ଭୁବନେଶ୍ବର: ରାଜ୍ୟରେ କୋରୋନା ମୁକାବିଲାରେ ସରକାର ଏକ ପ୍ରକାର ବିଫଳ ହୋଇଛନ୍ତି । ପ୍ରତିଦିନ ରାଜ୍ୟରେ କୋରୋନା ମୃତ୍ୟୁ ହେଉଥିବାବେଳେ ସରକାର ରାଜ୍ୟବାସୀଙ୍କୁ ମିଥ୍ୟା ତଥ୍ୟ ଦେଇ ସତ୍ୟକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଯେଉଁଥିପାଇଁ ରାଜ୍ୟର ମୁଖିଆ ହିସାବରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ଦାବି କରିଛି ।
ରାଜ୍ୟବାସୀଙ୍କୁ କୋଭିଡ ସଂକ୍ରାନ୍ତୀୟ ମିଥ୍ୟା ତଥ୍ୟ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ବାଲେଶ୍ଵର ଜିଲ୍ଲାର ଏକ ଘଟଣାକୁ ପ୍ରମାଣ ସ୍ୱରୂପ ଦର୍ଶାଇ କଂଗ୍ରେସ କହିଛି ଯେ, ଏପର୍ଯ୍ୟନ୍ତ ବାଲେଶ୍ଵରରେ 100ରୁ ଊର୍ଦ୍ଧ୍ବ କୋରୋନାରେ ମୃତ୍ୟୁ ହୋଇଥିବାବେଳେ ମୁକ୍ତିଦ୍ୱାର କମିଟି ପାଖାପାଖି 82ଟି ଶବ ସତ୍କାର କରିଛି । କିନ୍ତୁ ସରକାର ଜିଲ୍ଲାରେ 21 ଜଣଙ୍କ କୋରୋନା ଦ୍ୱାରା ମୃତ୍ୟୁ ହୋଇଥିବା କହୁଛନ୍ତି, ଯାହାକି ସମ୍ପୂର୍ଣ୍ଣ ମିଥ୍ୟା ଅଟେ ।
ସେହିପରି କଂଗ୍ରେସ ଆହୁରି ଦାବି କରିଛି କି, ରାଜ୍ୟ ସରକାର କୋରୋନା ମୁକାବିଲା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଯାହାର ପ୍ରମାଣ ହେଉଛି ରାଜ୍ୟରେ ମେଡ଼ିକାଲମାନଙ୍କରେ ଯେତିକି ପରିମାଣରେ ଆଇସିୟୁ ଓ ଭେଣ୍ଟିଲେଟରର ଆବଶ୍ୟକ ତାହାର ଅଭାବ ରହିଛି । ଯାହା ଫଳରେ ଲୋକେ ଉପଯୁକ୍ତ ସୁବିଧା ପାଇବାରୁ ବଞ୍ଚିତ ହେବା ସହ ପ୍ରାଣ ହରାଇଛନ୍ତି । ତେବେ ସରକାର ଏହି ମିଛ ରିପୋର୍ଟକୁ ଉପସ୍ଥାପନ କରି ମିଛ ସାର୍ଟିଫିକେଟ ପାଇଁ ଯେଉଁ ବାହାବା ନେଉଛନ୍ତି ସେଥିରୁ ବିରତ ରୁହନ୍ତୁ ବୋଲି କଂଗ୍ରେସ କହିବା ସହ ରାଜ୍ୟ ସରକାର ଏହି ମିଛ ତଥ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି କହିଛି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ