ଭୁବନେଶ୍ବର: କୋରୋନା (corona) ଅନେକଙ୍କୁ ଦେଇଛି ଦୁଃଖ । ପେଟକୁ ଦୁଇମୁଠା ଦାନା ଯୋଗାଡ ପାଇଁ ମହାମାରୀ ଭୁଲ ନିଷ୍ପତ୍ତି ନେବାକୁ ବାଧ୍ୟ କରିଛି । ସେହିପରି ଏକ ଘଟଣା ସାମ୍ନାକୁ ଆସିଛି । ଆର୍ଥିକ ଅବସ୍ଥା ଭଲ ନଥିବାରୁ ୮ ବର୍ଷର ଝିଅକୁ ବିକ୍ରି କରିଥିଲେ ପରିବାର । ପିଲାକୁ ନେଇଥିବା ପରିବାର ତାଙ୍କୁ ନିର୍ଯାତନା ଦେଉଥିବା ଜଣାପଡିବା ପରେ ରାଜଧାନୀରୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ (child line) ।
କୋଭିଡ ସମୟରେ ଖାଇବାକୁ ନ ପାଇ ମୟୂରଭଞ୍ଜ ଜିଲ୍ଲା ଜଷିପୁରର ଏକ ପରିବାର ତାଙ୍କ ୮ ବର୍ଷର ଝିଅକୁ ବିକ୍ରି କରିଥିଲେ । ମାସିକ ୨ ହଜାର ଟଙ୍କାରେ ଭୁବନେଶ୍ବରରେ ଜଣେ ମହିଳା ଝିଅକୁ କିଣିଥିଲେ । ମହିଳା ଜଣକ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟରତ । ୨ହଜାର ଟଙ୍କା ଦରମା ଦେଇ ଝିଅକୁ ରାଜଧାନୀ ନନ୍ଦନବିହାର ଘରେ ଖଟାଉଥିଲେ । ଖାଲି ସେିତିକ ନୁହେଁ ଘର କାମ ସହ ଦେଢବର୍ଷର ଛୁଆର ଦେଖା ରେଖା କରୁଥିଲା ୮ ବର୍ଷର ଝିଅ । ଏ ବାବଦରେ ଦୀର୍ଘ ୬ ମାସ ହେବ ଝିଅର ପରିବାରୁ ମାସିକ ୨ ହଜାର ଟଙ୍କା ପଠାଉଥିଲେ । ଅନେକ ସମୟରେ ନାବାଳିକା ଉପରେ ଅତ୍ୟାଚାର ମଧ୍ୟ କରୁଥିଲେ । ଏ ନେଇ ଖବର ପାଇବା ପରେ ଉଦ୍ୟମ ଆରମ୍ଭ କରିଥିଲା ଚାଇଲ୍ଡ ଲାଇନ । ସ୍ଥାନୀୟ ନନ୍ଦନକାନନ ଥାନା ପୋଲିସ ସହୟତାରେ ନନ୍ଦନବିହାର ଘରୁ ନାବାଳିକାକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ ।