ଓଡିଶା

odisha

By

Published : Jul 28, 2020, 8:34 PM IST

ETV Bharat / city

କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ ହେଲେ 50 ଲକ୍ଷ ସହାୟତା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କୋଭିଡ ଡ୍ୟୁଟି ସମୟରେ ପ୍ରାଣ ହରାଉଥିବା କୋଭିଡ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ପୁଣି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋଭିଡ ଯୋଦ୍ଧାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ସହାୟତା
କୋଭିଡ ଯୋଦ୍ଧାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କୋଭିଡ-୧୯ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । କୋଭିଡ ଡ୍ୟୁଟିରେ ପ୍ରାଣ ହରାଉଥିବା କୋଭିଡ ଯୋଦ୍ଧାଙ୍କ ନିକଟତମ ଆତ୍ମୀୟଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ସହାୟତା କୋଭିଡ ଯୁଦ୍ଧରେ ନିୟୋଜିତ କର୍ମଚାରୀ ଓ ଜନପ୍ରତିନିଧିଙ୍କ (ସରପଞ୍ଚ ଓ ଅନ୍ୟ ପ୍ରତିନିଧି) ନିକଟତମ ଆତ୍ମୀୟମାନେ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସେହିପରି କୋଭିଡ-୧୯ ଡ୍ୟୁଟି ସମୟରେ ପ୍ରାଣ ହରାଇଥିବା ଅଙ୍ଗନବାଡି ଓ ଆଶାକର୍ମୀଙ୍କ ନିକଟତମ ଆତ୍ମୀୟମାନେ ଯଥାକ୍ରମେ ମାସିକ ୭୫୦୦ ଟଙ୍କା ଏବଂ ୫୦୦୦ ଟଙ୍କା ଲେଖାଏଁ ସହାୟତା ପାଇବେ । ମୃତ ଅଙ୍ଗନବାଡି ଓ ଆଶାକର୍ମୀମାନେ ବଞ୍ଚିଥିଲେ ସେମାନଙ୍କୁ ଯେବେ ୬୦ ବର୍ଷ ହୋଇଥାନ୍ତା, ସେପର୍ଯ୍ୟନ୍ତ ଏହି ସହାୟତା ସେମାନଙ୍କ ପରିବାରବର୍ଗଙ୍କୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଭଳି ଦୁଃଖଦ ଘଟଣା କ୍ଷେତ୍ରରେ ଯୋଦ୍ଧାମାନଙ୍କ ପରିବାର ଯେପରି ଅବିଳମ୍ବେ ସହାୟତା ରାଶି ପାଇପାରିବେ, ସେଥିପାଇଁ ତ୍ବରିତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ଅଣ-କୋଭିଡ ରୋଗୀମାନେ ବିଭିନ୍ନ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ପାଉ ନଥିବାର କେତେକ ଅଭିଯୋଗ ଆସୁଥିବାରୁ, ସେମାନଙ୍କ ଚିକିତ୍ସାରେ ଯେପରି ସାମାନ୍ୟତମ ଅବହେଳା ନହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ରାଜ୍ୟରେ ଆମ୍ବୁଲାନ୍‌ସ ନେଟୱାର୍କକୁ ସୁଦୃଢ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରୋଗୀଙ୍କ ଜୀବନ ବଞ୍ଚାଇବା ଆମର ପ୍ରାଥମିକତା । ଆମର ସବୁ ପଦକ୍ଷେପକୁ ଏହା ଉପରେ କେନ୍ଦ୍ରୀତ କରିବା ।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି କୋଭିଡ ପରିଚାଳନାରେ ପ୍ରଶାସନର ଆଗୁଆ ପ୍ରସ୍ତୁତି ଏବଂ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ ଏହି ମହାମାରୀକୁ ନିୟନ୍ତ୍ରଣ କରିବାରେ ଫଳପ୍ରଦ ଭୂମିକା ଗ୍ରହଣ କରିଛି । ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ନଥିବା ସ୍ବଳ୍ପ ଓ ମଧ୍ୟମ ଲକ୍ଷଣଯୁକ୍ତ କୋଭିଡ ରୋଗୀ ମାନଙ୍କୁ ସେମାନଙ୍କ ଘରେ ରହି ଚିକିତ୍ସିତ ହେବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏହା ଉଭୟ ସହର ଓ ଗ୍ରାମାଞ୍ଚଳରେ ଲାଗୁ ହୋଇଛି । ଘରୋଇ ପରିବେଶରେ ରୋଗୀମାନେ ଶୀଘ୍ର ଆରୋଗ୍ୟ ଲାଭ କରିବା ସହିତ ଡାକ୍ତରଖାନା ଉପରେ ଚାପ ହ୍ରାସରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହାସହିତ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଆବଶ୍ୟକ ଚିକିତ୍ସା ସହାୟତା ଯୋଗାଇ ଦେବା ଏବଂ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ତଦାରଖ ଉପରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୋଭିଡରେ ପ୍ରାଣ ହରାଇଥିବା ରୋଗୀମାନଙ୍କ ଶବସତ୍କାର ଏକ ସମ୍ବେଦନଶୀଳ ପ୍ରଶ୍ନ ହୋଇଥିବାରୁ, ଉଭୟ ଆବେଗିକ ଓ ଧାର୍ମିକ ବିଶ୍ବାସକୁ ନେଇ ସମ୍ମାନଜନକ ଭାବରେ ଶବସଂସ୍କାର ପାଇଁ ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଉପରେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ ।

ବିଭିନ୍ନ ଡାକ୍ତରଖାନା ଓ କେୟାର ସେଣ୍ଟର ମାନଙ୍କରେ ଚିକିତ୍ସିତ ହେଉଥିବା ରୋଗୀମାନେ ଯେପରି ଗୁଣାତ୍ମକ ସେବା ପାଇପାରିବେ, ସେଥିପାଇଁ ସେମାନଙ୍କ ଠାରୁ Feedback ସଂଗ୍ରହ କରି ତଦ୍‌ନୁଯାୟୀ ପଦକ୍ଷେପ ନେବାପାଇଁ ମୁଖ୍ୟମନ୍ତ୍ରୀ କୋଭିଡ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ କୋଭିଡ ଲଭେଇ ଜିତିବା ପାଇଁ ଅଧିକ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବା ଉପରେ ଗୁରୁତ୍ବାରୋପ କରିଥିଲେ ।

ମଙ୍ଗଳବାର ଅନୁଗୋଳ, ଢେଙ୍କାନାଳ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, ବରଗଡ ଓ ନୂଆପଡା ଆଦି ଜିଲ୍ଲାର ପରିସ୍ଥିତି ଓ କୋଭିଡ ପରିଚାଳନା ସଂପର୍କରେ ଜିଲ୍ଲାର ପର୍ଯ୍ୟବେକ୍ଷକମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ଏହି ଜିଲ୍ଲା ଗୁଡିକରେ କୋଭିଡ ପରିଚାଳନାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ପର୍ଯ୍ୟବେକ୍ଷକମାନେ କେତେକ ପ୍ରସ୍ତାବ ମଧ୍ୟ ରଖିଥିଲେ । ଏହି ପ୍ରସ୍ତାବ ଗୁଡିକୁ ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ତଥା ଜିଲ୍ଲାସ୍ତରରେ ପର୍ଯ୍ୟବେକ୍ଷକମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details