ଭୁବନେଶ୍ବର:ବିଶ୍ୱ ମହାମାରୀ କୋଭିଡ଼ ନିମନ୍ତେ ଲାଗୁ କରାଯାଇଥିବା ସଟଡ଼ାଉନ୍ ଓ ଲକଡ଼ାଉନ୍ ସମ୍ବନ୍ଧିତ ଅସୁବିଧା ସତ୍ତ୍ବେ ଚଳିତ ଆର୍ଥିକ ବର୍ଷରେ ଓଡ଼ିଶା ଗ୍ରାମୀଣ ଆବାସ ଓ ଶ୍ରମ ନିଯୁକ୍ତି ଯୋଜନାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଡ଼ିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି ।
ଜିଲ୍ଲାଓ୍ୱାରୀ ସମୀକ୍ଷାରୁ ଜଣାପଡିଥିଲା ଯେ ଚଳିତ ଆର୍ଥିକ ବର୍ଷରେ ୫ ଅଗଷ୍ଟ ସୁଦ୍ଧା ୧ ଲକ୍ଷ ଗୃହ ନିର୍ମାଣ ସଂପୂର୍ଣ୍ଣ ହୋଇଛି । ଗତ ବର୍ଷ ଏହି ସମୟ ମଧ୍ୟରେ ୪୪,୦୦୦ ଗୃହ ସଂପୂର୍ଣ୍ଣ ହୋଇଥିଲା । ଚଳିତ ବର୍ଷ ଶେଷସୁଦ୍ଧା ୭ ଲକ୍ଷ ଗୃହ ନିର୍ମାଣ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ପ୍ରତି ଜିଲ୍ଲାକୁ ଟାର୍ଗେଟ୍ ଦିଆଯାଇଥିଲା ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ ଶେଷ ସହ ନିର୍ମାଣର ଗୁଣାତ୍ମକମାନ ନିଶ୍ଚିତ କରାଇବାକୁ ମୁଖ୍ୟ ଶାସନ ସଚିବ ବ୍ଲକ୍ ସ୍ତରୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ।
ପୂର୍ବରୁ ଗ୍ରାମ ସଭା ମାଧ୍ୟମରେ ତିଆରି ହୋଇଥିବା ପକ୍କାଘର ପାଇଁ 'ୱେଟିଂ ଲିଷ୍ଟ' ରେ ପ୍ରାୟ ୫୭,୦୦୦ ଭୂମିହୀନ ପରିବାର ଅଛନ୍ତି ବୋଲି ସମୀକ୍ଷାରୁ ଜଣାପଡିଥିଲା । ଏମାନଙ୍କୁ ତୁରନ୍ତ ଘରବାଡି ଯୋଗାଇଦେଇ ପକ୍କାଘର ମଞ୍ଜୁର କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ପ୍ରଚଳିତ ରାଜସ୍ୱ ବିଭାଗ ନିୟମ ଅନୁସାରେ ଜମି ଯୋଗାଯାଇ ପାରୁନଥିବା ପରିବାରମାନଙ୍କ ବିବରଣୀ ସରକାରଙ୍କ ନିକଟକୁ ତୁରନ୍ତ ପଠାଇବା ପାଇଁ ଅସିତ୍ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ଯେପରିକି ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇ ପାରିବ ।