ଭୁବନେଶ୍ବର: ଲକ୍ଡାଉନ୍ ପରେ ଶିଶୁ ସୁରକ୍ଷା ଆୟୋଗର ଶିଶୁ ଚାଲାଣ ଚିନ୍ତା । କୋରୋନା ପରିସ୍ଥିତି ସୁଧୁରିବା ପରେ ବଢିପାରେ ଶିଶୁ ଚାଲାଣ । ଗୋଟିଏ ରାଜ୍ୟରୁ ଅନ୍ୟରାଜ୍ୟ ଓ ଦେଶ ବାହାରକୁ ମଧ୍ୟ ଚାଲାଣ ହୋଇପାରନ୍ତି ଶିଶୁ । ବିଶେଷ କରି ଝିଅଙ୍କ ଉପରେ ରହିପାରେ ଶିଶୁ ଦଲାଲଙ୍କ ଆଖି । ଏହାକୁ ମୁକାବିଲା କରିବା ପାଇଁ ପୂର୍ବ ପ୍ରସ୍ତୁତି କରୁଛି ଆୟୋଗ । ସ୍କୁଲରେ ଶିକ୍ଷକ ଓ ଅଭିଭାବକଙ୍କୁ ସଚେତନ କରିବା ସହ ରାସ୍ତାରେ, ବସ୍ଷ୍ଟପ୍ରେ, ରେଳ ଷ୍ଟେସନରେ ହୋର୍ଡିଂ ଓ ଅନଲାଇନ ମାଧ୍ୟମରେ ସଚେତନ କରିବାକୁ ଯୋଜନା କରିଛି ଆୟୋଗ ।
ସେହିପରି ଶିଶୁ ଚାଲାଣ ରୋକିବା ପାଇଁ ଆୟୋଗ ପକ୍ଷରୁ ହଟସ୍ପଟ୍ରେ ରହିବ ତୀକ୍ଷ୍ଣ ନଜର । ବିଶେଷ କରି ଟ୍ରେନ ମାଧ୍ୟମରେ ରାଉରକେଲା, ବ୍ରାହ୍ମପୁର, କଟକ ଭୁବନେଶ୍ବରରୁ ଶହ ଶହ ଶିଶୁ ଚାଲାଣ ହୋଇଥାନ୍ତି। ଏମାନଙ୍କ ଉପାରେ କଡା ନଜର ରଖାଯିବ। ଚାଲାଣ କରୁଥିବା ଦଲାଲଙ୍କୁ କିଭଳି ଚିହ୍ନଟ କରାଯିବ ସେନେଇ ଦିଆଯିବ ପ୍ରାଥମିକତା । ଝିଅ ମାନଙ୍କୁ ପ୍ରଲୋଭିତ କରି ସେମାନଙ୍କୁ ବିକ୍ରି କରାଯିବା ସହ ଦେହଜୀବୀ ସଜାଇଦେଉଥିବାରୁ ଏଥିପ୍ରତି ରହିବ କଡା ନଜର । ଝିଅ ମାନେ ବାହାରକୁ ଗଲେ ରେଜିଷ୍ଟେସନ କରିବାକୁ ପଡିବ ।