ଓଡିଶା

odisha

By

Published : Dec 1, 2021, 9:20 PM IST

ETV Bharat / city

Cyclone Jawad Update; ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର(Chief Secretary Suresh Chandra Mohapatra )ଙ୍କ ଅଧ୍ୟକ୍ଷତାରେ ବସିଥିଲା ବାତ୍ୟା ମୁକାବିଲା ବୈଠକ । ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଭିସି ଜରିଆ(video conferencing)ରେ ଏହି ବୈଠକ ବସିଥିଲା । ଅଧିକ ପଢନ୍ତୁ

Cyclone Jawad Alert
Cyclone Jawad Alert

ଭୁବନେଶ୍ବର:ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର(Chief Secretary Suresh Chandra Mohapatra )ଙ୍କ ଅଧ୍ୟକ୍ଷତାରେ ବସିଥିଲା ବାତ୍ୟା ମୁକାବିଲା ବୈଠକ । ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ଭିସି ଜରିଆ(video conferencing)ରେ ଏହି ବୈଠକ ବସିଥିଲା ।

ଥାଇଲ୍ୟାଣ୍ଡ ନିକଟରେ ସଂଗଠିତ ହୋଇଥିବା ଲଘୁଚାପ ବଳୟ ଓଡିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟବର୍ତ୍ତୀ ହେବାର ସମ୍ଭାବନା ରହିଛି । ଏଥିପାଇଁ ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଭିଡିଓ କନଫେରେନସିଂ ମାଧ୍ୟମରେ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଲୋକସେବା ଭବନରୁ ଅନୁଷ୍ଠିତ ହୋଇଥିଲା ବାତ୍ୟା ମୁକାବିଲା ବୈଠକ । ବୈଠକରେ ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର(Special Relief Commissioner) ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ଆଇଏମଡି(IMD) ଅନୁସାରେ ଜୱାଦ(Cyclone Jawad) ଆସନ୍ତା ୪ ତାରିଖ ସୁଦ୍ଧା ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶର ନିକଟବର୍ତ୍ତୀ କୂଳରେ ପହଞ୍ଚିବ । ଫଳରେ ୩ ତାରିଖ ସକାଳୁ ଓଡିଶା ଉପକୂଳ ନିକଟବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହା ସହ ୭୦-୯୦ କି.ମି ବେଗରେ ପବନ ବହିବାର ପୂର୍ବାନୁମାନ କରାଯାଇଛି । ତେବେ ଆସନ୍ତାକାଲି ଭାରତୀୟ ପାଣିପାଗ ବିଭାଗଙ୍କ ତରଫରୁ ବାତ୍ୟାର ଗତିପଥ ଓ ପବନର ଗତି ବିଷୟରେ ଅଧିକ ସୂଚନା ମିଳିବ ।

ଯାଜପୁର, ଢେଙ୍କାନାଳ, ଗଜପତି, କଟକ, ଭଦ୍ରକ, ବାଲେଶ୍ବର, ଗଞ୍ଜାମ, ନୟାଗଡ, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, ମୟୁରଭଞ୍ଜ ଆଦି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ସେମାନଙ୍କ ପ୍ରସ୍ତୁତି ବିଷୟରେ ମୁଖ୍ୟ ଶାସନ ସଚିବ ସିଧା ସଳଖ କଥା ହୋଇଛନ୍ତି । 3 ତାରିଖ ବେଳକୁ ବାତ୍ୟାର ଗତିପଥ ଜଣାପଡିବ । ପରେ ତଳୁଆ ଏବଂ କଚ୍ଚାଘରେ ରହୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ଆଣିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବହୁମୁଖି ବନ୍ୟା-ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ପୂର୍ଣ୍ଣ ପ୍ରସ୍ତୁତ କରିବା, ଆଶ୍ରୟସ୍ଥଳ ପରିଚାଳନା ଟିମଙ୍କୁ ପୂର୍ବରୁ କାର୍ଯ୍ୟରେ ନିୟୋଜିତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଶୁଖିଲା ଖାଦ୍ୟ ଏବଂ ରିଲିଫ ପଦାର୍ଥର ଉପଲବଧି ବିଷୟରେ ସଜାଗ ରହିବା, ଡାକବାଜି ଯନ୍ତ୍ର ଯୋଗେ ଲୋକ ମାନଙ୍କୁ ଆଗୁଆ ସୂଚନାଦେବା, ଆସନ୍ନପ୍ରସବା ମହିଳା ଏବଂ ନିଃସହାୟ ବୃଦ୍ଧ ବୃଦ୍ଧାମାନଙ୍କୁ ଆଗୁଆ ନିରାପଦସ୍ଥାନକୁ ନେବା ଆଦି ସଠିକ ବ୍ୟବସ୍ଥା ନିଶ୍ଚିତ କରାଇବା ପାଇଁ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

‘ଜୱାଦ’ ପ୍ରଭାବରେ ଭୀଷଣ ବର୍ଷାହେବାର ସମ୍ଭାବନା ଥିବାରୁ କଟକ, ଭୁବନେଶ୍ବର, ବାଲେଶ୍ବର, ଭଦ୍ରକ, ଯାଜପୁର ଆଦି ସହରାଞ୍ଚଳରେ ବର୍ଷାଜଳ ନିଷ୍କାସନ ନାଳ ସବୁକୁ ସଫା କରିବାସହ ସମ୍ବେଦନଶୀଳ ଖାଲୁଆ ସ୍ଥାନମାନଙ୍କରେ ପାଣି ନିଷ୍କାସନ ପମ୍ପ ପ୍ରସ୍ତୁତ ରଖିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଦିଆଯାଇଥିବା ପରାମର୍ଶ ଗୁଡିକୁ କୃଷକମାନଙ୍କ ନିମନ୍ତେ ବ୍ୟପକଭାବେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ପାଚି ଯାଇଥିବା ଫସଲ ଏବଂ ପରିପକ୍ବ ପନିପରିବା ଆଦିକୁ ଆଗୁଆ ଅମଳକରି ନିରାପଦ ସ୍ଥାନକୁ ଆଣିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଉନ୍ନୟନ କମିଶନର କହିଛନ୍ତି ଯେ, ଇତି ମଧ୍ୟରେ ଓଡ୍ରାଫ, ଏନଡିଆରଏଫ ଏବଂ ଫାୟାର ସର୍ଭିସ ଟିମ ମାନଙ୍କୁ ପ୍ରସ୍ତୁତ କରାଯାଇଛି । ପ୍ରାୟ ୧୦୮ ଓଡ୍ରାଫ ଓ ଏନଡଆରଏଫ ଟିମ ଏବଂ ୨୦୦ ଫାୟାର ସର୍ଭିସ ଟିମଙ୍କୁ ଆବଶ୍ୟକତା ଅନୁସାରେ ମୁତୟନ କରାଯିବ । ସ୍ବତନ୍ତ୍ର ରିଲିଫ କମିଶନରଙ୍କ ତରଫରୁ ଦିଆଯାଇଥିବା ୮- ସୁତ୍ରୀ ଚେକ ଲିଷ୍ଟ ସହ ବନ୍ୟା-ବାତ୍ୟା ପାଇଁ ନିର୍ଦ୍ଧାରିତ କାର୍ଯ୍ୟ ପଦ୍ଧତି(ଏସଓପି) ଅନୁସାରେ ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟ ଶାସନ ସଚିବ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଉନ୍ନୟନ କମିଶନର ୮-ସୁତ୍ରୀ ଚେକ ଲିଷ୍ଟ ବିଷୟରେ ସୂଚନା ଦେଇଛନ୍ତି । ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ସଂପୃକ୍ତ ବିଭାଗ ଏବଂ ଜନପ୍ରତିନିଧିଙ୍କୁ ସାମିଲ କରି ତୁରନ୍ତ ସମନ୍ବୟ ବୈଠକ କରିବା, ଆବଶ୍ୟକତା ଅନୁସାରେ ଲୋକଙ୍କ ସ୍ଥାନାନ୍ତର ପାଇଁ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା, ଜଣେ ଅଭିଜ୍ଞ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ବାବଧାନରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟକାରୀ କରିବା, ସ୍ଥାନାନ୍ତର ହେଉଥିବା ଲୋକ, ଶିଶୁ ଓ ପିଲାମାନଙ୍କ ନିମନ୍ତେ ଖାଦ୍ୟ ପଦାର୍ଥ ଉପଲବଧ ନିଶ୍ଚିତ କରିବା, ଆଶ୍ରୟସ୍ଥଳୀ ମାନଙ୍କରେ ପାଇଖାନା ଓ ଗାଧୁଆଘର ଆଦି ପରିସ୍କାର ପରିଚ୍ଛନ୍ନର ବ୍ୟବସ୍ଥା କରିବା, ଆଶ୍ରୟସ୍ଥଳୀ ମାନଙ୍କରେ କୋଭିଡ ନିୟମ ଅନୁପାଳନ ନିଶ୍ଚିତ କରାଇବା, ଆଶ୍ରୟ ସ୍ଥଳୀମାନଙ୍କରେ ପ୍ରାଥମିକ ଉପଚାର ବ୍ୟବସ୍ଥା ଏବଂ ତାହାର ସଠିକ ବ୍ୟବହାର ନିମନ୍ତେ ଅଭିଜ୍ଞ ସ୍ବେଚ୍ଛାସେବୀ ନିୟୋଜନ କରିବା, ପ୍ରତି ଆଶ୍ରୟସ୍ଥଳୀ ପାଇଁ ଜଣେ ଆଶାକର୍ମୀ, ଅଙ୍ଗନାବାଡି କର୍ମୀ, ଅଙ୍ଗନାବାଡି ସହାୟିକା, ମହିଳା ହୋମଗାର୍ଡଙ୍କୁ ପୂର୍ବ ମୁତୟନ କରିବାକୁ ପରାମର୍ଶ ଦେଇଛନ୍ତି । ଏହାବାଦ ଆସନ୍ନ ପ୍ରସବ ମା’ମାନଙ୍କୁ ଆଗୁଆ ନିକଟବର୍ତ୍ତୀ ସ୍ବାସ୍ଥ୍ୟକେନ୍ଦ୍ର ବା ଡାକ୍ତରଖାନାକୁ ସ୍ଥାନାନ୍ତରଣ କରିବା ଆଦି ବିଷୟରେ ଏହି ୮-ସୁତ୍ରୀ ଚେକ ଲିଷ୍ଟରେ କୁହାଯାଇଛି ।

ଅନ୍ୟପଟେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାପାଳ ମାନେ ଭିସି ଯୋଗେ ସାମିଲ ହୋଇ ନିଜ ନିଜ ଜିଲ୍ଲାର ପ୍ରସ୍ତୁତି ବିଷୟରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details