ଭୁବନେଶ୍ବର:ଧାମନଗର ଉପନିର୍ବାଚନ (Dhamnagar Bypoll) ନେଇ ୬ ଜଣ ନାମାଙ୍କନ ଦାଖଲ କରିଥିଲେ । ଯାଞ୍ଚ ବେଳେ ସେଥି ମଧ୍ୟରୁ ଜଣଙ୍କର ନାମାଙ୍କନ ବାତିଲ ହୋଇଯାଇଛି । ଆଜି ଶେଷ ଦିନରେ କେହି ନାମାଙ୍କନ ପ୍ରତ୍ୟାହାରର କରିନଥିବାରୁ ନିର୍ବାଚନରେ ୫ ଜଣ ପ୍ରାର୍ଥୀ ରହିଛନ୍ତି (Five Candidates to fight for Dhamnagr seat) । ଚୂଡାନ୍ତ ପ୍ରାର୍ଥୀଙ୍କ ସଂଖ୍ୟା ଅନୁସାରେ ବାଲାଟ ପେପର ପ୍ରିଣ୍ଟ ହେବ । ଏହାସହ ଦୃଷ୍ଟିହୀନ ଭୋଟଙ୍କ ଲାଗି ବ୍ରେଲି ବାଲାଟ ପେପର ବ୍ୟବସ୍ଥା ମଧ୍ୟ କରାଯିବ ।
ଲେକ୍ଟରାଲ ରୋଲ ଫାଇନାଲ ହୋଇଛି । ଧାମନଗରର ମୋଟ ଭୋଟର ସଂଖ୍ୟା ହେଉଛି ୨ ଲକ୍ଷ ୩୮ ହଜାର ୪୧୭ । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୨୩ ହଜାର ୩୮ ଜଣ ପୁରୁଷ ଭୋଟର ଅଛନ୍ତି । ମହିଳା ଭୋଟର ସଂଖ୍ୟା ହେଉଛି ୧ ଲକ୍ଷ ୧୫ ହଜାର ୩୪୬ ଜଣ । ସେହିପରି ୩୩ ଜଣ କିନ୍ନର ଭୋଟର ରହିଛନ୍ତି । ୪୯୫୬ ଜଣ ଭିନ୍ନକ୍ଷମ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରୁ ପୁରୁଷ ୨୫୩୩ ଓ ମହିଳା ଭୋଟର ୨୪୨୩ ଅଛନ୍ତି । ୮୦ ବର୍ଷରୁ ଅଧିକ ଭୋଟର ସଂଖ୍ୟା ୭୨୦୬ ଜଣ । ସେମାନଙ୍କ ମଧ୍ୟରୁ ୩୪୯୫ ପୁରୁଷ ଓ ୩୭୧୧ ମହିଳା ଭୋଟର ଅଛନ୍ତି । ସେହିପରି ୪୫୬ ଜଣ ସର୍ଭିସ ଭୋଟର ଅଛନ୍ତି ।
ମୋଟ ପୋଲିଂ ଷ୍ଟେସନ ହେଉଛି ୨୫୨ । ସ୍କୁଲ ନାଁ ପରିବର୍ତ୍ତନ ହୋଇଥିବାରୁ ପୋଲିଂ ବୁଥ ନାଁ ମଧ୍ୟ ପରିବର୍ତ୍ତନ ହୋଇଛି । ୧୩୪ ବୁଥର ନାଁ ପରିବର୍ତ୍ତନ ହୋଇଛି । କିନ୍ତୁ ପୋଲିଂ ସ୍ଥାନରେ କୌଣସି ପରିବର୍ତ୍ତନ ହୋଇନାହିଁ । ଲୋକଙ୍କ ସନ୍ଦେହ ଦୂର କରିବା ଲାଗି ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିବ । ଭିନ୍ନକ୍ଷମ ଓ ବରିଷ୍ଠ ଭୋଟରଙ୍କ ଲାଗି ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି ।
ଉଭୟ ବର୍ଗର ମୋଟ ୧୨ ହଜାର ୭୭ ଭୋଟରଙ୍କ ମଧ୍ୟରୁ ୫୦୫ ଜଣ ପୋଷ୍ଟାଲ ବାଲାଟ ଲାଗି ଅପ୍ସନ ଦେଇଛନ୍ତି । ପୋଷ୍ଟାଲ ବାଲାଟ ଭୋଟିଂ ପାଇଁ ୨୦ଟି ପୋଲିଂ ପାର୍ଟି ଗଠନ ହୋଇଛି । ଧାମନଗର ଲାଗି ୧୪ଟି ଓ ତିହିଡି ବ୍ଲକ ଲାଗି ୬ଟି ପୋଲିଂ ପାର୍ଟି ରହିବ । ରୁଟ ଚାଟ୍ ଅନୁସାରେ ଏହା କାର୍ଯ୍ୟକାରୀ କରାଯିବ ।