ଭୁବନେଶ୍ବର:ଯାହା ଆକଳନ କରାଯାଉଥିଲା, ତାହା ସହ ହେଲା । ପୁଣି ବଢ଼ିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ 6 ମାସ ବୃଦ୍ଧିକୁ ସବୁଜ ସଙ୍କେତ ଦେଇଛନ୍ତି କେନ୍ଦ୍ର ସରକାର । ଦ୍ଵିତୀୟ ଥର ଲାଗି ସୁରେଶଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି।
ଚଳିତ ବର୍ଷ ଫେବ୍ରୁଆରୀରେ ରାଜ୍ୟ ମୁଖ୍ୟ ସଚିବ ତଥା ୧୯୮୬ ବ୍ୟାଚ ଆଇଏଏସ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅବସର ଧାର୍ଯ୍ୟ ହୋଇଥିଲା । ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସୁରେଶଙ୍କ କାର୍ଯ୍ୟକାଳ ବୃଦ୍ଧି ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ରାଜ୍ୟ ସରକାର । ପୂର୍ବରୁ କାର୍ଯ୍ୟକାଳ 6 ମାସ ବୃଦ୍ଧି କରାଯାଇ ଅଗଷ୍ଟ 31 ଅବସର ଧାର୍ଯ୍ୟ କରାଯାଇଥିଲା । ତେବେ ପୁନର୍ବାର 10 ଅଗଷ୍ଟରେ ଚିଠି ଲେଖି ସୁରେଶଙ୍କ କାର୍ଯ୍ୟକାଳ ପୁନର୍ବାର ବୃଦ୍ଧି କରିବାକୁ ଅନୁରୋଧ କରିଥିଲା ରାଜ୍ୟ ସରକାର । ଯାହାକୁ କେନ୍ଦ୍ର ଗ୍ରହଣ କରିଛି । ୨୦୨୩ ଫେବୃଆରୀ ୨୮ ଯାଏଁ ମୁଖ୍ୟ ସଚିବଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି ।