ଓଡିଶା

odisha

ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା; ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ଗୁଲାବର ସମୀକ୍ଷା କରିଛନ୍ତି । ଭିଡିଓ କନ୍‌ଫରେନ୍ସିଂ ଯୋଗେ ଦିଲ୍ଲୀରୁ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା; ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ
ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା; ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ

By

Published : Sep 26, 2021, 2:07 PM IST

Updated : Sep 26, 2021, 2:19 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ଗୁଲାବର ସମୀକ୍ଷା କରିଛନ୍ତି । ଭିଡିଓ କନ୍‌ଫରେନ୍ସିଂ ଯୋଗେ ଦିଲ୍ଲୀରୁ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଛନ୍ତି । ଏହା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକାତା ଠାରୁ ଅଧିକ ଆଗକୁ ଯାଇ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଅପରାହ୍ନ ସୁଦ୍ଧା ଗୁଲାବ ପ୍ରଭାବିତ ଜିଲ୍ଲା ମାନଙ୍କର ତଳିଆ ତଥା ବନ୍ୟାପ୍ରବଣ ସ୍ଥାନ ଏବଂ କଚ୍ଚା ଘର ମାନଙ୍କରୁ ଲୋକମାନଙ୍କୁ ସ୍ଥାନାନ୍ତର କରିଯିବ ।

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା; ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ

ଏହା ସହିତ ଭୂସ୍ଖଳନ ସମ୍ଭାବନା ଥିବା ଅଞ୍ଚଳରେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଏହି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ଆସ୍କା, ଗୁଡାରୀ, ଗୁଣପୁର, କଡିନଗର ଏବଂ ପୁରୁଷୋତ୍ତମପୁର ତଥା ଅନ୍ୟ ବନ୍ୟା ପ୍ରବଣ ଗାଁ ମାନଙ୍କରେ ଥିବା ବନ୍ଧବାଡ ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବାତ୍ୟା ଆଶ୍ରୟସ୍ଥଳ ଗୁଡିକରେ ଭଲ ପିଇବା ପାଣି ସମେତ ସବୁପ୍ରକାର ମୌଳିକ ବ୍ୟବସ୍ଥା ଗ୍ରହଣ କରାଯିବ । ଗର୍ଭବତୀ, ବୟସ୍କ ଓ ଶିଶୁ ମାନଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

ବାତ୍ୟା ପରେ ପରେ ରାସ୍ତା ସଫା କରିବା, ବିଦ୍ୟୁତ ଓ ଜଳଯୋଗାଣ ବ୍ୟବସ୍ଥାର ପୁନରୁଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଆଗୁଆ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମାଇକ ଯୋଗେ ଲୋକଙ୍କୁ ସଚେତନ କରିବା ସହ ସ୍ଥାନାନ୍ତର ଆଶ୍ରୟସ୍ଥଳ ପରିଚାଳନା ତଥା ପୁନରୁଦ୍ଧାର କାର୍ଯ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନ,ମିଶନ ଶକ୍ତି ଗୋଷ୍ଠୀ, NGO ଓ ସ୍ବଚ୍ଛାସେବୀମାନଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀ ଗସ୍ତରେ ଥିବା ୫-ଟି ସଚିବ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଜଳସଂପଦ ବିଭାଗର ପ୍ରମୁଖ ସଚିବ, ଶକ୍ତି ବିଭାଗର ପ୍ରମୁଖ ସଚିବ, ମତ୍ସ୍ୟ ଓ ପଶୁସଂପଦ ବିଭାଗର ସଚିବ ଓ ପ୍ରଭାବିତ ୧୧ଟି ଜିଲ୍ଲାର ଜିଲ୍ଲାପାଳ ମାନେ ବୈଠରେ ଭାଗ ନେଇଥିଲେ । ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟର ଜିଲ୍ଲାପାଳ ଜିଲ୍ଲାର ପରିସ୍ଥିତି ଏବଂ ବାତ୍ୟାର ମୁକାବିଲା ପାଇଁ ନିଆଯାଇଥିବା ଆଗୁଆ ପଦକ୍ଷେପ ଓ ସେମାନଙ୍କର ଆବଶ୍ୟକତା ସଂପର୍କରେ ବୈଠକରେ ଜଣାଇଛନ୍ତି ।

୪୨ଟି ଓଡ୍ରାଫ ଓ ୨୪ ଟି NDRF ଓ ୧୦୩ଟି ଅଗ୍ନିଶମ ଦଳ ନିୟୋଜିତ

ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପରିସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ପ୍ରଭାବିତ ଜିଲ୍ଲା ଗୁଡିକରେ ୪୨ଟି ଓଡ୍ରାଫ, ୨୪ ଏନଡିଆରଏଫ, ୧୦୩ ଅଗ୍ନିଶମ ଦଳ ମୁତୟନ କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳ ମାନଙ୍କରେ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା ସହିତ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଉଛି । ଏହି ବାତ୍ୟା ଦ୍ବାରା ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ଏହି ଜିଲ୍ଲାଗୁଡିକ ସହିତ କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡିର କିଛି ଅଞ୍ଚଳରେ ପ୍ରବଳକୁ ପ୍ରବଳତର ବର୍ଷା ହେବ । ଏହା ସହ ଖୋର୍ଦ୍ଧା, ପୁରୀ ଓ ନୟାଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । କେତେକ ସ୍ଥାନରେ ଭୂସ୍ଖଳନ ହେବାର ସଂଭାବନା ରହିଛି ବୋଲି ସେ ସତର୍କ କରାଇଛନ୍ତି । ଆଜି ଅପରାହ୍ନ ୪ଟି ସୁଦ୍ଧା ସ୍ଥାନାନ୍ତର କାର୍ଯ୍ୟ ଶେଷ କରାଯିବ ବୋଲି ସେ ମୁଖ୍ୟମନ୍ତ୍ରୀ ଅବଗତ କରାଇଥିଲେ ।

ଆସନ୍ତାକାଲି ପ୍ରଭାବିତ ୧୧ଟି ଜିଲ୍ଲାର ସ୍କୁଲ ବନ୍ଦ ରହିବ:-

ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ପ୍ରଭାବିତ ୧୧ ଗୋଟି ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏ ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ମାନେ ସ୍ଥାନୀୟ ପରିସ୍ଥିତିକୁ ବିଚାରକୁ ନେଇ ସ୍କୁଲ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସ୍ଥାନାନ୍ତର ଓ କୋଭିଡ଼ ନିୟମ ପାଳନରେ ସହଯୋଗ ପାଇଁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ:-

ବାତ୍ୟା ୟାସ୍‌ ପରବର୍ତ୍ତୀ ସମୟରେ ଯେପରି ପ୍ରଭାବିତ ଅଞ୍ଚଳ ମାନଙ୍କରେ କୋଭିଡ ସଂଖ୍ୟା ବୃଦ୍ଧି ଘଟିଥିଲା । ତାକୁ ଦୃଷ୍ଟିରେ ରଖି ବାତ୍ୟା ଆଶ୍ରୟସ୍ଥଳ ମାନଙ୍କରେ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରାଯିବ । ଏହା ସହ ମାସ୍କ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଯଥା ନିରାପଦ ସ୍ଥାନକୁ ସ୍ଥାନାନ୍ତର ଏବଂ କୋଭିଡ ନିୟମ ପାଳନ ଆଦି ବିଷୟରେ ପୂର୍ଣ୍ଣ ସହଯୋଗ କରବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ ,ଇଟିଭି ଭାରତ

Last Updated : Sep 26, 2021, 2:19 PM IST

ABOUT THE AUTHOR

...view details