ଭୁବନେଶ୍ବର:ଉଦଘାଟିତ ହୋଇଛି ଉତ୍କଳ ଆଲୁମିନାର ସମ୍ପ୍ରସାରିତ ରିଫାଇନାରୀ । ଭିଡିଓ କନଫରେନ୍ସିଂ ମାଧ୍ୟମରେ କାଶୀପୁରସ୍ଥିତ ଉତ୍କଳ ଆଲୁମିନାର ସମ୍ପ୍ରସାରିତ ରିଫାଇନାରୀର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମ୍ପ୍ରସାରିତ ଆଲୁମିନାର ରିଫାଇନାରୀରେ ଆଦିତ୍ୟ ବିର୍ଲା ଗ୍ରୁପ୍ 1500 କୋଟି ଟଙ୍କା ନିବେଶ କରିଛି । ସମ୍ପ୍ରସାରଣ ପରେ ବାର୍ଷିକ ଆଲୁମିନା ଉତ୍ପାଦନ କ୍ଷମତା 1.5 ମିଲିଅନ୍ ଟନରୁ 2 ମିଲିଅନ୍ ଟନକୁ ବୃଦ୍ଧି ପାଇଛି । ଏହି ନୂଆ ୟୁନିଟରେ 500ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ ।
କୋରୋନା କାଳରେ ସମ୍ପ୍ରସାରିତ ୟୁନିଟକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି । ମହାମାରୀ ପ୍ରଭାବରୁ ଅର୍ଥନୀତି ମୁକ୍ତ ହୋଇ ଅଭିବୃଦ୍ଧି ଆଡ଼କୁ ବଢ଼ୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ମହାମାରୀର ପ୍ରତିକୂଳ ପ୍ରଭାବରୁ ଓଡିଶାର ଅର୍ଥନୀତି ଟ୍ରାକକୁ ଫେରୁଛି । ମହାମାରୀର ପ୍ରଭାବ ସତ୍ତ୍ବେ ପୁଞ୍ଜିନିବେଶକାରୀ ଓଡିଶାରେ ସେମାନଙ୍କ ପ୍ରକଳ୍ପର ସମ୍ପ୍ରସାରଣ କରୁଛନ୍ତି । ମହାମାରୀ ପରଠାରୁ ରାଜ୍ୟରେ 4.5 ଲକ୍ଷ କୋଟିରୁ ଅଧିକ ଟଙ୍କା ବିନିଯୋଗ ହୋଇଛି । ଚଳିତ ବର୍ଷ ଜୁଲାଇରେ ରାଜ୍ୟର ଜିଏସଟି ସଂଗ୍ରହ ମଧ୍ୟ ପୂର୍ବ ବର୍ଷ ତୁଳନାରେ 54 ପ୍ରତିଶତ ଅଭିବୃଦ୍ଧି ପଞ୍ଜିକୃତ ହୋଇଛି।
ଓଡ଼ିଶାର ବିକାଶରେ ଆଦିତ୍ୟ ବିର୍ଲା ଗୋଷ୍ଠୀ ସକରାତ୍ମକ ଭୂମିକା ଗ୍ରହଣ କରିଛି । ଧାତୁ, ସିମେଣ୍ଟ, ଆର୍ଥିକ ସେବା, ବସ୍ତ୍ର ପରି ସେକ୍ଟରଗୁଡିକରେ ଏହାର ଅର୍ଥପୂର୍ଣ୍ଣ ଉପସ୍ଥିତି ସହିତ ଶିଳ୍ପ ବିକାଶର ଯାତ୍ରାରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ସମ୍ପ୍ରସାରଣ ପ୍ରକଳ୍ପ ଆଦିତ୍ୟ ବିର୍ଲା ଗ୍ରୁପ ଏବଂ ଓଡିଶା ମଧ୍ୟରେ ଦୀର୍ଘ ଦିନର ସମ୍ପର୍କର ଏକ ଜ୍ବଳନ୍ତ ପ୍ରମାଣ । ରାଜ୍ୟରେ ମେଟାଲ୍, ମାଇନିଂ, ସିମେଣ୍ଟ, ଆର୍ଥିକ ସେବା, ଫାସନ ଓ ରିଟେଲ ଶିଳ୍ପ କ୍ଷେତ୍ରରେ ଆଦିତ୍ୟ ବିର୍ଲା ପ୍ରମୁଖ ଭୂମିକା ଗ୍ରହଣ କରିଛି । ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବନଜୀବିକା କ୍ଷେତ୍ରରେ ମଧ୍ୟ ଆଦିତ୍ୟ ବିର୍ଲା ଗ୍ରୁପର ଅଂଶଗ୍ରହଣ ରହିଛି ।