ଭୁବନେଶ୍ବର:ଚଳିତ ବର୍ଷ ଯୁକ୍ତ ଦୁଇ ମାର୍କିଂକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । CHSE ପକ୍ଷରୁ ମାର୍କିଂ ପ୍ରକ୍ରିୟା ସମ୍ପର୍କରେ ସ୍ପଷ୍ଟ କରାଯାଇଛି । ଉଚ୍ଚ ମାଧ୍ୟମିକ ପରିଷଦର ରେଗୁଲାର ପରୀକ୍ଷାର୍ଥୀଙ୍କ ବିକଳ୍ପ ମୂଲ୍ୟାଙ୍କନ ପଦ୍ଧତି ଅନୁସାରେ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ମୂଲ୍ୟାୟନ ସମ୍ପୂର୍ଣ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ନୋଡାଲ ହାୟର ସେକଣ୍ଡାରି ସ୍କୁଲ ଉପରେ ନ୍ୟସ୍ତ କରାଯାଇଛି ।
ଥିଓରୀ ପେପରରେ ମାର୍କ ଦଶମ ଶ୍ରେଣୀ ମାର୍କ ଆଧାରରେ ମାର୍କିଂ କରାଯିବ। ଓଡିଶା ବୋର୍ଡରେ 6ଟି ବିଷୟ ରହୁଥିବା ବେଳେ ଆଉ କେତେକ ବୋର୍ଡରେ 5 ଟି ବିଷୟ ରହିଛି। ଉଚ୍ଚ ମାଧ୍ୟମିକ ପାଠ୍ୟକ୍ରମର ପ୍ରତ୍ୟେକ ବିଷୟ ସହିତ ଦଶମ ଶ୍ରେଣୀର ବିଷୟର ସମ୍ପର୍କ ଆଧାରରେ ସବଜେକ୍ଟ ମ୍ୟାପିଂ କରାଯାଇଛି। ଦଶମ ଶ୍ରେଣୀର ଗୋଟିଏ ପେପର କିମ୍ବା ସମାନ ପ୍ରକାରର ପେପର ଯଦି ଉଚ୍ଚ ମାଧ୍ୟମିକ ବା ଯୁକ୍ତ ଦୁଇରେ ଅଛି ତେବେ ଦଶମ ଶ୍ରେଣୀର ମାର୍କ ସେହି ବିଷୟରେ ପ୍ରଦାନ କରାଯିବ।
ଯେପରି କି ଇଂରାଜୀର ମାର୍କ ଇଂରାଜୀ ଓ ଅଲଟରନେଟିଭ ଇଂରାଜୀ ପେପରରେ ପ୍ରଦାନ କରାଯିବ। ଓଡ଼ିଆ ବିଷୟରେ ମଧ୍ୟ ସେହିଭଳି ଭାବରେ ପ୍ରଦାନ କରାଯିବ ମାର୍କ। ସୋସିଆଲ ସାଇନ୍ସର ମାର୍କ ହିଷ୍ଟ୍ରି, ପଲଟିକାଲ ସାଇନ୍ସ, ଜୋଗ୍ରାଫି, ସୋସିଓଲୋଜି ଓ ବ୍ୟାଙ୍କିଙ୍କ ଭଳି ବିଷୟରେ ପ୍ରଦାନ କରାଯିବ। ସେହିଭଳି ସାଇନ୍ସର ମାର୍କ କେମେଷ୍ଟ୍ରି, ବାୟୋଲୋଜି, ଜିଓଲୋଜି ଓ ବାୟୋ ଟେକ୍ନୋଲୋଜି ଆଦି ଭଳି ବିଷୟରେ ମାର୍କ ପ୍ରଦାନ କରାଯିବ। ଯଦି ଯୁକ୍ତ ଦୁଇର ବିଷୟ ଗୁଡିକ ଦଶମ ଶ୍ରେଣୀର ଏକାଧିକ ବିଷୟ ସହିତ ସମ୍ପର୍କ ରହିଛି ତେବେ ସେହି ବିଷୟରେ ହାରାହାରି ଭାବରେ ମାର୍କ ପ୍ରଦାନ କରାଯିବ। ଯେପରିକି ଫିଜିକ୍ସରେ ସାଇନ୍ସ ଓ ଗଣିତର ମାର୍କକୁ ନେଇ ହାରହାରି ମାର୍କ ପ୍ରଦାନ କରାଯିବ।