ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି(ମଙ୍ଗଳବାର) ଭୁବନେଶ୍ବରର ଏକାମ୍ର ଅଞ୍ଚଳରେ ୧୦୩ କୋଟି ଟଙ୍କା ବିନିଯୋଗରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ଏକାମ୍ର ଅଞ୍ଚଳର ବିକାଶ ପାଇଁ ପୁରୁଣା ଭୁବନେଶ୍ବରରେ ୨୪ ଘଣ୍ଟିଆ ଗୁଣାତ୍ମକ ପାନୀୟ ଜଳ ଯୋଗାଣ, ଧଉଳି ଶାନ୍ତିସ୍ତୂପର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, କେଦାରଗୌରୀ ପାଣିର ବିଶୁଦ୍ଧକରଣ ଆଦି ଅନେକ ଗୁରୁତ୍ବପର୍ଣ୍ଣ ପ୍ରକଳ୍ପ ଆରମ୍ଭ କରାଯାଇଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲିଙ୍ଗରାଜ ଅଞ୍ଚଳକୁ ସୁନ୍ଦର କରି ଗଢି ତୋଳିବା ପାଇଁ ଏକାମ୍ର ଯୋଜନା ଜନସାଧାରଣଙ୍କ ସହଯୋଗରେ ଆରମ୍ଭ କରାଯାଇଛି । ଏହା ଶେଷ ହେଲେ ଭୁବନେଶ୍ବରର ଗରିମା ଆହୁରି ବୃଦ୍ଧି ପାଇବ । ପୁରୀ ପରେ ଭୁବନେଶ୍ବର ଏକାମ୍ର ଅଞ୍ଚଳରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ୟାପର ସୁବିଧା ପାଇବେ । କାର୍ଯ୍ୟକ୍ରମରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଜଳସେଚନ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଯୋଗ ଦେଇ ରାଜ୍ୟର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦୃଢ ନେତୃତ୍ବର ଉଚ୍ଚ ପ୍ରଶଂସା କରିଛନ୍ତି ।
ଓଡି଼ଶାର ବିକାଶ ପାଇଁ ଯେଉଁ ସବୁ ପଦକ୍ଷେପ ନିଆଯାଇଛି ଓ ଯୋଜନା କରାଯାଇଛି, ତାକୁ ଆନ୍ତର୍ଜାତିକ ସ୍ତରର ସ୍ବୀକୃତି ମିଳିଛି ବୋଲି ସେମାନେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ BMC କମିଶନର ସଂଜୟ ସିଂହ, ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।