ଭୁବନେଶ୍ବର: ଆଜି(ଶନିବାର) ସୁନ୍ଦରଗଡ଼ ଗସ୍ତରେ ଯିବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ 5-T ସଚିବ ଭିକେ ପାଣ୍ଡିଆନ । ତାଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ । ଗସ୍ତ ଅବସରରେ ସୁନ୍ଦରଗଡର ବିଭିନ୍ନ ସ୍କୁଲ ଗସ୍ତ କରି ଉନ୍ନତିମୂଳକ କାର୍ଯ୍ୟର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।
ଏହାସହ ଜିଲ୍ଲା ଓ ବ୍ଳକସ୍ତରର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବେ । ରାଜ୍ୟ ସରକାରଙ୍କ 5-T ଓ ‘ମୋ ସରକାର’ ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ‘ହାଇସ୍କୁଲ ଟ୍ରାନ୍ସଫର୍ମେସନ’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସ୍ମାର୍ଟ କ୍ଲାସ ରୁମ, ଇ-ଲାଇବ୍ରେରୀ କରାଯିବା ସହ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଉଛି । ହାଇସ୍କୁଲରେ ସ୍ମାର୍ଟ କ୍ଲାସରୁମରେ ପାଠପଢ଼ା ସହ ଇ-ଲାଇବ୍ରେରି, ବିଜ୍ଞାନାଗାର, ଖେଳପଡ଼ିଆ, ପାନୀୟ ଜଳ ଏବଂ ସ୍ୱଚ୍ଛ ଶୌଚାଳୟ ଆଦି ନିର୍ମାଣ କରାଯାଉଛି । ସୁନ୍ଦରଗଡ଼ ଜିଲ୍ଲାରେ ସରକାରୀ, ଅନୁଦାନପ୍ରାପ୍ତ ଓ ଟିଆର୍ଡବ୍ଲ୍ୟୁ ହାଇସ୍କୁଲକୁ ମିଶାଇ ମୋଟ ୩୮୩ ଟି ସ୍କୁଲ ରହି ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ହାତକୁ ନିଆଯାଇଛି ।