ଭୁବନେଶ୍ବର:ରାଜ୍ୟରେ ଧିରେ ଧିରେ ସୁଧୁରୁଛି କୋରୋନା ସ୍ଥିତି । ଅନଲାଇନ ପାଠପଢା ପରିବର୍ତ୍ତେ ଅଫଲାଇନ ପାଠପଢା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ଶିକ୍ଷା ବିଭାଗ । ନଭେମ୍ବର 1 ରୁ ପ୍ରଥମ ବର୍ଷ UG, 15 ରୁ PG ପ୍ରଥମ ବର୍ଷ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ କରିବାରୁ ନିଷ୍ପତ୍ତି ହୋଇଛି । ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ।
ୟୁଜି ଓ ପିଜିରେ ନୂଆକରି ନାମ ଲେଖାଇଥିବା ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ପଢ଼ିବେ। ତେବେ କୋଭିଡ୍ କଟକଣା ମାନି ଶ୍ରେଣୀଗୃହ ପାଠପଢ଼ା ନେଇ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ। ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ପକ୍ଷରୁ ଦିଆଯାଇଥିବା ଚିଠିରେ ଶ୍ରେଣୀଗୃହରେ ପାଠପଢ଼ା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ସେମାନେ ନିୟମିତ ବ୍ୟବଧାନରେ ହାତ ସଫା କରିବେ। ଶ୍ରେଣୀଗୃହ, ପାଠାଗାର ତଥା ଲାବୋରଟୋରୀ ଗୁଡ଼ିକରେ ଛାତ୍ରଛାତ୍ରୀମାନେ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବେ। କେହି କଲେଜ ପରିସର ମଧ୍ୟରେ ବାହାରେ ଏଣେତେଣେ ଛେପ ପକାଇ ପାରିବେ ନାହିଁ।