ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ଚିନ୍ତା । ପୁନର୍ବାର ପ୍ରଦୀପ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ବାବଦରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଆଜି (ମଙ୍ଗଳବାର) AIIMS କର୍ତ୍ତୃପକ୍ଷ ଓ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ନବୀନ ।
କୋଭିଡ ସଂକ୍ରମିତ ହୋଇ ଏମ୍ସରେ ଭର୍ତ୍ତି ହୋଇଛନ୍ତି ପ୍ରଦୀପ୍ତ । ଗତ 16 ଦିନ ହେଲା ଏମ୍ସ ଆଇସିୟୁରେ ଅଛନ୍ତି । ପ୍ରଦୀପ୍ତଙ୍କ ଚିକିତ୍ସାର ଯତ୍ନ ନେଉଥିବା ଏମ୍ସ ଓ ଏସସିବି ଡାକ୍ତରଙ୍କ ସହ ଆଜି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଦୀପ୍ତଙ୍କ ଆରଟିପିସିଆର (RTPCR ) ରିପୋର୍ଟ ନେଗେଟିଭ ଆସିଛି । ତଥାପି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍ଗୀନ ରହିଛି । କୋଭିଡ ସଂକ୍ରମଣ ଯୋଗୁଁ ପ୍ରଦୀପ୍ତଙ୍କ ଫୁସଫୁସ ପ୍ରଭାବିତ ହୋଇଛି । ତେଣୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆଣିବା ଲାଗି ଡାକ୍ତରମାନେ ଯଥାସମ୍ଭବ ଉଦ୍ୟମ କରୁଛନ୍ତି ।
ପ୍ରଦୀପ୍ତଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ସହାୟତା ଯୋଗାଇ ଦେଇଛନ୍ତି । ଏଥିପାଇଁ ଏମ୍ସ ନିର୍ଦ୍ଦେଶକ ଗୀତାଞ୍ଜଳି ବି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଡାକ୍ତରଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ପ୍ରଦୀପ୍ତଙ୍କୁ ସର୍ବୋତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଏଥିପାଇଁ ପାଇଁ ଯାହା ଆବଶ୍ୟକ ପଡିବ ରାଜ୍ୟ ସରକାରଙ୍କ ସମସ୍ତ ସହଯୋଗ କରିବାକୁ ପ୍ରସ୍ତୁତ ଥିବା ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହ ପ୍ରଦୀପ୍ତଙ୍କ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।