ଭୁବନେଶ୍ବର:ଆଜି ୭୫ତମ ସ୍ବାଧୀନତା ଦିବସ । ଏନେଇ ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ପାଳିତ ହୋଇଯାଇଛି ରାଜ୍ୟସ୍ତରୀୟ ୭୫ତମ ସ୍ବାଧୀନତା ଦିବସ । ଏହି ଅବସରରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ।
ବିରପୁତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଅନ୍ୟ ବୀରପୁତ୍ର ମାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦେଶର ଅଖଣ୍ଡତା ଓ ଶାନ୍ତି ରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଜବାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହା ସହ କରୋନା ଲଢେଇରେ ଶହୀଦ ହୋଇଥିବା ରାଜ୍ୟର କୋଭିଡ ଯୋଦ୍ଧା ମାନଙ୍କ ପ୍ରତି ମଧ୍ୟ ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଓଡିଶାର ଗୌରବମୟ ଭବିଷ୍ୟତ ଉପରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଓଡିଶା ବିଭିନ୍ନ କ୍ଷେତ୍ରରେ ବିକାଶର ନୂଆ ନୂଆ ମାଇଲଷ୍ଟୋନ ହାସଲ କରୁଛି । ସମସ୍ତଙ୍କ ସହଯୋଗରେ ଓଡିଶା ଆଗାମୀ ଦିନରେ ତାର ପରିଚୟକୁ ଆହୁରି ଉଜ୍ଜଳ କରିପାରିବ ବୋଲି ଦୃଢ ଆଶା ପୋଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।
କୋଭିଡ ସମୟରେ ୧୭ଟି ରାଜ୍ୟକୁ ଅକ୍ସିଜେନ ଯୋଗାଇଛି ଓଡିଶା
କୋଭିଡ ମହାମାରୀକୁ ବିଶ୍ବ ଇତିହାସର ସବୁଠାରୁ ବଡ ସ୍ବାସ୍ଥ୍ୟ ସମସ୍ୟା ଭାବରେ ଉଭା ହୋଇଛି । ଏହାର ମୁକାବିଲାରେ ମାନବ ଜାତି ନିଶ୍ଚୟ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । କୋଭିଡ ସମୟରେ ଦେଶର ୧୭ଟି ରାଜ୍ୟକୁ ଦୁଇ ମାସ ଧରି ମେଡିକାଲ ଅକ୍ସିଜେନ ନିରନ୍ତର ଭାବରେ ଯୋଗାଇଛି । ଫଳରେ ଓଡିଶା ବହୁ ମୂଲ୍ୟବାନ ଜୀବନ ବଞ୍ଚାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହା ଓଡିଶା ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି ।
ନୂଆ ରୂପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା
ରାଜ୍ୟରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ ଏକ ଐତିହାସିକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ସାରା ଓଡିଶା ମୋ ପରିବାର । ମୋ ପାଇଁ ପ୍ରତି ଜୀବନ ମୂଲ୍ୟବାନ । ଯେତେବେଳେ ଲୋକମାନେ ଚିକିତ୍ସା ପାଇଁ ଜମି ବିକିବା, ସୁନା ବିକିବା ଓ ପିଲାଙ୍କ ପାଠ ବନ୍ଦ କରିବା ଖବର ମିଳେ, ସେତେବେଳେ ମୋତେ ବହୁତ କଷ୍ଟ ଲାଗେ । ଲୋକଙ୍କର ଏହି ଦୁଃଖ ଦୂର କରିବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନୂଆ ରୂପରେ ଲାଗୁ କରାଯିବ ବୋଲି ମୁଁ ଘୋଷଣା କରୁଛି ।
ରାଜ୍ୟର ସାଢେ ତିନି କୋଟି ଲୋକ ପାଇବେ ସ୍ମାର୍ଟ ହେଲ୍ଥ କାର୍ଡ
ରାଜ୍ୟରେ ୯୬ ଲକ୍ଷ ପରିବାର ପାଇବେ ସ୍ମାର୍ଟ ହେଲ୍ଥ କାର୍ଡ । ଫଳରେ ସାଢେ ତିନି କୋଟି ଲୋକ ଉପକୃତ ହେବେ । ସାରା ଓଡିଶାରେ ପର୍ଯ୍ୟାୟକ୍ରମେ ଏହି କାର୍ଡ ଦିଆଯିବ । ଏଭଳି ସ୍ମାର୍ଟ ହେଲ୍ଥ କାର୍ଡ ଦେବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ।