ଭୁବନେଶ୍ବର: ଲକଡାଉନରେ ବି ଚାଲିଛି ଶିଶୁ ଚାଲାଣ । କମିନି ଶିଶୁ ଚାଲାଣକାରୀଙ୍କ ପ୍ରଭାବ । ଯାହା ଫଳରେ ରାଜଧାନୀରୁ ଉଦ୍ଧାର ହୋଇଛନ୍ତି 20ରୁ ଅଧିକ ନିଷ୍ପାପ ଶିଶୁ । ଲକଡାଉନର 5 ମାସ ମଧ୍ୟରେ ଦେଖିବାକୁ ମିଳିଛି ଏଭଳି ଉତ୍କଟ ଦୃଶ୍ୟ । ତେବେ କଣ ରହିଛି ଏହା ପଛର କାରଣ ? ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ...
କୋରୋନା କାଳେ ବି କମିନି ନିଷ୍ପାପ ଶିଶୁଙ୍କ ଉପରେ ଅତ୍ୟାଚାର । ଆର୍ଥିକ, ପାରିବାରିକ, ପରିସ୍ଥିତି ଭିତ୍ତିକ ସମସ୍ୟାରୁ ଫାଇଦା ଉଠାଇ ଶିଶୁ ଚୋରା ଚାଲାଣ କରୁଛନ୍ତି ଦଲାଲ । ଯାହାର ପ୍ରମାଣ ହେଉଛି ସିଡବ୍ଲୁସି ଦ୍ବାରା ଉଦ୍ଧାର ହୋଇଥିବା 20ରୁ ଅଧିକ ଶିଶୁ । ତଥ୍ୟ ଅନୁସାରେ, ମେ ୧୬ ତାରିଖ କ୍ୟାପିଟାଲ ଥାନା ଏକ ନମ୍ବର ମାର୍କେଟରୁ 10 ବର୍ଷର ନାବାଳକକୁ ଉଦ୍ଧାର କରିଥିଲା ଚାଇଲ୍ଡ ଲାଇନ । ଜୁନ ୧୮ ତାରିଖ ନୟାପଲ୍ଲୀ ଥାନା ଅଞ୍ଚଳର ଜୟଦୁର୍ଗା ମନ୍ଦିର କଡରୁ ଉଦ୍ଧାର କରାଯାଇଥିଲା ୧୪ ବର୍ଷୀୟ ନାବାଳକକୁ । ଯେକି ଘରପୋଛିବା ଏବଂ ବାସନକୁସନ ସଫା କାମରେ ଲଗାଇବା ପାଇଁ ଦଲାଲ ଆଣିଥିଲା ଭୁବନେଶ୍ବରକୁ । ସେହିଭଳି କାମଦେବା ବାହାନାରେ ଜୁଲାଇ ୪ ତାରିଖ ଖଣ୍ଡଗିରି ଥାନା ବରମୁଣ୍ଡାରୁ ଉଦ୍ଧାର ହୋଇଥିଲା ୧୫ ବର୍ଷିୟା ନାବାଳିକା । ସେହିଭଳି ଜୁଲାଇ ୧୭ ଧଉଳି ଥାନା ଧଉଳି ଛକ ପୂର୍ବରୁ ୧୬ ବର୍ଷର ନାବାଳକକୁ ଉଦ୍ଧାର କରିଥିଲା ଚାଇଲ୍ଡ ଲାଇନ । ଜୁଲାଇ ୧୨ ତାରିଖ ଧଉଳି ଥାନା ଗଙ୍ଗୁଆ ବ୍ରିଜ୍ କଡରେ ୧୪ ବର୍ଷର ନାବାଳିକାକୁ ଝିଅ କହି ରଖିଥିଲା ଜଣେ ବ୍ୟକ୍ତି । ଏନେଇ ପରିଚୟ ନ ଦେଖାଇପାରିବାରୁ ନାବାଳିକାକୁ ଉଦ୍ଧାର କରିଥିଲା ଚାଇଲ୍ଡଲାଇନ ଟିମ ।