ଭୁବନେଶ୍ବର:ରାଜ୍ୟର ଅନୁଦାନପ୍ରାପ୍ତ ବିଭିନ୍ନ ଡିଗ୍ରୀ କଲେଜରେ 274 ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି । ଇଂରାଜୀରେ 156, ରାଜନୀତି ବିଜ୍ଞାନ 117 ଏବଂ ଗଣିତରେ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଲୋକସେବା ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇ ନବ ନିଯୁକ୍ତ ଅଧ୍ୟାପକଙ୍କୁ ଦିଗଦର୍ଶନ ଦେଇଛନ୍ତି।
ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ନିଯୁକ୍ତି ହେଲେ 274 ଅଧ୍ୟାପକ ସମାଜରେ ପରିବର୍ତ୍ତନ ପାଇଁ ଓଡ଼ିଶାକୁ ଦାୟିତ୍ୱବାନ ଯୁବବର୍ଗ ଆବଶ୍ୟକ । ସେଥିପାଇଁ ରାଜ୍ୟରେ ଶିକ୍ଷାର ମାନ ବଢାଇବା ଲାଗି ପ୍ରୟାସ କରୁଛନ୍ତି ରାଜ୍ୟ ସରକାର । ଗୁଣାତ୍ମକ ଶିକ୍ଷାର ରୂପାନ୍ତରଣ ପାଇଁ ମଧ୍ୟ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରହିଛି । କେବଳ ପୁସ୍ତକ ପାଠ୍ୟକ୍ରମ ମଧ୍ୟରେ ପିଲାଙ୍କୁ ସୀମିତ ନରଖିବାକୁ ନବନିଯୁକ୍ତ ଅଧ୍ୟାପକଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ନବ ନିଯୁକ୍ତ ଅଧ୍ୟାପକଙ୍କୁ ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମାଜିକ ଓ ରାଜନୈତିକ ପ୍ରସଙ୍ଗ ନେଇ ପିଲାଙ୍କୁ ବୁଝାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।
କଲେଜ ଶିକ୍ଷା କ୍ଷେତ୍ରରେ ଅଧ୍ୟାପକଙ୍କ ବଡ଼ ଭୂମିକା ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଇଂରାଜୀ ଜ୍ଞାନ ଥିଲେ ଆନ୍ତର୍ଜାତିକ ପ୍ରସଙ୍ଗ ବୁଝିବା ଛାତ୍ରଛାତ୍ରୀଙ୍କ ଲାଗି ସହଜ ହେବ । ଏନେଇ ଇଂରାଜୀ ଭାଷା ଶିକ୍ଷାରେ ଗୁଣବତ୍ତାକୁ ଗୁରୁତ୍ୱ ଦିଆଯାଇଛି । ଏହା ଦ୍ୱାରା ବିଶ୍ୱରେ ଆମ ଅର୍ଥନୀତିର ଅଭିବୃଦ୍ଧି ହୋଇପାରିବ । ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କ୍ରମାଗତ ଭାବେ ଉଚ୍ଚଶିକ୍ଷାର ଏକ କେନ୍ଦ୍ର ପାଲଟିଛି । ବୈଷୟିକ ଜ୍ଞାନଶୈଳୀ ଏବଂ ବୃତ୍ତିଗତ ଅନୁଷ୍ଠାନ ରାଜ୍ୟରେ ସେମାନଙ୍କ କେନ୍ଦ୍ର ଖୋଲୁଛନ୍ତି । ଯୁବକମାନେ ସମାଜକୁ ଗଢିବା ଓ ପରିବର୍ତ୍ତନରେ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ କୌଶଳ ଶିଖିବା ପାଇଁ ପାରମ୍ପରିକ ଡିଗ୍ରୀ ଶିକ୍ଷା ଜରୁରୀ ବୋଲି ସେ କହିଛନ୍ତି ।
ଏହି ବି ପଢନ୍ତୁ...ପ୍ରାୟୋଜିତ ପୁରସ୍କାର ହାତଉଛନ୍ତି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର: ମୋହନ
କାର୍ଯ୍ୟକ୍ରମରେ ଯୋଗ ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି ଯେ, ବିଭିନ୍ନ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜରେ ଖାଲି ଥିବା ପଦବୀ ପୂରଣ କରିବା ଲାଗି ପଦକ୍ଷେପ ନିଆଯାଉଛି । ଫଳରେ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ଅନୁପାତ ମଧ୍ୟରେ ସମନ୍ୱୟ ରହିବ । ଆମେ ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରର ସୁଯୋଗ ସୃଷ୍ଟି କରିବାକୁ ଚେଷ୍ଟା କରିଛୁ । ଯୁବବର୍ଗଙ୍କ ମାନସିକତାକୁ ପରଖି ଆଗକୁ ଅନୁପ୍ରାଣିତ କରିବା ଲାଗି ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଭି.କେ ପାଣ୍ଡିଆନ ନବ ନିଯୁକ୍ତ ଅଧ୍ୟାପକମାନଙ୍କ ସହିତ ଆଲୋଚନା କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର