ଓଡିଶା

odisha

ETV Bharat / city

କୋଭିଡ୍ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ - ମୁଖ୍ୟ ଶାସନ ସଚିବ କୋଭିଡ ପରାମର୍ଶ

ରାଜ୍ୟରେ କୋଭିଡ୍ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । ନିଷ୍ଠା ଓ ସହୃଦୟତାର ସହ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲଙ୍କୁ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ

କୋଭିଡ୍ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
କୋଭିଡ୍ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

By

Published : Jan 7, 2022, 7:22 AM IST

ଭୁବନେଶ୍ବର: ରାଜ୍ୟରେ କୋଭିଡ୍ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଜିଲ୍ଲା, ପୌରାଞ୍ଚଳ ଏବଂ ହସ୍ପିଟାଲ ସ୍ତରୀୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ପୂର୍ଣ୍ଣ ନିଷ୍ଠା ଓ ସହୃଦୟତାର ସହ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

କୋଭିଡ୍ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଲୋକସେବା ଭବନରୁ ଭିସି ଜରିଆରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ପୌର କମିଶନର, ସରକାରୀ ଏବଂ ଘରୋଇ ହସ୍ପିଟାଲ ମାନଙ୍କ ସହ ମୁଖ୍ୟ ଶାସନ ସଚିବ ଆଲୋଚନା କରିଛନ୍ତି । ଏକ ସପ୍ତାହ ମଧ୍ୟରେ ସମସ୍ତ ବେଡ୍, ଆଇ.ସି.ୟୁ, ଆମ୍ବୁଲାନ୍ସ୍, ଆଦି ପୂର୍ଣ୍ଣ ପ୍ରସ୍ତୁତ କରିବା ତୁରନ୍ତ ଚିକିତ୍ସା ଦେବା ପାଇଁ ତାଲିମପ୍ରାପ୍ତ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ ସହାୟକ ଷ୍ଟାପ ମାନଙ୍କୁ ମୁତୟନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସମସ୍ତ ଜିଲ୍ଲା, ପୌରାଞ୍ଚଳ ସମେତ ରାଜ୍ୟ ସ୍ତରରେ ନିର୍ଦ୍ଧାରିତ ପ୍ରୋଟକଲ୍ ଅନୁଯାୟୀ ରାପିଡ୍ ରେସ୍ପନ୍ସ୍ ଟିମ୍, କଲ୍ ସେଣ୍ଟର, ନିୟନ୍ତ୍ରଣ କକ୍ଷ, ଆମ୍ବୁଲାନ୍ସ୍ ଆଦି ସଠିକ୍ ଭାବେ ନିୟୋଜିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ଟେଷ୍ଟିଂ, ଟ୍ରାକିଂ ପାଇଁ ସମୁଦାୟ ବ୍ୟବସ୍ଥାକୁ ପୂର୍ଣ୍ଣ କର୍ମକ୍ଷମ ରଖିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ସମସ୍ତ ଘରୋଇ ହସ୍ପିଟାଲ୍, ସରକାରୀ ଓ ବେସରକାରୀ ନିଗମ ଏବଂ ପୌରାଞ୍ଚଳ ମାନଙ୍କ ମଧ୍ୟରେ ସମନ୍ୱିତ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକୀୟ ସଦ୍ୟତନ ଗାଇଡଲଇନ୍ ପଠାଇବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଲୋଚନାରେ ସମ୍, କିମ୍ସ୍, ହାଇଟେକ୍, ଆଦିତ୍ୟ-ଅଶ୍ୱନୀ ଆଦି ବଡ଼ ବଡ଼ ହସ୍ପିଟାଲର ବରିଷ୍ଠ ପ୍ରତିନିଧିମାନେ ଯୋଗଦେଇଛନ୍ତି । ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ କେଉଁକେଉଁ ସ୍ଥାନରେ ସେମାନେ ତୁରନ୍ତ ହସ୍ପିଟାଲ୍ କାର୍ଯ୍ୟକ୍ଷମ କରାଯାଇପାରିବ ତାହା ମଧ୍ୟ ଜଣାଇଛନ୍ତି ।

ଭୁବନେଶ୍ୱର, କଟକ, ବ୍ରହ୍ମପୁର, ଅନୁଗୁଳ, ତାଳଚେର, ପୁରୀ, ଗଞ୍ଜାମ, ସମ୍ବଲପୁର, ଯାଜପୁର, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ବାରିପଦା, ବଲାଙ୍ଗୀର, କନ୍ଧମାଳ, ରାଉରକେଲା, ଗଜପତି ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟ କରିବ । ଏହା ଛଡ଼ା ସମସ୍ତ ସରକାରୀ ହସ୍ପିଟାଲରେ କୋଭିଡ୍ ଚିକିତ୍ସାର ବ୍ୟବସ୍ଥା ରହିବ । ଆକ୍ରାନ୍ତ ମାନଙ୍କୁ ସରକାରୀ ଖର୍ଚ୍ଚରେ ପରୀକ୍ଷା, ଆମ୍ବୁଲାନ୍ସ୍ ସେବା ଓ ଚିକିତ୍ସା ଆଦି ଯୋଗାଇ ଦିଆଯିବ । ଏଥିପାଇଁ ରୋଗୀମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା ଜଣାଇଛନ୍ତି ଯେ, କୋଭିଡ୍ ୨ୟ ଲହରରେ ସମୁଦାୟ ୫୫ଟି ସ୍ୱତନ୍ତ୍ର କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟ କରୁଥିଲା । ତା’ଛଡ଼ା ସରକାରୀ ହସ୍ପିଟାଲମାନଙ୍କରେ କୋଭିଡ଼୍ ଚିକିତ୍ସାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ୨ୟ ଲହର ସମୟରେ ଅସ୍ଥାୟୀ ମେଡିକାଲ୍ କେନ୍ଦ୍ର, କୋଭିଡ୍ କେୟାର କେନ୍ଦ୍ର, ସ୍ୱତନ୍ତ୍ର କୋଭିଡ଼୍ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସ୍ୱତନ୍ତ୍ର କୋଭିଡ଼୍ ହସ୍ପିଟାଲ ଆଦିରେ ପ୍ରାୟ ୯୪,୦୦୦ ବେଡ୍ ପ୍ରସ୍ତୁତ କରାଯାଇଥିଲା । ଆଇ.ସି.ୟୁ. ଏବଂ ଏଚ୍.ଡି.ୟୁ. ମାନଙ୍କରେ ପ୍ରାୟ ୩୫୦୦ ବେଡ୍ ପ୍ରସ୍ତୁତ କରାଯାଇଥିଲା । ଏବଂ ୧୧୦୨ ଟି ଭେଣ୍ଟିଲେଟର କାର୍ଯ୍ୟକ୍ଷମ କରାଯାଇଥିଲା ।

ବିଭିନ୍ନ ଦେଶ ଓ ରାଜ୍ୟରେ ତୃତୀୟ ଲହରର ସଂକ୍ରମଣ ହାର ଅଧିକ ଥିବାରୁ ଆମ ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ନିମନ୍ତେ ଅଧିକ ମାତ୍ରାରେ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଆବଶ୍ୟକୀୟ ଔଷଧ, ପରୀକ୍ଷା ଉପକରଣ, ଚିକିତ୍ସା ସରଞ୍ଜାମ, ଅକ୍ସିଜେନ୍ ଆଦି ଆଗୁଆ ଉପଲବ୍ଧ ରଖିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ପବ୍ଲିକ୍ ହେଲଥ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ । ବିଭିନ୍ନ ପୌର ପରିଷଦର କମିଶନର ଓ ଜିଲ୍ଲାପାଳମାନେ ବାସ୍ତବ ସ୍ଥିତି ଏବଂ କୋଭିଡ୍ ପ୍ରସ୍ତୁତି ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଜଣାଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details