ଭୁବନେଶ୍ବର:ହକରଙ୍କୁ ମିଳିଲା ହକ । ରାଜ୍ୟରେ ପଞ୍ଜୀକୃତ ହକରଙ୍କ ପାଇଁ ସ୍ବତନ୍ତ୍ର କୋଭିଡ ସହାୟତାର (special COVID assistance to newspaper hawkers) ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ଖବରକାରଜ ହକରଙ୍କୁ ୬ ହଜାର ଲେଖାଏଁ କୋଭିଡ ସହାୟତା । ୨ଟି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଯୋଗାଇ ଦିଆଯିବ ଏହି ସହାୟତା । ଭିସି ଯୋଗେ ସହାୟତା କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଜିଲ୍ଲାସ୍ତରୀୟ ହକରଙ୍କ ପାଇଁ ୱାର୍କସିଡ ପ୍ରସ୍ତୁତ କରାଯିବ । ସମାଜରେ ସବୁବର୍ଗର ଲୋକଙ୍କ ବିକାଶ ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ । ହକରଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ହେଲେ ୨ଲକ୍ଷ ଟଙ୍କାର ସହାୟତା ମିଳିବ । ସ୍ବାଭାବିକ ମୃତ୍ୟୁ ହେଲେ ୧ ଲକ୍ଷ ଟଙ୍କା ସହାୟତା ଓ ଅକ୍ଷମ ହେଲେ ଦେଢ ଲକ୍ଷର ଟଙ୍କାର ସହାୟତା ପ୍ରଦାନ କରାଯିବ । ଉଭୟ ଅଙ୍ଗ ହରାଇଥିବା ହକରମାନଙ୍କୁ ୮୦ ହଜାର ଓ ଗୋଟିଏ ଅଙ୍ଗ ହରାଇଥିବା ହକରଙ୍କୁ ୪୦ ହଜାର ଟଙ୍କା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ସହୟତାରେ ୭୩୦୦ ପଞ୍ଜୀକୃତ ହକର ଉପକୃତ ହେବେ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪.୩୮ କୋଟି ଟଙ୍କା ଦିଆଯାଇଛି ।
ହକରଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ସେମାନଙ୍କୁ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିବା ସହିତ ଅଣସଂଗଠିତ କ୍ଷେତ୍ର ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିଛନ୍ତି । ଏହି ସହାୟତା ପାଇଁ ରାଜ୍ୟର ୭୩୦୦ ହକର ମାନଙ୍କ ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଡିଜିଟାଲ ଡାଟା ବେସ୍ ପ୍ରସ୍ତୁତ କରାଯାଇ ପଞ୍ଜୀକୃତ କରାଯାଇଛି । ପ୍ରତ୍ୟେକ ପଞ୍ଜୀକୃତ ହକର ୬୦୦୦ ଟଙ୍କା ଲେଖାଏ ସହାୟତା ପାଇଛନ୍ତି । ସମୁଦାୟ ୪ କୋଟି ୩୮ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏହା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି ।