ଓଡିଶା

odisha

ETV Bharat / city

ଲକ୍ଷ୍ୟ ହାସଲ ନିମନ୍ତେ ଦକ୍ଷତା ବୃଦ୍ଧି କରିବାକୁ ବିଭାଗମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ - ଲକ୍ଷ୍ୟ ହାସଲ ନିମନ୍ତେ ଦକ୍ଷତା ବୃଦ୍ଧି

ଶିକ୍ଷା, ସ୍ବାସ୍ଥ୍ୟ, ମହିଳା ସଶକ୍ତିକରଣ, ଶିଳ୍ପ ଏବଂ ସାମାଜିକ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ସହ ଓଡ଼ିଶା ବର୍ତ୍ତମାନ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍.ଡି.ଜି) ହାସଲ ପଥରେ ଦୃଢ଼ ଅଗ୍ରସର ହେଉଛି । ଏଥିପାଇଁ ଯୋଜନା ଓ ସମନ୍ଵୟ ବିଭାଗରେ ଏକ ସ୍ବତନ୍ତ୍ର ପ୍ରକଳ୍ପ ତତ୍ତ୍ୱାବଧାନ ୟୁନିଟ୍ (ପି.ଏମ୍.ୟୁ) ଗଠନ କରାଯାଇଛି । ଅଧିକ ପଢନ୍ତୁ...

Chief Secretary directed the departments
ଲକ୍ଷ୍ୟ ହାସଲ ନିମନ୍ତେ ଦକ୍ଷତା ବୃଦ୍ଧି କରିବାକୁ ବିଭାଗମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

By

Published : Oct 29, 2021, 10:55 PM IST

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଶିକ୍ଷା , ସ୍ବାସ୍ଥ୍ୟ, ମହିଳା ସଶକ୍ତିକରଣ, ଶିଳ୍ପ ଏବଂ ସାମାଜିକ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ସହ ଓଡ଼ିଶା ବର୍ତ୍ତମାନ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍.ଡି.ଜି) ହାସଲ ପଥରେ ଦୃଢ଼ ଅଗ୍ରସର ହେଉଛି । ଏଥିପାଇଁ ଯୋଜନା ଓ ସମନ୍ଵୟ ବିଭାଗରେ ଏକ ସ୍ବତନ୍ତ୍ର ପ୍ରକଳ୍ପ ତତ୍ତ୍ୱାବଧାନ ୟୁନିଟ୍ (ପି.ଏମ୍.ୟୁ) ଗଠନ କରାଯାଇଛି । ପି.ଏମ୍.ୟୁ. ଗଠନ ନିମନ୍ତେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ଉପସ୍ଥିତିରେ ଆର୍ନଷ୍ଟ ଆଣ୍ଡ୍ ୟଙ୍ଗ୍‌ଙ୍କ ସହ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି ।

ରାଜ୍ୟ ଲୋକସେବା ଭବନଠାରେ ଅନୁଷ୍ଠିତ ଏ ସମ୍ବନ୍ଧିତ ବୈଠକରେ ଯୋଜନା ଓ ସମନ୍ବୟ ବିଭାଗର ସ୍ବତନ୍ତ୍ର ଅଧିକାରୀ ତଥା ସ୍ବତନ୍ତ୍ର ଶାସନ ସଚିବ ଦେବେନ୍ଦ୍ର କୁମାର ଜେନା ଏବଂ ଆର୍ନଷ୍ଟ ଆଣ୍ଡ୍ ୟଙ୍ଗ୍ କଂପାନୀର ପରାମର୍ଶଦାତା ସହଭାଗୀ ରୋହିତ୍ ଅଗ୍ରୱାଲ୍ ସ୍ବାକ୍ଷର କରିଛନ୍ତି । ଚୁକ୍ତିପତ୍ରରେ ଥିବା ବିଭିନ୍ନ ବିଷୟ ଅନୁଧ୍ୟାନ କରି ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଏସ୍.ଡି.ଜି ବିଶ୍ବ ସମୁଦାୟ ଦ୍ବାରା ସ୍ଥିରିକୃତ ଲକ୍ଷ୍ୟ । ପରିବର୍ତ୍ତିତ ବିଶ୍ବ ପରିସ୍ଥିତିରେ ଏସ୍.ଡି.ଜି. ଲକ୍ଷ୍ୟ ହାସଲ ଏକାନ୍ତ ଜରୁରୀ । ଏହା ମାଧ୍ୟମରେ ସମନ୍ବିତ ଏବଂ ନିରନ୍ତର ଅବିବୃଦ୍ଧି ହାସଲ ସହ ସାମାଜିକ ନ୍ୟାୟ ବଜାୟ ରହିବ । ଏସ୍.ଡି.ଜି. ହାସଲ ପ୍ରକ୍ରିୟାକୁ ଲକ୍ଷ୍ୟଭେଦୀ ଏବଂ ତ୍ବରାନ୍ବିତ କରିବା ନିମନ୍ତେ ଅନ୍ତବିଭାଗୀୟ ଦକ୍ଷତା ବୃଦ୍ଧି କରିବା ପାଇଁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।



ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ଏହି ପି.ଏମ୍.ୟୁ. ଏସ୍.ଡି.ଜି. ୨୦୩୦ ହାସଲ ନିମନ୍ତେ ବିଭିନ୍ନ ବିଭାଗମାନଙ୍କ ସହ ସମନ୍ବିତ ଭାବେ କାର୍ଯ୍ୟ କରିବ । ବହୁମୁଖୀ ଦ୍ରାରିଦ୍ର୍ୟ ମାନକ ଅନୁସାରେ ରାଜ୍ୟର ବିକାଶ ପ୍ରକ୍ରିୟା ତ୍ବରାନ୍ବିତ କରିବାରେ ମଧ୍ୟ ସହାୟକ ହେବ । ବିଭିନ୍ନ ଯୋଜନା ଓ ପ୍ରକଳ୍ପ ଆଦି ବିଷୟରେ ଥିବା ବିକ୍ଷିପ୍ତ ତଥ୍ୟକୁ ସମନ୍ବିତ କରି ଆବଶ୍ୟକ ପଡୁଥିବା ପଦକ୍ଷେପ ବିଷୟରେ ତଥ୍ୟ - ଭିଭିକ ସୂଚନା ଦେବ । ଏହି ତଥ୍ୟ- ଭିତ୍ତିକ ସୂଚନା ରାଜ୍ୟର ଯୋଜନା ପ୍ରସ୍ତୁତି ଏବଂ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ପରିଚାଳନାରେ ସହାୟକ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପି.ଏମ୍.ୟୁ ଏସ୍.ଡି.ଜି. ର ଅନୁଧାବନ ନିମନ୍ତେ ଏକ ମୂଳ ତଥ୍ୟ-ଭିର୍ତିକ ରିପୋର୍ଟ ପ୍ରସ୍ତୁତ କରିବ । ଏହା ପରେ ପ୍ରତିବର୍ଷ ବାର୍ଷିକ ରିପୋର୍ଟ ପ୍ରସ୍ତୁତ ହେବ । ମୂଳ ତଥ୍ୟ-ଭିର୍ତିକ ସହ ବାର୍ଷିକ ରିପୋର୍ଟର ତୁଳନାକରି କେଉଁ କ୍ଷେତ୍ରରେ କିପରି ପଦକ୍ଷେପ ଓ ପୁଞ୍ଜିନିବେଶର ଆବଶ୍ୟକତା ଅଛି ତାହା ନିର୍ଦ୍ଧାରଣ କରାଯିବ । ପି.ଏମ୍.ୟୁ. ଉଭୟ ରାଜ୍ୟ ଏବଂ ଜିଲ୍ଲାସ୍ତରରେ ଏସ୍.ଡି.ଜି. ହାସଲ ପ୍ରକ୍ରିୟାର ତତ୍ତ୍ୱାବଧାନ କରିବ ।



ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଆର୍ନଷ୍ଟ ଆଣ୍ଡ ୟଙ୍ଗ୍‌ର ନିର୍ଦ୍ଦେଶକ ଗୌରବ ତାନେଜାଙ୍କ ସମେତ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଏହି ଚୁକ୍ତି ସ୍ବାକ୍ଷର ବୈଠକରେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ABOUT THE AUTHOR

...view details