ଭୁବନେଶ୍ବର: ସଂସଦର ଆଗାମୀ ଅଧିବେଶନ ଲାଗି ଆଜି ବସିଥିଲା ବିଜେଡିର ସଂସଦୀୟ ଦଳ ବୈଠକ । ଭିସି ଜରିଆରେ ବସିଥିବା ବୈଠକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ କରିଛନ୍ତି । ରାଜ୍ୟର ସ୍ୱାର୍ଥ ସମ୍ବଳିତ ସମସ୍ତ ପ୍ରସଙ୍ଗକୁ ସଂସଦରେ ଜୋରଦାର ଉପସ୍ଥାପନ କରିବା ପାଇଁ ନବୀନ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦବୀକୁ ମନୋନୀତ ହୋଇଛନ୍ତି । ଏହା ବାସ୍ତବରେ ଆମ ରାଜ୍ୟ ପାଇଁ ସମ୍ମାନ ଓ ଗର୍ବର ବିଷୟ । ଓଡିଶାବାସୀ ଏବଂ ବିଜେଡି ତରଫରୁ ଆସନ୍ତା 18 ରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ର୍ନିବାଚନରେ ତାଙ୍କ ପ୍ରାର୍ଥୀତ୍ୱକୁ ପୂର୍ଣ୍ଣ ସମର୍ଥନ ଦେବା ଜରୁରୀ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ମେ 30 ରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ସମୟରେ ରାଜ୍ୟର ସ୍ୱାର୍ଥ ସମ୍ପର୍କରେ ଅନେକ ଆଲୋଚନା କରିଛି । ସମସ୍ତ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଛି । ସଂପୃକ୍ତ ମନ୍ତ୍ରଣାଳୟ ସହିତ ସମସ୍ତ ବିଚାରାଧୀନ ପ୍ରସଙ୍ଗଗୁଡିକ ଗ୍ରହଣ କରିବାକୁ କହିଛି । ଯାହା ଦ୍ୱାରା ଏଗୁଡିକ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସମାଧାନ ହୋଇପାରିବ । ପ୍ରଧାନମନ୍ତ୍ରୀଙ୍କୁ 2021/22 ଖରିଫ ଋତୁ ପାଇଁ ରାଜ୍ୟରୁ 5 ଲକ୍ଷ ମେଟ୍ରିକ ଟନ୍ ବଳକା ଭିଟାମିନ୍ ଯୁକ୍ତ ଉଷୁନା ଚାଉଳ ଉଠାଇବା, 58% ଗ୍ରେଡରୁ କମ ମାନର ଲୁହାପଥର ଏବଂ ପେଲେଟ ଉପରେ ରପ୍ତାନି ଶୁଳ୍କ ପ୍ରତ୍ୟାହାର, ଫନି ପ୍ରଭାବିତ ପରିବାର ପାଇଁ 1.84 ଲକ୍ଷ ପିଏମ୍ଏୱାଇ ମଞ୍ଜୁର ଏବଂ ଆୱାସ + ଜରିଆରେ 5.09 ଲକ୍ଷ ତଥ୍ୟ ଆରଏଚ ପୋର୍ଟାଲରୁ ପିଡବ୍ଲ୍ୟୁଏଲ୍କୁ ସ୍ଥାନାନ୍ତର ଏବଂ 2022/23 ପରଠାରୁ ଡିଏମଏଫ ଟ୍ରଷ୍ଟକୁ ଆୟକର ଶୁଳ୍ପ ଛାଡ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଛି ।