ଓଡିଶା

odisha

ସ୍ବାଭିମାନ ଅଞ୍ଚଳବାସୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଦେଖାଇଲେ ବିକାଶର ଚିତ୍ର

By

Published : Nov 17, 2020, 1:59 PM IST

ମାଲକାନଗିରି ସ୍ବାଭିମାନ ଅଞ୍ଚଳବାସୀଙ୍କ ସହିତ ଭିସି ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନେକ ବିକାଶ ମୂଳକ କାର୍ଯ୍ୟ ଉପରେ କଲେ ଆଲୋକପାତ । ଅଧିକ ପଢନ୍ତୁ...

ସ୍ବାଭିମାନ ଅଞ୍ଚଳବାସୀ
ସ୍ବାଭିମାନ ଅଞ୍ଚଳବାସୀ

ଭୁବନେଶ୍ବର: ମାଲକାନଗିରି ସ୍ବାଭିମାନ ଅଞ୍ଚଳର ଲୋକଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିସି ଯୋଗେ ସ୍ବାଭିମାନ ଅଞ୍ଚଳବାସୀଙ୍କ ଲାଗି କରାଯାଇଥିବା ଅନେକ ବିକାଶ ମୂଳକ କାର୍ଯ୍ୟ ଉପରେ କଲେ ଆଲୋକପାତ । ଏହାସହ ଆଗାମୀ ଦିନ ପାଇଁ ଦେଖାଇଲେ ବିକାଶର ନୂଆ ସ୍ବପ୍ନ ।

ଆଜି ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଯୋଗେ ସ୍ବାଭିମାନ ଅଞ୍ଚଳବାସୀଙ୍କ ସହିତ କଥା ହୋଇଛନ୍ତି । ସ୍ବାଭିମାନ ଅଞ୍ଚଳର ବିକାଶ କାମକୁ ଆଗେଇ ନେବାକୁ ସେତେବେଳେ ସେତୁ ଯୋଜନାରେ 100 କୋଟି ଟଙ୍କାର ସ୍ପେଶାଲ ପ୍ୟାକେଜ ଘୋଷଣା ହୋଇଥିଲା । ପରେ ଏହାକୁ 215 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିରେ ଶିକ୍ଷା ଠାରୁ ଆରମ୍ଭ କରି ଜୀବିକା, ସ୍ବାସ୍ଥ୍ୟ ସେବା, ଯୋଗାଯୋଗ, ପିଇବା ପାଣି, ଜଳସେଚନ, ଘର, ବ୍ୟାଙ୍କ ସେବା ଆଦି ବିଷୟ ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ନବୀନ କହିଛନ୍ତି ।

ଏହାସହ ମିଶନ ଶକ୍ତିର ମା’ ମାନଙ୍କ ପାଇଁ ଏକ୍ସପୋଜର ଭିଜିଟ୍‌ର ମଧ୍ୟ ବ୍ୟବସ୍ଥା କରାଯାଇଛି । ସ୍ବାଭିମାନ ଅଞ୍ଚଳରେ ଭଲ ହଳଦୀ ଚାଷ କରାଯାଏ । ଏହାର ମଧ୍ୟ ବହୁତ ଆଦର ରହିଛି । ତେଣୁ ସ୍ବାଭିମାନ ଅଞ୍ଚଳରେ ଅଧିକ ହଳଦୀ ଚାଷ ସହିତ ପ୍ରୋସେସିଂ ଏବଂ ବ୍ରାଣ୍ଡିଂ ପାଇଁ ପଦକ୍ଷେପ ନିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ବିଜୁଳି ସେବା ପାଇଁ 33 x 11 କେଭି ସବଷ୍ଟେସନ କାମ ଖୁବଶୀଘ୍ର ଶେଷ ହେବ ଏବଂ 11 କେଭି 3 ଫେଜ୍‌ ଲାଇନ କନେକସନ ଦିଆଯିବ। ଗାଁ ଗାଁରେ କଂକ୍ରିଟ ରାସ୍ତାଠାରୁ ଆରମ୍ଭ କରି 78 କିମି ପିଚୁ ରାସ୍ତା ଓ 7ଟି ସେତୁ ପାଇଁ 100 କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି ।

ସେହିପରି ଭଲ ପିଇବା ପାଣି ପାଇଁ 20 କୋଟି ଟଙ୍କାରେ ଗୋଟିଏ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଛି । 250ଟି ଟ୍ୟୁବ୍‌ ୱେଲ କାମ ଶେଷ ହୋଇଛି । 32 କୋଟି ଟଙ୍କା ଖର୍ଚ୍ଚରେ ଜଳସେଚନ ପାଇଁ 43ଟି ଉଠା ଜଳସେଚନ ପ୍ରକଳ୍ପ ଏବଂ 419ଟି କ୍ଲଷ୍ଟର ଡିପ୍‌ ବୋର ୱେଲ କରାଯିବ। ଏହାଦ୍ବାରା 1700ହେକ୍ଟର ଜମିକୁ ପାଣି ମିଳିପାରିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ବାଭିମାନ ଅଞ୍ଚଳବାସୀଙ୍କୁ କହିଛନ୍ତି ।

ସ୍ବାଭିମାନ ଅଞ୍ଚଳର 82ଟି ଅଙ୍ଗନବାଡି କେନ୍ଦ୍ର ସହିତ ସ୍ବାସ୍ଥ୍ୟ ସୁବିଧା ପାଇଁ ଅନେକ କାମ ଚାଲିଛି ଏବଂ ଖୁବଶୀଘ୍ର ଏହା ଶେଷ ହେବ ବୋଲି ସେ ଜଣାଇଛନ୍ତି । ଖୁସିର କଥା ସ୍ବାଭିମାନ ଅଞ୍ଚଳରେ 4ଟି ମୋବାଇଲ୍‌ ଟାୱାର ହୋଇଥିବାବେଳେ 4ଜି ସୁବିଧା ସହ ଆଉ ତିନୋଟି ଟାୱାର କରିବାକୁ ଆମର ଯୋଜନା ରହିଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ସେ ଭାରତ ଇନଫ୍ରାଟେଡ ପ୍ରାଇଭେଟ ଲିମିଟେଡକୁ ଧନ୍ୟବାଦ ଜଣାଇଛନ୍ତି ।

ଏହା ସହିତ ସ୍ବାଭିମାନ ଅଞ୍ଚଳର ସବୁ ପରିବାରକୁ ରାଜ୍ୟ ସରକାର ମାଗଣାରେ ସ୍ମାର୍ଟ ଫୋନ ଯୋଗାଇଦେବେ । ଆଜି ଆପଣଙ୍କ ଅଞ୍ଚଳରେ ମୋବାଇଲ ଫୋନ ବଣ୍ଟନ କାମ ଆରମ୍ଭ କରି ମୁଁ ବହୁତ ଖୁସି ବୋଲି ଏହି ଅବସରରେ ନବୀନ କହିଛନ୍ତି ।

ସେପଟେ ନକ୍ସଲ ପନ୍ଥୀଙ୍କୁ ହିଂସା ଛାଡି ମୁଖ୍ୟସ୍ରୋତକୁ ଫେରିଆସି ବିକାଶର କାମକୁ ଆଗେଇ ନେବାରେ ସହଯୋଗ କରିବାକୁ ନବୀନ ଅନୁରୋଧ କରିଛନ୍ତି । ସ୍ବାଭିମାନ ଅଞ୍ଚଳ ସବୁବେଳେ ମୋ ହୃଦୟରେ ରହିଛି । ଏ ଅଞ୍ଚଳକୁ ରାଜ୍ୟର ଏକ ଆଗୁଆ ଅଞ୍ଚଳ ଭାବରେ ଗଢି ତୋଳିବା ପାଇଁ ମୋ ଉଦ୍ୟମ ଜାରି ରହିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details