କ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାନ୍ତି । ପରିବାର ଏବଂ ଆମ ଅର୍ଥନୀତି ଉପରେ ଏହାର ଗୁରୁତର ପ୍ରଭାବ ପକାଉଛି । ଆମର ସଡକକୁ ଅଧିକ ନିରାପଦ ତଥା ଉନ୍ନତ କରିବା ପାଇଁ ଅଟୋମୋବାଇଲ୍ ଉତ୍ପାଦନକାରୀମାନେ ଆମର ପଦକ୍ଷେପଗୁଡ଼ିକରେ ଭାଗିଦାରୀ ଜାରି ରଖିବେ । ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ସାହାଯ୍ୟ କରୁଥିବା ଲୋକଙ୍କ ପାଇଁ ଓଡ଼ିଶା ସରକାର ଏକ ପୁରସ୍କାର ଯୋଜନା ଆରମ୍ଭ କରିଛନ୍ତି । ଅଧିକରୁ ଅଧିକ ଲୋକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି, ଯାହାକି ଖୁସିର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, "ରାଜ୍ୟରେ ପ୍ରତିବର୍ଷ ପ୍ରାୟ ୭ ଲକ୍ଷ ନୂତନ ଯାନ ପଞ୍ଜିକୃତ ହେଉଛି । ସେମାନେ ଆମ ଅର୍ଥନୀତିରେ ବହୁତ ଅବଦାନ କରୁଛନ୍ତି । କିନ୍ତୁ ଦୁର୍ଘଟଣା ବୃଦ୍ଧି ପାଇଁ ଏହି ଅଭିବୃଦ୍ଧି କ୍ଷୂର୍ଣ୍ଣ ହେଉଛି ।" ତେବେ ଅଟୋମୋବାଇଲ୍ ନିର୍ମାତାମାନେ ନୂତନ ଏବଂ ନିରାପଦ ପ୍ରଯୁକ୍ତିବିଦ୍ୟା ଆଣିବେ ଏବଂ ରାସ୍ତାକୁ ଲୋକଙ୍କ ପାଇଁ ନିରାପଦ କରିବାରେ ସାହାଯ୍ୟ କରିବେ ବୋଲି ପରିବହନ ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହୋଣ୍ଡା ମୋଟର ସାଇକେଲର ସିଇଓ ଅତସୁସି ଓଗାତା, SIAM ଅଧ୍ୟକ୍ଷ ବିନୋଦ ଅଗ୍ରୱାଲ, ଟାଟା ମୋଟର୍ସର ଗ୍ଲୋବାଲ ହେଡ ସୁଶାନ୍ତ ନାଏକ, ଅଶୋକ ଲେଲାଣ୍ଡର ସଭାପତି ଏନ ଶ୍ରବନନ ମଧ୍ୟ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର