ଓଡିଶା

odisha

ETV Bharat / city

ପୁରୀ ପାଇଁ ପ୍ୟାକେଜ, ବଦଳିବ ବଡଦାଣ୍ଡର ଚିତ୍ର - puri

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୁରୀର ବିକାଶ ପାଇଁ ଏକ ଗୁରୁତ୍ବପୁର୍ଣ୍ଣ ବୈଠକ ଶେଷ ହୋଇଛି । ପୁରୀ ପାଇଁ 500 କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ଭିତ୍ତିଭୂମି ବିକାଶ ଓ କ୍ଷତିଗ୍ରସ୍ତଙ୍କ ଥଇଥାନ ଉପରେ ଧ୍ୟାନ ଦିଆଯାଇଛି ।

ଡିଜାଇନ ଫଟୋ

By

Published : Aug 23, 2019, 1:09 PM IST

Updated : Aug 23, 2019, 4:21 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଫୋକସ୍‌ରେ ଜଗନ୍ନାଥ ଧାମ। ଆହୁରି ବିକଶିତ ହେବ ଶ୍ରୀକ୍ଷେତ୍ର। ପୁରୀ ପାଇଁ 500କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ପୁରୀ ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର, ମହାପ୍ରଭୁ ଆମର ଆତ୍ମା ବୋଲି ମୁଖ୍ୟମନ୍ତ୍ରୀ ଟୁଇଟରରେ ଉଲ୍ଲେଖ କରିଛନ୍ତି । ଶହ ଶହ ବର୍ଷ ଧରି ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଓଡ଼ିଆ ଜାତି ଅନେକ ତ୍ୟାଗ କରିଛି। ମହାପ୍ରଭୁଙ୍କୁ ଧରି ଚିଲିକାରୁ ସୋନପୁର ପର୍ଯ୍ୟନ୍ତ ବୁଲିଛି। କିନ୍ତୁ ଓଡ଼ିଆ ଜାତିକୁ ତାର ଆତ୍ମା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରୁ କେହି ଅଲଗା କରିପାରି ନାହିଁ ବୋଲି ସେ ଟୁଇଟରରେ ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ଟୁଇଟର/@Naveen_Odisha

ଭିତ୍ତିଭୂମିର ବିକାଶ ଓ କ୍ଷତିଗ୍ରସ୍ତଙ୍କ ଥଇଥାନ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭଙ୍ଗା ମଠର ପୁନରୁଦ୍ଧାର ଏବଂ ଉଠାଦୋକାନୀଙ୍କୁ ଥଇଥାନ ପାଇଁ ଦିଆଯିବ ସରକାରୀ ସହଯୋଗ । ଏହା ପୂର୍ବରୁ ୨୬୫ କୋଟି ଟଙ୍କାର ଅନୁଦାନ ଦିଆଯାଇଥିଲା । ତେବେ ୨ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଅଠରନଳାର ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପୁରୀ ବାଇପାସ ଜଗନ୍ନାଥ ମାଳତୀ ପାଟପୁରରୁ ଜଗନ୍ନାଥ ବଲ୍ଲଭକୁ ଆଧୁନିକ ସେତୁ ଦ୍ବାରା ସଂଯୋଗ କରାଯିବ । ଏଥିପାଇଁ 190 କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର । ଏଥିସହ ଜଗନ୍ନାଥ ବଲ୍ଲଭ ମଠରେ ବହୁତଳ ପାର୍କିଂ ସହ ୧୦ ହଜାର ଲୋକଙ୍କ ପାଇଁ ଧ୍ୟାନ କେନ୍ଦ୍ର ନିର୍ମାଣ କରାଯିବ । ଏଥିପାଇଁ ୧୮୦କୋଟି ଖର୍ଚ୍ଚ ହେବ ।

ସେହିପରି ମୂଷା ନଦୀର ପୁନରୁଦ୍ଧାର କରାଯାଇ ମଙ୍ଗଳା ନଦୀ ସହ ସଂଯୋଗ କରାଯିବ ସେଠାରେ ରିଭର ଫ୍ରଣ୍ଟ ଟୁରିଜିମର ମଧ୍ୟ ବିକାଶ କରାଯିବ ବୋଲି ଘୋଷଣା ହୋଇଛି। ଏଥିପାଇଁ ୮୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାବ୍ୟତୀତ ପୁରୀକୁ ଆହୁରି ସୌନ୍ଦର୍ଯ୍ୟମୟୀ କରିବା ପାଇଁ 28ଏକର ଜମିରେ ଏକ ହ୍ରଦର ବିକାଶ କରାଯିବ । ଏଥିପାଇଁ ଖର୍ଚ୍ଚ ହେବ 35 କୋଟି ।

ଏହାବ୍ୟତୀତ ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଆସୁଥିବା ମଠ ଗୁଡିକ ସ୍ଥାନାନ୍ତରଣ କରାଯିବ ଏବଂ ମଠ ଗୁଡିକୁ ଅବଢା ଯୋଜନାରେ ସରକାରୀ ସହଯୋଗ ଯୋଗାଇଦିଆଯିବ । ଏହାସହ ଆସନ୍ତା 2 ବର୍ଷ ମଧ୍ୟଟରେ ବିଭିନ୍ନ ତୀର୍ଥ ପୁଷ୍କରିଣୀ ଯଥା ଶ୍ବେତଗଙ୍ଗା, ମାର୍କଣ୍ଡ ,ନରେନ୍ଦ୍ର ଆଦିର ପୁନରୁଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଯାତ୍ରୀଙ୍କ ସୁବିଧା ଉପରେ ମଧ୍ୟ ଫୋକସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁବିଧା ପାଇଁ ମଲ୍ଟି‌ ଲେନ୍ ରାସ୍ତା ନିର୍ମାଣ କରାଯିବ ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Aug 23, 2019, 4:21 PM IST

ABOUT THE AUTHOR

...view details