ଭୁବନେଶ୍ବର:କଟକ ମୁଣ୍ଡୁଳୀରେ ହାତୀକୁ ଉଦ୍ଧାର କରିବା ବେଳେ ବୋଟ୍ ଦୁର୍ଘଟଣାଗ୍ରସ୍ତ ହୋଇ ଅକଳାରେ ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଦେହାନ୍ତ ହୋଇଛି । ଏହି ଘଟଣା ବର୍ତ୍ତମାନ ରାଜ୍ୟ ସାମ୍ବାଦିକତା କ୍ଷେତ୍ରକୁ ସ୍ତବ୍ଧ କରି ଦେଇଛି । ଜଣେ ସାହାସୀ ସାମ୍ବାଦିକ ଭାବରେ ସାରା ରାଜ୍ୟରେ ବେସ୍ ଖ୍ୟାତି ଅର୍ଜନ କରିଥିଲେ ଅରିନ୍ଦମ । ତାଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସଭିଏଁ ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି କହିଛନ୍ତି ଯେ, "କାର୍ଯ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ ବିଷୟରେ ଶୁଣି ମୁଁ ଦୁଃଖିତ। ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।"
ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି କହିଛନ୍ତି ଯେ, "ଓଟିଭିର ଯୁବ ସାମ୍ବାଦିକ ତଥା ମୋର ବନ୍ଧୁ ଅରିନ୍ଦମ ଦାସଙ୍କ ଏକ ଅଭାବନୀୟ ଘଟଣାରେ ଅକାଳ ବିୟୋଗ ହୋଇଛି । ଏହି ଦୁଃଖଦ ଖବର ଶୁଣି ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ । ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଅରିନ୍ଦମଙ୍କ ସହ ବହୁ ଥର ଦେଖା ସାକ୍ଷାତ ହୋଇଛି ।"
ସେପଟେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ମଧ୍ୟ ଅରିନ୍ଦମଙ୍କ ଦେହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ବିଟ୍ କରିଛନ୍ତି ଯେ, "ଓଟିଭି ରିପୋର୍ଟର ଅରିନ୍ଦମ ଦାଶଙ୍କ ବିୟୋଗ ସାମ୍ବାଦିକତା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି, ସେ ଜଣେ ଉତ୍ତମ ସ୍ୱଭାବର ବ୍ୟକ୍ତିତ୍ଵ ଥିଲେ, ଭଗବାନ ତାଙ୍କ ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ।"