ଭୁବନେଶ୍ବର:ପ୍ରକାଶ ପାଇଛି ଯୁକ୍ତଦୁଇ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷ ଛାତ୍ରଙ୍କ ପାସ୍ହାର ଠାରୁ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମୁଖମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ଯେ, "ଯୁକ୍ତଦୁଇ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି ।"
ସେପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୁକ୍ତଦୁଇ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, "ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା । ସମସ୍ତଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରୁଛି ।"
ବିଜ୍ଞାନରେ ପାସ୍ ହାର ୯୪ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ପାସ୍ ହାର ୮୯ ପ୍ରତିଶତ ରହିଛି । ଚଳିତ ବର୍ଷ ଦୁଇଟି ପଦ୍ଧତିରେ ମୂଲ୍ୟାଙ୍କନ ହୋଇଛି । ପ୍ରଥମ ବିକଳ୍ପ ଭାବରେ ପରିଷଦ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାରେ ନମ୍ବର ରଖିଛନ୍ତି । ଦ୍ଵିତୀୟରେ ପ୍ରତ୍ୟେକ ବିଷୟର ଶତକଡା ୮୦ ନମ୍ବର ପରିଷଦ ପରିଚାଳିତ ପରୀକ୍ଷା ଭିତ୍ତିରେ ଓ ଶତକଡା ୨୦ ଭାଗ ନମ୍ବର ସ୍କୁଲ ପରିଚାଳିତ କ୍ଵାର୍ଟର ଏଣ୍ଡ୍ ପରୀକ୍ଷା ଭିତ୍ତିରେ ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର