ଭୁବନେଶ୍ଵର: ରାଜଧାନୀକୁ ସଫା ରଖିବା ଆମର କାମ, ଆମର ଦୁଃଖ ଆମର ଦାବି ପୁରଣ କରିବା ତମର କାମ । ଭୁବନେଶ୍ବରର ସଫେଇ କର୍ମଚାରୀଙ୍କ ସମ୍ମାନ, ମର୍ଯ୍ୟାଦା ସମ୍ପର୍ଣ୍ଣ ଜୀବନ ପାଇଁ ସେମାନେ ସଂଗ୍ରାମ କରୁଛନ୍ତି । ଆଜି ଦିନରେ କାନ୍ଥରେ, ବ୍ୟାନରରେ, ଟିଭି ପରଦାରେ ସଫେଇ କର୍ମଚାରୀମାନଙ୍କ ସହ ପ୍ରଧାନମନ୍ତ୍ରୀ, ସ୍ଥାନୀୟ ରାଜନେତା ଚକ୍ ଚକ୍ କରୁଥିବା ଯୋତା ଓ ହାତରେ ଗ୍ଲୋଭସ ପିନ୍ଧି ନୂତନ ଝାଡ଼ୁ ଧରିଥିବା ଫଟୋମାନ ଦେଖିବାକୁ ପାଉଛୁ । କିନ୍ତୁ ସରକାର ଏଯାଏଁ ସଫେଇ କର୍ମଚାରୀଙ୍କ ଦୁଃଖ ଶୁଣିବାକୁ ନାରାଜ । ଆମେ ଆହୁରି ମଧ୍ୟ ଦେଖୁଛୁ ଯେ ପ୍ରତ୍ୟେକ ସ୍ଥାନରେ ସ୍ଵଚ୍ଛ ଭାରତର ସ୍ଲୋଗାନ ଦିଆଯାଉଛି । ସରକାର ୩ ବର୍ଷ ତଳେ ସ୍ଵଚ୍ଛ ଭାରତ ଅଭିଯାନ ଆରମ୍ଭ କଲେ । ଏହାର ବିଜ୍ଞାପନ ପ୍ରଚାର ଓ ପ୍ରସାର ପାଇଁ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ କରାଗଲା । ସରକାର ପ୍ରତିଦିନ ୧.୪ କୋଟି ଟଙ୍କା ବିଜ୍ଞାପନ ପାଇଁ ଖର୍ଚ୍ଚ କରୁଛନ୍ତି, ଯାହାକି କାର୍ଯ୍ୟକ୍ରମର ପ୍ରସାର ପାଇଁ ଏହି ସମୟ ମଧ୍ୟରେ ୫୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି । ଏନେଇ ଅଭିଯୋଗ କରିଛନ୍ତି ଭୁବନେଶ୍ଵର ମହାନଗର ନିଗମ କର୍ମଚାରୀ ସଂଘର ସଭାପତି ବିଷ୍ଣୁ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।
ଭୁବନେଶ୍ବର ମହାନଗର ନିଗମର ଆବର୍ଜନାର ସଠିକ୍ ପରିଚାଳନା ପାଇଁ ବର୍ଷକୁ ପ୍ରାୟ ୮୦ କୋଟି ଟଙ୍କା ଖର୍ଚ୍ଚ କରିବା ଓ ଯନ୍ତ୍ରୀ, ଅଫିସରମାନେ ୪୦ କୋଟି ୪୬ ଲକ୍ଷ ଟଙ୍କା ହଡ଼ପ କରିଥିବା କଥା ଆମ ନଜରକୁ ଆସିଛି । କିନ୍ତୁ ବାସ୍ତବରେ ଯେଉଁ ସଫେଇ କର୍ମଚାରୀମାନେ ସହରକୁ ସଫାସୁତରା ରଖୁଛନ୍ତି, ଯେଉଁମାନେ କାମ ସ୍ଵୀକୃତି ପାଇଛନ୍ତି, ସେମାନଙ୍କ ପ୍ରତି କର୍ତ୍ତୃପକ୍ଷ ଧ୍ୟାନ ଦେଉନାହାଁନ୍ତି । ଏପରି ବଡ଼ ଧରଣର ଉତ୍ସବ ଚାଲିଥିବା ବେଳେ ଆମ ସଫେଇ ଶ୍ରମିକଙ୍କ ଅବସ୍ଥା ସମ୍ପର୍କରେ କେଉଁଠି ଆଲୋଚନା ହେଉନାହିଁ ।