ଓଡିଶା

odisha

ETV Bharat / city

ଦୁଇ ଦିନିଆ ମହିଳାଙ୍କ ଜାତୀୟ ସଂସଦ ଉଦଘାଟିତ

ଦୁଇ ଦିନିଆ ମହିଳାଙ୍କ ଜାତୀୟ ସଂସଦକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଆଜି ଅନ୍ତିମ ଦିବସରେ ଯୋଗ ଦେବେ ଆଇନମନ୍ତ୍ରୀ । ଅଧିକ ପଢନ୍ତୁ

ଦୁଇ ଦିନିଆ ମହିଳାଙ୍କ ଜାତୀୟ ସଂସଦ ଉଦଘାଟିତ
ଦୁଇ ଦିନିଆ ମହିଳାଙ୍କ ଜାତୀୟ ସଂସଦ ଉଦଘାଟିତ

By

Published : Jun 4, 2022, 8:50 AM IST

ଭୁବନେଶ୍ବର:ଦୁଇ ଦିନିଆ ମହିଳାଙ୍କ ଜାତୀୟ ସଂସଦକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ ଉଦଘାଟ କରିଛନ୍ତି । ରାଜ୍ୟ ମହିଳା ଆୟୋଗଙ୍କ ପକ୍ଷରୁ କିଟ ପ୍ରେକ୍ଷାଳୟରେ ଏହା ଆୟୋଜିତ କରାଯାଇଥିଲା । ଏହି ଅବସରରେ ସେ ମହିଳା ସଶକ୍ତ ହେଲେ ରାଜ୍ୟ ତଥା ଦେଶ ସଶକ୍ତ ଓ ସମୃଦ୍ଧ ହେବ ବୋଲି ଆହ୍ବାନ ଦେଇଥିଲେ ।

ଦୁଇ ଦିନିଆ ମହିଳାଙ୍କ ଜାତୀୟ ସଂସଦ ଉଦଘାଟିତ

ରାଜ୍ୟରେ ମହିଳାଙ୍କ ପାଇଁ ଆରମ୍ଭ ହୋଇଥିବା ମିଶନ ଶକ୍ତି ଏବେ ଏକ ଆନ୍ଦୋଳନର ରୂପ ଧାରଣ କରି ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିପାରିଛି । ରାଜ୍ୟରେ ଗର୍ଭବତୀ ମହିଳାଙ୍କ ପାଇଁ ମମତା ଯୋଜନା ଠାରୁ ଆରମ୍ଭ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା ବ୍ୟବସ୍ଥା କରାଯାଇଛି। ସମଗ୍ର ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡିଶାରେ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ପ୍ରତିଶତ ଓ ପୌର ନିର୍ବାଚନରେ ୩୩ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇପାରିଛି ।

ସବୁ କ୍ଷେତ୍ରରେ ନିଷ୍ପତ୍ତି ନେବାରେ ମହିଳା ଭାଗିଦାରୀ ହେବେ ବୋଲି କହି ମୁଖ୍ୟମନ୍ତ୍ରୀ ଦୁଇ ଦିନିଆ କର୍ମଶାଳାରେ ଉପସ୍ଥିତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଡଃ ମିନତୀ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ରାଜ୍ୟ ସଭା ସାଂସଦ ମୁନା ଖାଁ, ରମାଦେବୀ ମହିଳା ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଓ ଜାତୀୟ ମହିଳା କମିଶନର ଯୁଗ୍ମ ସଚିବ ଏ.ଆସୋଲି ଚାଲାଇ ଅତିଥି ଭାବେ ଯୋଗ ଦେଇଥିଲେ ।

କର୍ମଶାଳାରେ ଅରୁଣାଚଳ ପ୍ରଦେଶ, ଛତିଶଗଡ, ହରିୟାଣା, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ତେଲେଙ୍ଗାନା, ତ୍ରିପୁରା ଓ ପଶ୍ଚିମବଙ୍ଗ ଭଳି ୧୫ଟି ରାଜ୍ୟର ମହିଳା କମିଶନ ଅଧ୍ୟକ୍ଷା ସାମିଲ ହୋଇଛନ୍ତି । ଦୁଇ ଦିନିଆ କର୍ମଶାଳାରେ ବିଭିନ୍ନ ରାଜ୍ୟରୁ ଉପସ୍ଥିତ ଥିବା ମହିଳା କମିଶନ ଅଧ୍ୟକ୍ଷାଙ୍କ ଠାରୁ ଭାବର ଆଦାନ ପ୍ରଦାନ ସହିତ ଯେଉଁ ନିର୍ଯାସ ବାହାରିବ ତାକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ । ମହିଳାଙ୍କ ଅଧିକାର ସୁରକ୍ଷିତ ରଖିବାରେ ମହିଳା କମିଶନ ବେଶ ସହାୟକ ହୋଇ ପାରିଥିବା ନେଇ ମତ ପ୍ରକାଶ ପାଇଛି ।

ସେପଟେ ପଞ୍ଚାୟତ ଓ ପୌର ନିର୍ବାଚନ ଭଳି ବିଧାନସଭା ଓ ପାଲାମେଣ୍ଟ ନିର୍ବାଚନରେ ମଧ୍ୟ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରଖାଯିବା ଉଚିତ ବୋଲି ମତ ଦେଇଥିଲେ ରାଜ୍ୟସଭା ସାଂସଦ ମୁନା ଖାଁ । ଏହି ଅବସରରେ ରାଜ୍ୟ ବାହାରୁ ଆସିଥିବା ସମସ୍ତ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ମାନଙ୍କୁ ସମ୍ମାନିତ କରାଯାଇଥିଲା । ଶନିବାର କର୍ମଶାଳାର ଶେଷ ଦିବସରେ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details