ଓଡିଶା

odisha

ETV Bharat / city

3 ହସ୍ପିଟାଲ ପାଇଁ ବଡ ଘୋଷଣା: ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମଗାର - ହସ୍ପିଟାଲରେ ଭିତ୍ତିଭୂମି ପାଇଁ ସୁବିଧା ଯୋଗାଇବେ ରାଜ୍ୟ ସରକାର

'ମୋ ସରକାର' କାର୍ଯ୍ୟକ୍ରମର ସମୀକ୍ଷା ପରେ 3ଟି ଜିଲ୍ଲାର ଚିକିତ୍ସାଳୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ଏଥିପାଇଁ ସମୁଦାୟ 400 କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 14, 2019, 9:12 PM IST

Updated : Oct 14, 2019, 9:21 PM IST

ଭୁବନେଶ୍ବର: 'ମୋ ସରକାର' କାର୍ଯ୍ୟକ୍ରମର ସମୀକ୍ଷା ପରେ 3ଟି ଜିଲ୍ଲା ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । କାର୍ଯ୍ୟକ୍ରମ ଆରମ୍ଭର ମାତ୍ର 10 ଦିନ ମଧ୍ୟରେ 120 ଜଣଙ୍କ ସହ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ବେଶ ଉତ୍ସାହଜନକ ଥିବା କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବିଶେଷ କରି ରାଜ୍ୟରେ ଥିବା ବିଭିନ୍ନ ଥାନା ଓ ହସ୍ପିଟାଲ ଉପରେ ଫୋକସ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଶେଷ କରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ମାଲକାନଗିରି ଜିଲ୍ଲା ମୁଖ୍ୟ ହସ୍ପିଟାଲର ଡାକ୍ତରଙ୍କ ରହଣି ପାଇଁ ଟ୍ରାଞ୍ଜିଟ୍ ହୋମ(ଗେଷ୍ଟହାଉସ)ର ବ୍ୟବସ୍ଥା କରାଯିବା ସହ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ରହଣୀର ବ୍ୟବସ୍ଥା କରାଯିବ । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବେଡ ସଂଖ୍ୟା 200କୁ ବୃଦ୍ଧି କରିବା ସହ ଦୈନିକ ମାଲକାନଗିରିରୁ ମୋଟୁକୁ ବସ ଯାତାୟତ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

କୋରାପୁଟ ମେଡିକାଲ କଲେଜ ପାଇଁ 500 ବେଡର ଯୋଜନା ପ୍ରସ୍ତୁତ ହୋଇଛି । ଆଗାମୀ ଦୁଇ ବର୍ଷ ମଧ୍ୟରେ କଲେଜରେ 700 ଶଯ୍ୟା ବୃଦ୍ଧି କରିବାକୁ ଲକ୍ଷ୍ୟ ରହିଛି । ଏଥିସହିତ ମଧ୍ୟବର୍ତ୍ତୀକାଳୀନ ପଦକ୍ଷେପ ସ୍ବରୂପ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ରହଣୀ ବ୍ୟବସ୍ଥା, ଷ୍ଟାଫ୍‌ କ୍ବାର୍ଟର, ଟ୍ରାଞ୍ଜିଟ ହୋମ କରାଯିବ । ଏତତବ୍ୟତୀତ 5 ଆମ୍ବୁଲାନ୍ସ ଓ 3ଟି ମହାପ୍ରୟାଣ ଗାଡି ଦିଆଯିବା ନେଇ ଘୋଷଣା ହୋଇଛି । ସେହିପରି କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବେଡ ସଂଖ୍ୟା 250କୁ ବୃଦ୍ଧି କରାଯିବ । ନୂଆ ୱାର୍ଡ, ଷ୍ଟାଫ୍‌ କ୍ବାର୍ଟର, ବିଶ୍ରାମଗାର, 2ଟି ଆମ୍ବୁଲାନ୍ସ ମଧ୍ୟ ଦିଆଯିବ ।


ନବରଙ୍ଗପୁର ଜିଲ୍ଲା ହସ୍ପିଟାଲର ବେଡ଼ ସଂଖ୍ୟା 200କୁ ବୃଦ୍ଧି ହେବା ସହ ଆଉ ଏକ ନୂଆ ହସ୍ପିଟାଲ ପାଇଁ ବିଲ୍ଡିଂ ନିର୍ମାଣ କରାଯିବ । ରୋଗୀଙ୍କ ସମ୍ପର୍କୀୟଙ୍କ ରହଣୀ ପାଇଁ ବ୍ୟବସ୍ଥା, 3ଟି ଲେଖାଁଏ ଆମ୍ବୁଲାନ୍ସ ଓ ମହାପ୍ରୟାଣ ଗାଡି ମଧ୍ୟ ଦିଆଯିବ । ଏହାଛଡା ରାଜ୍ୟରେ ସର୍ବମୋଟ 4ଟି ରୋଗୀ କଲ୍ୟାଣ ସମିତି ଥିବାବେଳେ ପ୍ରତ୍ୟେକ ସମିତିକୁ 15 ଲକ୍ଷ ଟଙ୍କା ସହାୟତା ଦିଆଯିବ । ସେହିପରି 'ରକ୍ତ ଦାନ' କାର୍ଯ୍ୟକ୍ରମ ବାବଦରେ ସବୁ ଜିଲ୍ଲାର ଏସପିଙ୍କୁ 10 ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ସୂଚନାନୁସାରେ, ମହାତ୍ମାଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ 10 ଦିନ ପୂର୍ବରୁ ଆରମ୍ଭ ହୋଇଥିଲା 'ମୋ ସରକାର' କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଆରମ୍ଭ ପରେ 5'ଟି' ସଚିବ ଭି କେ ପାଣ୍ଡିଆନ ଓ ତାଙ୍କ ଟିମ୍ ବିଭିନ୍ନ ମେଡିକାଲ ପରିଦର୍ଶନ କରି ସ୍ଥିତି ପରଖିଥିଲେ । 5'ଟି' ର ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ ସୋମବାର ଏହି 3ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ମେଡିକାଲ ପାଇଁ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଘୋଷଣାରେ ସମୁଦାୟ 400କୋଟିର ବ୍ୟୟ ବରାଦ ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Oct 14, 2019, 9:21 PM IST

ABOUT THE AUTHOR

...view details