ଓଡିଶା

odisha

ETV Bharat / city

ରାଜ୍ୟରେ ବଢୁଛି ଶବ୍ଦ ପ୍ରଦୂଷଣ, କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ - Noise pollution

ରାଜ୍ୟରେ ବଢୁଥିବା ଶବ୍ଦ ପ୍ରଦୂଷଣକୁ ଆଖିରେ ରଖି କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଶବ୍ଦ ପ୍ରଦୂଷଣ
ଶବ୍ଦ ପ୍ରଦୂଷଣ

By

Published : Mar 4, 2021, 7:56 AM IST

ଭୁବନେଶ୍ବର: ରାଜ୍ୟରେ ବଢୁଛି ଶବ୍ଦ ପ୍ରଦୂଷଣ । ଦିନକୁ ଏହାର ମାତ୍ରା ଆହୁରୀ ବଢୁଛି । ଆଗାମୀ ଦିନରେ ରାଜ୍ୟରେ ବିପଦଜନକ ସ୍ଥିତି ଉପୁଜିବ । ଯାହାକୁ ନେଇ ଏବେଠୁ ପଦକ୍ଷେପ ନେବାକୁ ପଡିବ । ବିଶେଷ କରି ବିବାହ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାର୍ବଣ ୠତୁରେ ଏହାର ମାତ୍ରା ଅଧିକ । କାରଣ ଡିଜେର କାନଫଟା ଶବ୍ଦ ସ୍ବାସ୍ଥ୍ୟପାଇଁ ଅତ୍ୟନ୍ତ କ୍ଷତିକାରକ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ସରକାର ।

ଏ ନେଇ ଶବ୍ଦ ପ୍ରଦୂଷଣକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଓ ଏସ୍‍ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ପରିବେଶ ମନିଟରିଂ ସେଲ୍‍ ବୈଠକରେ ଏନେଇ ଉଦବେଗ ପ୍ରକାଶ ପାଇଛି ।

ଶବ୍ଦ ପ୍ରଦୂଷଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ । ତୁରନ୍ତ ଶବ୍ଦ ପ୍ରଦୂଷଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ କେ.ମୁରୁଗେସାନ ନିୟମ ଉଲ୍ଲଙ୍ଘନ କରି ଶବ୍ଦ ପ୍ରଦୂଷଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ ଓ ଏସ୍‍ପିମାନଙ୍କୁ ଚିଠି ଲେଖିଛନ୍ତି ।

ଜିଲ୍ଲାପାଳ, ଏସ୍‍ପି ଓ ଜିଲ୍ଲାର ବରିଷ୍ଠ ଅଧିକାରୀ ସେମାନଙ୍କ ଅଞ୍ଚଳରେ ବାୟୁ ଓ ଶବ୍ଦ ପ୍ରଦୂଷଣ ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି । ତେବେ ବିଭିନ୍ନ ସ୍ଥାନରେ ଉଚ୍ଚ ଶବ୍ଦଯୁକ୍ତ ଡିଜେ ବାଜୁଥିଲେ ମଧ୍ୟ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବା ନଜର ଆସୁଛି । ଏହି ଶବ୍ଦ ଅତ୍ୟନ୍ତ କ୍ଷତିକାରକ । ଡିଜେରୁ ବାହାରୁଥିବା ବିକଟାଳ ଶବ୍ଦ ରାଜ୍ୟରେ ଶବ୍ଦ ପ୍ରଦୂଷଣ ସୃଷ୍ଟି କରୁଛି ବୋଲି ପରିବେଶବିତ ମାନେ ଅଭିଯୋଗ କରୁଛନ୍ତି ।

ପର୍ବପର୍ବାଣୀ ସମୟରେ ସର୍ବସାଧାରଣ ସ୍ଥାନରେ ଶବ୍ଦ ଆଇନ୍‍କୁ କଡାକଡି ପାଳନ କରିବା ବାଧ୍ୟତାମୂଳକ ଅଟେ । ତେଣୁ ଡିଜେ, ଡୋଲବୀ ଭଳି ଉଚ୍ଚ ଶବ୍ଦଯୁକ୍ତ ଯେକୌଣସି ଯନ୍ତ୍ର କର୍ତ୍ତୃପକ୍ଷଙ୍କ ବିନାନୁମତିରେ ବାଜି ପାରିବ ନାହିଁ । ହେଲେ ଦିନକୁ ଦିନ ସର୍ବସାଧାରଣ ସ୍ଥାନରେ ଏହି ବେଆଇନ୍‍ ଶବ୍ଦ ପ୍ରଦୂଷଣ ହେଉଥିବା ରାଜ୍ୟ ପ୍ରଦୂଷଣ ବୋର୍ଡର ସଦସ୍ୟ ସଚିବ ମୁରୁଗେସାନ ଦର୍ଶାଇଛନ୍ତି ।

ମୁରୁଗେସାନ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ଉଚ୍ଚ ସ୍ବର ଯୁକ୍ତ ଶବ୍ଦ ବୟସ୍କ ବ୍ୟକ୍ତି, ଦୁର୍ବଳ ଏବଂ ଶିଶୁଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଏ । ତେଣୁ ଜିଲ୍ଲାପାଳ ଓ ଏସ୍‍ପିମାନେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ଲାଗି ସଦସ୍ୟ ସଚିବ ଅନୁରୋଧ କରିଛନ୍ତି । ବିବାହ ଶୋଭାଯାତ୍ରା, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସାଧାରଣ ସଭା ଆଦି ସମୟରେ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଶବ୍ଦ ପ୍ରଦୂଷଣ ଉପରେ ନଜର ରଖିବାପାଇଁ ସେ କହିଛନ୍ତି ।

ଶବ୍ଦ ପ୍ରଦୂଷଣ ନିୟମ ସଂକ୍ରାନ୍ତରେ ରାଜ୍ୟ ସରକାର ଏକାଧିକ ମାର୍ଗଦର୍ଶିକା ଜାରି କରିଛନ୍ତି । କୌଣସି କ୍ଷେତ୍ରରେ 65 ଡେସିବେଲରୁ ଅଧିକ ଶବ୍ଦକୁ ଅନୁମତି ନାହିଁ । ସ୍ଥାନୀୟ ଥାନାର ବିନାନୁମତିରେ କେହି ବି ଡିଜେ କିମ୍ବା ମାଇକ୍‍ ବଜାଇ ପାରିବେ ନାହିଁ । କେବଳ ଶବ୍ଦ ଲିମିଟର ସହିତ କମ୍‍ ଶବ୍ଦଯୁକ୍ତ ଯନ୍ତ୍ରପାତିକୁ ଅନୁମତି ମିଳିଥାଏ । ହେଲେ ଏହାକୁ କାଁ ଭାଁ ପାଳନ କରାଯାଉଛି । ତେବେ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଆଇନ୍‍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ପରିବେଶ ବୋର୍ଡର ସଦସ୍ୟ ସଚିବ ନିର୍ଦ୍ଦିଷ୍ଟ ଭାବେ କର୍ତ୍ତୃପକ୍ଷଙ୍କୁ କହିଛନ୍ତି । କାର୍ଯ୍ୟାନୁଷ୍ଠାନ ବାବଦରେ ସୂଚନା ଚାରି ସପ୍ତାହ ମଧ୍ୟରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିବା ପାଇଁ ମୁରୁଗେସାନ ଜିଲ୍ଲାପାଳ ଓ ଏସ୍‍ପିମାନଙ୍କୁ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details