ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସିଙ୍ଗିଲ୍ ୱିଣ୍ଡୋ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୦ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପକୁ ନୀତିଗତ ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୧୯୨୩.୬୦ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବ । ଏହା ସହ ୫୧୭୦ ଜଣଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ବୈଠକରେ କୁହାଯାଇଛି ।
ଲୋକସେବା ଭବନରୁ ଭିସି ଜରିଆରେ ଅନୁଷ୍ଠିତ ଏହି ବୈଠକ ଅନୁଷ୍ଠିତ ହୋଇଛି । ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡିକର ବୈଷୟିକ ଓ ଆର୍ଥିକ ଦକ୍ଷତା ବିଷୟ ଉପସ୍ଥାପନ କରିଥିଲେ । ସେ କହିଛନ୍ତି ଯେ, ‘‘ପ୍ରକଳ୍ପ ଗୁଡିକ ମୁଖ୍ୟତଃ ଆଲୁମିନିଅମ୍ ଓ ଷ୍ଟିଲ୍, ଡ଼ାଉନଷ୍ଟ୍ରିମ୍, ଅଣପାରମ୍ପରିକ ଶକ୍ତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କୃଷି ଉତ୍ପାଦ ଓ ଖାଦ୍ୟ ପ୍ରକ୍ରିୟାକରଣ, ତୈଳ ଓ ଗ୍ୟାସ୍, ବୈଦୁତିକ ପଦାର୍ଥ ଉତ୍ପାଦନ, ଭିତ୍ତିଭୂମି, ପର୍ଯ୍ୟଟନ, ବୈଷୟିକ ବୟନ, ରସାୟନ ଏବଂ ମାନୁଫାକ୍ଚରିଂ ସେକ୍ଟର ଅନ୍ତର୍ଭୁକ୍ତ । ଏସବୁ ପ୍ରକଳ୍ପ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟର ଆର୍ଥିକ ପ୍ରଗତିରେ ସହାୟକ ହେବ । ଶିଳ୍ପାୟନ ମାଧ୍ୟମରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଦ୍ରୁତ ଆର୍ଥିକ ପ୍ରଗତି ହାସଲ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ସରକାରଙ୍କ ପ୍ରଗତିଶୀଳ ଶିଳ୍ପ ନୀତି, ସ୍ବଚ୍ଛ ପ୍ରଶାସନିକ ବ୍ୟବସ୍ଥା, ପୁଞ୍ଜିନିବେଶକାରୀ ମାନଙ୍କ ସହ ଆଲୋଚନା ଓ ବ୍ୟବସାୟ ଅନୁକୂଳ ବାତାବରଣ ଯୋଗୁ ଓଡ଼ିଶା ନୂଆ ପୁଞ୍ଜିନିବେଶ ପ୍ରସ୍ତାବ ଆକର୍ଷିତ କରିବାରେ ରାଜ୍ୟ ଆଗୁଆ ହୋଇଛି । ’’