ଭୁବନେଶ୍ବର:ଏବେ ବି ରାଜ୍ୟରେ ଖୁଲମଖୁଲା ହେଉଛି ବାଲ୍ୟ ବିବାହ । ଦାଉରେ ଲାଗୁଛି କୋମଳମତି ଶିଶୁଙ୍କ ଭାଗ୍ୟ । ଜାତୀୟସ୍ତରରେ ବାଲ୍ୟ ବିବାହ କ୍ଷେତ୍ରରେ ୧୫ଟି ରାଜ୍ୟ ମଧ୍ୟରେ ରହିଛି ଓଡିଶାର ସ୍ଥାନ । ନ୍ୟାସନାଲ ଫ୍ୟାମିଲି ହେଲଥ୍ ସର୍ଭେ ଅନୁସାରେ ସାରା ଭାରତ ବର୍ଷର ବାଲ୍ୟ ବିବାହ ହାର ୨୬.୮ ପ୍ରତିଶତ ରହିଥିବା ବେଳେ ଓଡିଶାର ହାର ରହିଛି ୨୧.୩ ପ୍ରତିଶତ । ସର୍ବାଧିକ ୧୮ ରୁ କମ ବୟସର ଝିଅ ମାଲକାନଗିରି ଜିଲ୍ଲାରେ ବିବାହ କରିଥିବାବେଳେ ୨୧ ବର୍ଷରୁ କମ ବୟସ ପୁଅ ସର୍ବାଧିକ ରାୟଗଡା ଜିଲ୍ଲାରେ ବିବାହ କରିଛନ୍ତି । ଆଉ ଏହା ସ୍ପଷ୍ଟ କରୁଛି ଏବେବି ରାଜ୍ୟରେ ବାଲ୍ୟ ବିବାହ ପ୍ରତି ସଚେତନତା ଅଭାବ ଏବଂ ବ୍ୟବସ୍ଥାରେ ସୁଧାରିବା ଦିଗରେ ପ୍ରଶାସନିକ ଢାଞ୍ଚାରେ ପରିବର୍ତ୍ତନ ଆବଶ୍ୟକତା ରହିଛି ।
ଏପରିକି ଲକଡାଉନ ସମୟରେ ରାଜ୍ୟରେ ହୋଇଛି ଅନେକ ବାଲ୍ୟ ବିବାହର ରିପୋର୍ଟ । ଯାହା ଆଶ୍ଚର୍ଯ୍ୟ କରିବା କଥା ନିଶ୍ଚୟ । ତଥ୍ୟ କହୁଛି ମାର୍ଚ୍ଚ ମାସରୁ ଅକ୍ଟୋବର ମାସ ବିଗତ ୮ ମାସ ମଧ୍ୟରେ ୫୨୨ ଟି ବାଲ୍ୟ ବିବାହର ରିପୋର୍ଟ ହୋଇଛି । ଯେଉଁଥିରୁ ସର୍ବାଧିକ ୧୧୭ ଟି ବାଲ୍ୟ ବିବାହ ମାର୍ଚ୍ଚମାସରେ ହୋଇଛି । ୮ ମାସ ମଧ୍ୟରେ ସର୍ବାଧିକ ୮୫ ଟି ବାଲ୍ୟ ବିବାହ କୋରାପୁଟ ଜିଲ୍ଲାରେ ହୋଇଛି । ତେବେ ବାଲ୍ୟ ବିବାହ ଦୃଷ୍ଟିରୁ ୧୩ ଟି ଜିଲ୍ଲା ଏବେବି ସମ୍ବେଦନଶୀଳ ରହିଛି ।